ଆଜି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି୨୦, ଆୟର ଫେରିବେ 

ରାୟପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି୨୦ ମ୍ୟାଚ୍ ଶୁକ୍ରବାର ଏଠାରେ ଖେଳାଯିବ। ଗତ ମ୍ୟାଚରେ ବିଜୟ ସୁଯୋଗ ହାତଛଡ଼ା କରିଥିବା ଭାରତ ଏହି ମ୍ୟାଚକୁ ଜିତି ସିରିଜ୍ ଜିତିବାକୁ ଉଦ୍ୟମ କରିବ । ତେବେ ଭାରତର ଯୁବ ବୋଲିଂ ଲାଇନଅପ୍ ଉପରେ ସମସ୍ତଙ୍କ ନଜର ରହିବ।

ଭାରତ ଏହାର ଦ୍ଵିତୀୟ ପସନ୍ଦର ବୋଲିଂ ଲାଇନ୍‌ଅପ୍ ସହିତ ଓହ୍ଲାଇଥିଲେ ମଧ୍ୟ ତୃତୀୟ ମ୍ୟାଚରେ ଶେଷ ୨ ଓଭରରେ ୪୦ ରନ୍ ବ୍ୟୟ କରିବା ଗ୍ରହଣୀୟ ନୁହେଁ । ଖାସ୍ କରି ପ୍ରସିଦ୍ଧ କ୍ରିଷ୍ଣା ଶେଷ ମ୍ୟାଚରେ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ୪ ଓଭରରେ ସେ ୬୮ ରନ୍ ବ୍ୟୟ କରିଥିବା ବେଳେ ଅନ୍ତିମ ଓଭରରେ ୨୧ ରନ୍ ମଧ୍ୟ ଡିଫେଣ୍ଡ କରିପାରି ନ ଥିଲେ। ଦୀପକ ଚହର ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଗୋଟିଏ ମ୍ୟାଚ୍‌ର ବ୍ରେକ୍ ପରେ ମୁକେଶ କୁମାର ମଧ୍ଯ ଦଳକୁ ଫେରିଛନ୍ତି। ଉଭୟ ଖେଳାଳି ଏହି ମ୍ୟାଚରେ ସ୍ଥାନ ପାଇବାର ସମ୍ଭାବନା ଅଧିକ। ତେଣୁ ବୋଲିଂ ସୁଧୁରିବ ବୋଲି ଆଶା କରାଯାଉଛି ।

ଭାରତୀୟ ବ୍ୟାଟିଂରେ ବିଶେଷ ପରିବର୍ତ୍ତନର ସମ୍ଭାବନା କମ୍। ଶ୍ରେୟସ୍ ଆୟର ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଏକମାତ୍ର ଖେଳାଳି ଭାବରେ ତିଳକ ବର୍ମା ଟିମରୁ ବାହାରେ ବସିବେ। ଚଳିତ ସିରିଜରେ ଭାରତୀୟ ଟପ୍ ଅର୍ଡର ଜବରଦସ୍ତ ଫର୍ମରେ ରହିଛି।

ସେହିପରି ଗତ ମ୍ୟାଚରେ ବିସ୍ଫୋରକ ଶତକ‌ ସହ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିବା ଗ୍ଲେନ୍ ମ୍ୟାକ୍ସଓ୍ବେଲ୍ ସ୍ବଦେଶ ଫେରିଛନ୍ତି । ଅଷ୍ଟ୍ରେଲୀୟ ବ୍ୟାଟିଂ ଲାଇନ୍ ଅପ୍‌ରେ ମ୍ୟାକ୍ସୱେଲଙ୍କ ଅନୁପସ୍ଥିତି ଭାରତୀୟ ବୋଲରଙ୍କୁ ଆଶ୍ବସ୍ତ କରିବ। ମ୍ୟାକ୍ସୱେଲଙ୍କ ସମେତ ଷ୍ଟିଭେନ୍‌ ସ୍ମିଥ୍ ଓ ଆଡାମ ଜାମ୍ପା ମଧ୍ଯ ଦଳରେ ନ ଥ‌ିବାରୁ ଚତୁର୍ଥ ମ୍ୟାଚ୍ ଜିତି ସିରିଜ୍ ହାତେଇବା ପାଇଁ ଭାରତ ପାଖରେ ସୁଯୋଗ ରହିଛି ।

Comments are closed.