ପ୍ରଥମ ଦିନିକିଆ: ଇଂଲଣ୍ଡକୁ ଘାଇଲା କଲେ ବୁମରା, ୧୦ ୱିକେଟରେ ଜିତିଲା ଭାରତ

ଲଣ୍ଡନ: ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ସହାୟତାରେ ମଙ୍ଗଳବାର କେନିଙ୍ଗଟନ ଓଭାଲରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇଛି । ଅନ୍ତର୍ଜାତୀୟ ଦିନିକିଆରେ ଭାରତ ପ୍ରଥମ ଥର ପାଇଁ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ବୁମରାଙ୍କ ବୋଲିଂରେ ଘାଇଲା ହୋଇ ୨୫.୨ ଓଭରରେ ମାତ୍ର ୧୧୦ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଭାରତ ବିପକ୍ଷରେ ଇଂଲଣ୍ଡର ଏହା ସର୍ବନିମ୍ନ ଦିନିକିଆ ସ୍କୋର ଥିଲା । ବୁମରା କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ୧୯ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ । ଇଂଲଣ୍ଡରେ ଏହା କୌଣସି ଭାରତୀୟ ଦ୍ରୁତ ବୋଲରଙ୍କ ପକ୍ଷରୁ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ । ମହମ୍ମଦ ସାମି ୩ଟି ୱିକେଟ୍ ହାସଲ କରିଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ୍ ନେଇଥିଲେ ।

ଇଂଲଣ୍ଡ ପ୍ରଦତ୍ତ ୧୧୧ ରନର ମାମୁଲି ଟାର୍ଗେଟକୁ ଭାରତ କୌଣସି ୱିକେଟ୍ ନ ହରାଇ ୧୮.୪ ଓଭରରେ ହାସଲ କରିନେଇଥିଲା । କ୍ୟାପଟେନ ରୋହିତ ଶର୍ମା ୫୮ ଟି ବଲରେ ୭ଟି ଚୌକା ଓ ୫ଟି ଛକା ସହ ଅପରାଜିତ ୭୬ ରନ୍ କରିଥିବା ବେଳେ ଶିଖର ଧାୱନ ୫୪ଟି ବଲରେ ୪ଟି ଚୌକା ସହ ୩୧ ରନ୍ କରି ନଟ୍ ଆଉଟ୍ ଥିଲେ । ସ୍ୱାଭାବିକ ଭାବେ ଚମତ୍କାର ବୋଲିଂ ପ୍ରଦର୍ଶନ ପାଇଁ ବୁମରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏହି ଏକତରଫା ବିଜୟ ସହ ଭାରତ ତିନି ମ୍ୟାଚ୍ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ପୂର୍ବରୁ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ବୁମରା ଓ ମହମ୍ମଦ ଶାମି ସଠିକ ସାବ୍ୟସ୍ତ କରି ଜଣଙ୍କ ପରେ ଜଣେ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇବା ଆରମ୍ଭ କରିଥିଲେ। ନିଜର ପ୍ରଥମ ତଥା ଇନିଂସର ଦ୍ୱିତୀୟ ଓଭର୍‌ରେ ହିଁ ବୁମରା ୱିକେଟ ଝଡ଼ାଇବା ଆରମ୍ଭ କରିଥିଲେ।

ସେ ଦ୍ୱିତୀୟ ଓଭର୍‌ର ୪ର୍ଥ ବଲରେ ଜେସନ ରୟ(୦)ଙ୍କୁ ଆଉଟ କରିଥିଲେ। ସେହି ଓଭର୍‌ର ଶେଷ ବଲରେ ଜୋ ରୁଟ(୦) ବୁମ୍ରାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ବେନ ଷ୍ଟୋକ୍ସ ଖାତା ଖୋଲିବା ପୂର୍ବରୁ ମହମ୍ମଦ ଶାମିଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଜନ୍ନି ବେୟାରଷ୍ଟୋ(୭)ଙ୍କୁ ଆଉଟ କରି ବୁମରା ଇଂଲଣ୍ଡକୁ ୪ର୍ଥ ଝଟକା ଦେଇଥିଲେ।

୧୭ ରନରେ ଦଳ ୪ ଜଣ ଟପ ଅର୍ଡର ବ୍ୟାଟରଙ୍କୁ ହରାଇଥିଲା। ଲିଆମ ଲିଭିଙ୍ଗଷ୍ଟୋନ ମଧ୍ୟ ଖାତା ଖୋଲିବାକୁ ଅକ୍ଷମ ହୋଇଛନ୍ତି। ତାଙ୍କ ୱିକେଟ ବୁମରା ନେଇଛନ୍ତି। ୨୬ ରନରେ ଇଂଲଣ୍ଡର ୫ ଜଣ ବ୍ୟାଟର ପ୍ୟାଭିଲିୟନ ଫେରିଥିବା ବେଳେ ଅଧିନାୟକ ଜୋଶ ବଟଲର କିଛି ସମୟ ଲଢ଼େଇ କରିଥିଲେ। କିନ୍ତୁ ସେ କେବଳ ୩୦ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ଶାମି ଆଉଟ କରି ଇଂଲଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ବଟଲରଙ୍କ ପୂର୍ବରୁ ମୋଇନ ଅଲୀ(୧୪) ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲରେ ଆଉଟ ହୋଇଥିଲେ। କ୍ରେଗ ଓଭରଟନ(୮) ଶାମିଙ୍କ ତୃତୀୟ ଶିକାର ବନିଥିଲେ।

ଇଂଲଣ୍ଡ ୬୮ ରନରେ ୮ମ ୱିକେଟ ହରାଇବାରୁ ଲାଗୁଥିବା ଦଳ ୧୦୦ ରନ ମଧ୍ୟ ପାର କରିପାରିବ ନାହିଁ । ହେଲେ ଡାଭିଡ ୱିଲ୍ଲୀ ଓ ବ୍ରାୟଡନ କାର୍ସେ କିଛି ସମୟ ଲଢ଼େଇ କରି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ। ହେଲେ ବୁମ୍ରା ଆସିବା ମାତ୍ରେ ଉଭୟ ଆଉ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ସେ ପ୍ରଥମେ ୧୫ ରନ କରିଥିବା କାର୍ସେଙ୍କୁ ବୋଲ୍ଡ କରିଥିଲେ। ଏହାପରେ ୱିଲ୍ଲୀ(୨୧)ଙ୍କୁ ବୋଲ୍ଡ କରି ଇଂଲଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ବୁମରା ଦ୍ୱିତୀୟ ଥର ପାଇଁ ଦିନିକିଆ କ୍ରିକେଟରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି।

ଭାରତ ପକ୍ଷରୁ ବୁମ୍ରା ୭.୨ ଓଭରରେ ୧୯ ରନ ଦେଇ ୬ ୱିକେଟ ନେଇଥିବା ବେଳେ ଶାମି ୩୧ ରନ ଦେଇ ୩ଟି ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ ନେଇଥିଲେ।

Comments are closed.