ପାରାଲିମ୍ପିକ୍ସରେ ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ, ଜାଭେଲିନ୍ ଥ୍ରୋ’ରେ ସୁମିତ ଆଣ୍ଟିଲ ଜିତିଲେ ସ୍ବର୍ଣ୍ଣ ପଦକ

ଟୋକିଓ: ଭାରତୀୟ ଆଥଲେଟ୍ ମାନେ ସୋମବାର ଟୋକିଓ ପାରାଲିମ୍ପିକ୍ସରେ କମାଲ କରିଛନ୍ତି। ସୁଟର ଅବନୀ ଲେଖରା ପରେ ଜାଭେଲିନ୍ ଥ୍ରୋ’ରେ ସୁମିତ ଆଣ୍ଟିଲ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ବିଶ୍ୱ ରେକର୍ଡ ସହିତ ଏଫ୍୬୪ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଫାଇନାଲରେ ନିଜ ପଞ୍ଚମ ଉଦ୍ୟମରେ ୬୮.୫୫ ମିଟର ଫିଙ୍ଗିଥିଲେ ଯାହା ତାଙ୍କ ପାଇଁ ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲା। ସୁମିତଙ୍କ ପ୍ରଥମ ପ୍ରୟାସରେ ୬୬.୯୫ ମିଟର, ଦ୍ୱିତୀୟ ପ୍ରୟାସରେ ୬୮.୦୮ ମିଟର, ତୃତୀୟରେ ୬୫.୨୭ ମିଟର, ଚତୁର୍ଥରେ ୬୬.୭୧ ମିଟର ଏବଂ ପଞ୍ଚମ ପ୍ରୟାସରେ ୬୮.୫୫ ମିଟର ଥ୍ରୋ କରିଥିଲେ । ତାଙ୍କର ଷଷ୍ଠ ଥ୍ରୋ ଫାଉଲ୍ ଥିଲା ।

ସୁମିତ ଆଣ୍ଟିଲ ୬ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ଗୋଡ ହରାଇଥିଲେ । ତଥାପି ସେ ସାହସ ଓ ଧୈର୍ଯ୍ୟର ସହ ପ୍ରତ୍ୟେକ ପରିସ୍ଥିତିର ସମ୍ମୁଖୀନ କରିଥିଲେ ।

ଭାରତ ଏପର୍ଯ୍ୟନ୍ତ ପାରାଲିମ୍ପିକ୍ ଗେମ୍ସରେ ୨ଟି ସ୍ୱର୍ଣ୍ଣ, ୪ଟି ସିଲଭର ଏବଂ ୧ଟି ବ୍ରୋଞ୍ଜ ପଦକ ଜିତିଛି । ଏହା ଭାରତର ସବୁଠୁ ସଫଳ ପାରାଲିମ୍ପିକ୍ସ । ଏହାପୂର୍ବରୁ ଭାରତ ୨୦୧୬ ରିଓ ଅଲିମ୍ପିକ୍ସ ଏବଂ ୧୯୮୪ ଅଲିମ୍ପିକ୍ସରେ ୪ଟି ଲେଖାଏଁ ପଦକ ଜିତିଥିଲା ​​। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.