ଶେଫାଳିଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ମହିଳା ଏସିଆ କପରେ ବାଂଲାଦେଶକୁ ହରାଇଲା ଭାରତ

ନୂଆଦିଲ୍ଲୀ: ମହିଳା ଏସିଆ କପରେ ୨୪ ଘଣ୍ଟା ମଧ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ପରାଜୟକୁ ଭୁଲି ବିଜୟ ଟ୍ରାକକୁ ଫେରିଛି। ଭାରତ ଶନିବାର ଖେଳାଯାଇଥିବା ଏକ ମ୍ୟାଚରେ ଆୟୋଜକ ଦେଶ ବାଂଲାଦେଶକୁ ୫୯ ରନରେ ହରାଇଛି । ଆହତ କାରଣରୁ ନିୟମିତ କ୍ୟାପଟେନ ହରମନପ୍ରୀତ କୌର ଏହି ମ୍ୟାଚରେ ଖେଳିନଥିଲେ । ତାଙ୍କ ସ୍ଥାନରେ ସ୍ମୃତି ମନ୍ଧାନା ଦଳର ନେତୃତ୍ବ ନେଇଥିଲେ । ମନ୍ଧାନା ଓ ଶେଫାଳି ବର୍ମାଙ୍କ ଜବରଦସ୍ତ ଭାଗିଦାରୀ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବାଂଲାଦେଶ ୭ ୱିକେଟ୍ ହରାଇ କେବଳ ୧୦୦ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଭାରତୀୟ ବୋଲର ଆରମ୍ଭରୁ ବାଂଲାଦେଶ ବ୍ୟାଟରଙ୍କୁ ଖୋଲାଖୋଲି ସଟ୍ ଖେଳିବାକୁ କୌଣସି ସୁଯୋଗ ଦେଇ ନଥିଲା। ଫଳସ୍ବରୂପ ବାଂଲାଦେଶ ୯ ଓଭରରେ କୌଣସି ୱିକେଟ୍ ହରାଇ ନଥିଲେ ମଧ୍ୟ ମାତ୍ର ୪୫ ରନ୍ କରିପାରିଥିଲା। ବ୍ୟାଟିଂରେ କମାଲ କରିଥିବା ଶେଫାଳି ବୋଲିଂରେ ବି ଚମକିଥିଲେ । ସେ ୪ ଓଭରରେ ମାତ୍ର ୧୦ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଟପ୍ ତିନି ବ୍ୟାଟରଙ୍କ ପରେ ବାଂଲାଦେଶର ୬ ନିମ୍ନଭାଗ ବ୍ୟାଟର ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ । ଶେଫାଳିଙ୍କ ବ୍ୟତୀତ ଦୀପ୍ତି ଶର୍ମା ଦୁଇଟି ୱିକେଟ୍ ନେଇଥିବାବେଳେ ରେଣୁକା ଠାକୁର ଏବଂ ସ୍ନେହ ରାଣା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ବାଂଲାଦେଶ ପାଇଁ କ୍ୟାପଟେନ ନିଗର ସୁଲତାନି ସର୍ବାଧିକ ୩୬ ରନ୍ ସଂଗ୍ରହ କରିଥିଲେ।

ବାଂଲାଦେଶ ବିପକ୍ଷ ମ୍ୟାଚ୍ ପାଇଁ ଶେଫାଳି ବର୍ମା ଚୂଡ଼ାନ୍ତ ଏକାଦଶକୁ ଫେରିଥିଲେ ଏବଂ ସେ ଏହି ସୁଯୋଗର ସଦୁପଯୋଗ କରିଥିଲେ । ଅଭିଜ୍ଞ ପାର୍ଟନର ସ୍ମୃତି ମନ୍ଧାନାଙ୍କ ସହ ଏକ ୯୬ ରନର ବଡ଼ ଭାଗିଦାରୀ ସହ ଶେଫାଳି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ​​| ମନ୍ଧାନା (୪୭) ଅର୍ଦ୍ଧ ଶତକରୁ ବଞ୍ଚିତ ହୋଇଥିଲେ । କିନ୍ତୁ ଶେଫାଳି ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୫ଟି ଚୌକା ଓ ୨ ଛକା ସହାୟତାରେ ୪୪ ବଲରୁ ୫୫ ରନର ଆକର୍ଷଣୀୟ ଇନିଂସ ଖେଳିବା ପରେ ପ୍ୟାଭିଲିୟନ ଫେରିଥିଲେ | ପାକିସ୍ତାନ ବିପକ୍ଷରେ ଶସ୍ତାରେ ଆଉଟ୍ ହୋଇଥିବା ଜେମିମା ରୋଡ୍ରିଗ୍ବେଜ୍ ୨୪ ଟି ବଲରେ ଦ୍ରୁତ ୩୫ ଇନିଂସ ଖେଳିଥିଲେ।

ଦିନକ ପୂର୍ବରୁ ପାକିସ୍ତାନ ବିପକ୍ଷରେ ଅପ୍ରତ୍ୟାଶିତ ପରାଜୟକୁ ଭୁଲି ଭାରତ ବାଂଲାଦେଶ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି । ଟୁର୍ଣ୍ଣାମେଣ୍ଟରେ ଭାରତ ଏଯାବତ ୫ଟି ମ୍ୟାଚ୍ ଖେଳିଥିବା ବେଳେ ୪ଟି ବିଜୟରୁ ୮ ପଏଣ୍ଟ ସହ ଟିମ୍ ଇଣ୍ଡିଆ ଶୀର୍ଷ ସ୍ଥାନ ବଜାୟ ରଖିଛି | ଅନ୍ୟପକ୍ଷରେ ଚାରିଟି ମ୍ୟାଚରୁ ବାଂଲାଦେଶର ଏହା ହେଉଛି ଦ୍ୱିତୀୟ ପରାଜୟ |

Comments are closed.