ଇଂଲଣ୍ଡକୁ ୧୦୦ ରନ୍‌ରେ ହରାଇଲା ଭାରତ, ଲଗାତାର ଷଷ୍ଠ ବିଜୟ ସହ ଶୀର୍ଷକୁ ଫେରିଲା

ଲକ୍ଷ୍ନୌ: ଦିନିକିଆ ବିଶ୍ୱକପରେ ଭାରତର ଅପରାଜେୟ ଧାରା ଜାରି ରହିଛି । ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଶାଣିତ ପ୍ରଦର୍ଶନ ସହାୟତାରେ ଭାରତ ରବିବାର ବିଶ୍ୱକପର ଏକ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୧୦୦ ରନ୍‌ରେ ହରାଇଛି । ଭାରତର ଏହା କ୍ରମାଗତ ଷଷ୍ଠ ବିଜୟ ହୋଇଥିବା ବେଳେ ଦଳ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରି ସେମିଫାଇନାଲର ନିକଟତର ହୋଇଛି । ଟିମ୍ ଇଣ୍ଡିଆ ଚଳିତ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଭାବେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରିନାହିଁ । ଅନ୍ୟପକ୍ଷରେ ଇଂଲଣ୍ଡର ଏହା କ୍ରମାଗତ ପଞ୍ଚମ ପରାଜୟ । ଏଥିସହ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି ଇଂଲଣ୍ଡ ।

ଏକାନା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୯ ୱିକେଟ୍ ହରାଇ ୨୨୯ ରନ୍ କରିଥିଲା । ହେଲେ ବୋଲରଙ୍କ ଘାତକ ପ୍ରଦର୍ଶନ ବଳରେ ଭାରତ ମାମୁଲି ମନେ ହେଉଥିବା ଏହି ଲକ୍ଷ୍ୟକୁ ଡିଫେଣ୍ଡ୍ କରିବାରେ ସଫଳ ହୋଇଥିଲା । ୨୩୦ ରନର ଟାର୍ଗେଟ୍ ଜବାବରେ ଇଂଲଣ୍ଡ ୩୪.୫ ଓଭରରେ ମାତ୍ର ୧୨୯ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଭାରତ ଚଳିତ ବିଶ୍ୱକପରେ ପ୍ରଥମ ଥର ଏକ ସ୍କୋର ଡିଫେଣ୍ଡ୍ କରି ବିଜୟୀ ହୋଇଛି । ପ୍ରଥମ ପାଞ୍ଚଟି ମ୍ୟାଚରେ ଭାରତ ଚେଜ୍ କରି ବିଜୟୀ ହୋଇଥିଲା ।

ଭାରତର ପେସ୍ ଯୋଡ଼ି ମହମ୍ମଦ ସାମି ଓ ଯସପ୍ରୀତ ବୁମରା ଇଂଲଣ୍ଡ ଟପ୍ ଅର୍ଡରକୁ ଘାଇଲା କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଗତ ମ୍ୟାଚରେ ୫ ୱିକେଟ୍ ନେଇଥିବା ସାମି ଏଥର ମଧ୍ୟ ଚମତ୍କାର ପ୍ରଦର୍ଶନ ସହ ୨୨ ରନ୍‌ରେ ୪ଟି ୱିକେଟ୍ ହାସଲ କରିଥିବା ବେଳେ ବୁମରା ୩୨ ରନ୍‌ରେ ୩ଟି ୱିକେଟ୍ ନେଇଥିଲେ । ସ୍ପିନର କୁଲଦୀପ ଯାଦବ ମଧ୍ୟ ନିଜ ମ୍ୟାଜିକ୍ ଦେଖାଇଥିଲେ । ସେ ୨ଟି ଓ ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ । ଇଂଲଣ୍ଡ ପକ୍ଷରୁ ଲିଆମ୍ ଲିଭିଂଷ୍ଟୋନ୍ ୨୭ ରନ୍ କରିଥିଲେ । ଅଧିନାୟକ ରୋହିତ ଶର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ଭାରତର ଟପ୍ ଅର୍ଡର ବିପର୍ଯ୍ୟୟର ସମ୍ମୁଖୀନ ହେଇଥିଲା । ଦଳ ମାତ୍ର ୨୬ ରନ୍‌ରେ ଓପନର୍‌ ଶୁଭମନ୍‌ ଗିଲ୍‌ଙ୍କୁ ହରାଇଥିଲା । ସେ ମାତ୍ର ୯ ରନ୍‌ କରି ଆଉଟ୍ ହୋଇଥିଲେ । ବିଶ୍ବକପରେ ସେ ପ୍ରଥମ ଥର ଖାତା ଖୋଲି ପାରିନଥିଲେ। ଏହାପରେ ପରେ ବିରାଟ କୋହଲି ମଧ୍ୟ ଖାତା ଖୋଲିନପାରି ଆଉଟ୍ ହୋଇଯାଇଥିଲେ । ମାତ୍ର ୨୭ ରନ୍‌ରେ ଦଳ ଦୁଇଟି ୱିକେଟ୍ ହରାଇଥିଲା । ଏବଂ ୪୦ ରନ୍‌ରେ ଦଳ ଶ୍ରେସୟ ଆୟର(୪)ଙ୍କ ରୂପରେ ତୃତୀୟ ୱିକେଟ ହରାଇଥିଲା ।

ଏହାପରେ କ୍ରିଜରେ ରୋହିତ ଏବଂ ରାହୁଲଙ୍କ ଯୋଡ଼ି ଚତୁର୍ଥ ଓ୍ବିକେଟରେ ୯୧ ରନ୍ ଯୋଗକରି ଦଳୀୟ ସ୍ଥିତି ସୁଧାରିଥିଲେ । ତେବେ ୧୩୧ ରନ୍‌ରେ ଭାରତର ଚତୁର୍ଥ ୱିକେଟ ପତନ ଘଟିଥିଲା। ରାହୁଲ ୩୯ ରନ୍‌ କରି ୱିଲିଙ୍କ ଶିକାର ହୋଇଥିଲେ । ଇଂଲଣ୍ଡ ବୋଲରଙ୍କୁ ଧରାଶାୟୀ କରୁଥିବା ରୋହିତ ମଧ୍ୟ ଶେଷରେ ୮୭ ରନ୍‌ କରି ଆଉଟ ହୋଇଯିବା ପରେ ଭାରତୀୟ ଦଳ ବ୍ୟାକଫୁଟକୁ ଠେଲି ହୋଇ ଯାଇଥିଲା । ରୋହିତ ୧୦୧ ବଲ୍‌ରେ ୮୭ ରନ୍‌ କରିଥିଲେ । ସେ ୧୦ଟି ଚୌକା ଏବଂ ୩ଟି ଛକା ମାରିଥିଲେ ।

ରୋହିତ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏକାଧିକ ରେକର୍ଡ କରିଛନ୍ତି । ବିଶ୍ବକପରେ ସର୍ବାଧିକ ଛକା ମାରିବା ରେକର୍ଡ କରିଛନ୍ତି ରୋହିତ । ସେ ବର୍ତ୍ତମାନ ସୁଦ୍ଧା ବିଶ୍ବକପରେ ସର୍ବାଧିକ ୨୦ଟି ଛକା ମାରିଥିବାବେଳେ ଚଳିତବର୍ଷ ସର୍ବାଧିକ ୫୩ଟି ଛକା ମାରିଛନ୍ତି । ଏହାସହ ରୋହିତ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୧୮ ହଜାର ରନ୍ ମଧ୍ୟ ପୂରଣ କରିଛନ୍ତି ।

ରବୀନ୍ଦ୍ର ଜାଡେଜା (୮) ନିରାଶ କରିଥିଲେ। ମହମ୍ମଦ ସାମି ୧ ରନ୍ କରି ଆଉଟ୍ ହୋଇଥିଲେ । ତେବେ ସୂର୍ଯ୍ୟକୁମାର ଯାଦବଙ୍କ ୪୭ ବଲ୍‌ରେ ୪୯ ରନର ପାଳି ଯୋଗୁଁ ଭାରତ ୨୦୦ ରନ୍ ଟପିଥିଲା । ଯସପ୍ରୀତ ବୁମରା ୧୬ ରନ୍ କରିଥିଲେ । କୁଲଦୀପ ଯାଦବ ୯ ରନ୍

ଇଂଲଣ୍ଡ ପକ୍ଷରୁ ଡେଭିଡ ଓ୍ବିଲି ୩ଟି ଓ୍ବିକେଟ ନେଇଥିବାବେଳେ କ୍ରିସ ଓକସ ଓ ଆଦିଲ ରସିଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Comments are closed.