ଏସିଆନ୍ ଚାମ୍ପିଅନ୍ସ ଟ୍ରଫି : ମାଲେସିଆକୁ ହରାଇ ଭାରତ ଜିତିଲା ରେକର୍ଡ ଚତୁର୍ଥ ଟାଇଟଲ୍

ଚେନ୍ନାଇ : ମେଜର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ରୋମାଞ୍ଚକ ଫାଇନାଲରେ ମାଲେସିଆକୁ ୪-୩ରେ ହରାଇ ଭାରତ ଚତୁର୍ଥ ଥର ପାଇଁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଟାଇଟଲ୍ ଜିତିଛି । ଭାରତ ୧-୩ରେ ପଛୁଆ ରହିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ମାଲେସିଆ ହାତରୁ ବିଜୟ ଛଡ଼ାଇ ଆଣିଥିଲା ।

ଭାରତ ପକ୍ଷରୁ ଯୁଗରାଜ ସିଂ (୯ମ ମିନିଟ), ହରମନପ୍ରୀତ ସିଂ (୪୫ତମ ମିନିଟ), ଗୁରୁଜନ୍ତ ସିଂ (୪୫ ମିନିଟ), ଆକାଶଦୀପ ସିଂ (୫୬ ତମ ମିନିଟ) ଗୋଲ୍ ସ୍କୋର କରିଥିଲେ। ମାଲେସିଆ ପାଇଁ ଅବୁ କମଲ ଆଜ୍ରାଇ (୧୪ତମ ମିନିଟ), ରଜି ରହୀମ (୧୮ ମିନିଟ), ଅମିନୁଦ୍ଦିନ ମହମ୍ମଦ (୨୮ ତମ ମିନିଟ) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଭାରତୀୟ ଦଳ ଏହାର ଚିରା ଚରିତ ଆକ୍ରମଣାତ୍ମକ ଶୈଳୀରେ ଖେଳ ଆରମ୍ଭ କରିଥିଲା। ପ୍ରଥମ କ୍ୱାର୍ଟରର ନବମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ରୂପାନ୍ତର କରି ଭାରତୀୟ ଖେଳାଳି ଯୁଗରାଜ ସିଂ ଦଳକୁ ୧-୦ରେ ଆଗୁଆ କରିଥିଲେ।

ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ଖେଳୁଥିବା ମାଲେସିଆ ଦଳ ୧୪ତମ ମିନିଟରେ ପ୍ରତ୍ୟାବର୍ତ୍ତନ କରି ସ୍କୋରକୁ ବରାବର କରିଥିଲା | ଦଳ ପକ୍ଷରୁ ଆବୁ କମଲ ଖାତା ଖୋଲିଥିଲେ।

ଏଫ୍ଆଇଏଚ୍ ର଼୍ୟାଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ରହିଥିବା ଭାରତୀୟ ଦଳକୁ ଦ୍ୱିତୀୟ କ୍ୱାର୍ଟରରେ କଡ଼ା ଟକ୍କର ଦେଇଥିଲା ମାଲେସିଆ। ମାଲେସିଆ ଏହି କ୍ୱାର୍ଟରରେ ଦୁଇଟି ଗୋଲ୍ କରି ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳକୁ ଚାପରେ ରଖିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ମାଲେସିଆ ୩-୧ରେ ଆଗୁଆ ରହି ଭାରତୀୟ ଦଳକୁ ସ୍ତବ୍ଧ କରିଦେଇଥିଲା ।

ତେବେ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଦଳ ଆକ୍ରମଣକୁ ଜୋରଦାର କରି ଲଢୁଆ ପ୍ରତ୍ୟାବର୍ତ୍ତନ କରିଥିଲା । ମ୍ୟାଚର ୪୫ ମିନିଟରେ ଅଧିନାୟକ ହରମନପ୍ରୀତ ସିଂ ଏବଂ ଗୁରୁଜନ୍ତ ସିଂଙ୍କ ଗୋଲ୍ ବଳରେ ଭାରତ ସ୍କୋରକୁ ୩-୩ କରି ମ୍ୟାଚକୁ ଫେରିଥିଲା । ପରେ ୫୬ତମ ମିନିଟରେ ଆକାଶଦୀପ ସିଂ ମ୍ୟାଚର ନିର୍ଣ୍ଣାୟକ ଗୋଲ ସ୍କୋର କରି ଭାରତ ପାଇଁ ବିଜୟ ସୁନିଶ୍ଚିତ କରିଥିଲେ ।

ଭାରତ ପୂର୍ବରୁ ୨୦୧୧, ୨୦୧୬ ଏବଂ ୨୦୧୮ରେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା |

Comments are closed.