ପ୍ରଥମ ଟେଷ୍ଟରେ ଭାରତର ବୃହତ ବିଜୟ, ବାଂଲାଦେଶକୁ ୧୮୮ ରନରେ ହରାଇଲା

ଚଟୋଗ୍ରାମ: ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ ହାରିବା ପରେ ଭାରତ ଟେଷ୍ଟ ସିରିଜରେ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଚଟୋଗ୍ରାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ୧୮୮ ରନରେ ହରାଇଛି । ଏହି ବଡ଼ ବିଜୟ ସହ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି ।

ଭାରତ ପ୍ରଦତ୍ତ ୫୧୩ ରନ୍ ବିଶାଳ ବିଜୟ ଲକ୍ଷ୍ୟ ଜବାବରେ ବାଂଲାଦେଶ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୨୭୬ ରନ୍ କରିଥିଲା ।

ଆଜି ପଞ୍ଚମ ତଥା ଶେଷ ଦିବସରେ ବିଜୟ ପାଇଁ ଭାରତକୁ ଆଉ ୪ ଓ୍ବିକେଟ୍ ଓ ବାଂଲାଦେଶକୁ ୨୪୧ ରନ୍ ଦରକାର ଥିଲା । ତେବେ ପ୍ରଥମ ଘଣ୍ଟାର ଖେଳ ଭିତରେ ଭାରତ ଅବଶିଷ୍ଟ ୪ ଓ୍ବିକେଟ୍ ଖସାଇ ବିଜୟ ହାସଲ କରିଥିଲା । ବାଂଲାଦେଶ ଦ୍ବିତୀୟ ଇନିଂସରେ ୩୨୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।

ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଅକ୍ଷର ପଟେଲଙ୍କ ୪ ୱିକେଟ୍ ଏବଂ କୁଲଦୀପ ଯାଦବଙ୍କ ୩ଟି ୱିକେଟ୍ ନେଇଥିଲେ । କୁଲଦୀପ ଏହି ମ୍ୟାଚରେ ମୋଟ ୮ ଓ୍ବିକେଟ୍ ହାସଲ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ପ୍ରଥମ ଇନିଂସରେ କୁଲଦୀପ ଯାଦବ ପାଞ୍ଚଟି ୱିକେଟ୍ ନେଇଥିଲେ ।

Comments are closed.