ବିଶ୍ୱକପରେ ଭାରତର କ୍ରମାଗତ ନବମ ବିଜୟ, ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା

ବେଙ୍ଗାଲୁରୁ: ଅପରାଜେୟ ରହି ବିଶ୍ୱକପର ଲିଗ୍ ଅଭିଯାନ ଶେଷ କରିଛି ଭାରତ । ଶ୍ରେୟାସ୍ ଆୟର ଓ କେଏଲ୍ ରାହୁଲଙ୍କ ଚମତ୍କାର ଶତକ ସହାୟତାରେ ଭାରତ ରବିବାର ଶେଷ ଲିଗ୍ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ୧୬୦ ରନରେ ହରାଇ ପ୍ରଶଂସକଙ୍କୁ ଦେଇଛି ଦୀପାବଳି ଭେଟି । ଏଥିସହ ଚଳିତ ବିଶ୍ୱକପ୍‌ର ଲିଗ୍ ପର୍ଯ୍ୟାୟରେ ଭାରତ ସମସ୍ତ ୯ଟି ଯାକ ମ୍ୟାଚ୍ ଜିତିଛି। ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ବିଶ୍ୱକପରେ ଲଗାତାର ୯ ମ୍ୟାଚ୍ ଜିତିଛି। ଭାରତ ୨୦୦୩ ବିଶ୍ବକପରେ କ୍ରମାଗତ ୮ଟି ମ୍ୟାଚ୍ ଜିତିଥିଲା।

ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପର ଏହି ଶେଷ ଲିଗ୍ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା । ଆୟର ଓ ରାହୁଲଙ୍କ ଶତକ ବଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ବିଶାଳ ୪୧୦ ରନ୍ ସ୍କୋର୍ ଛିଡ଼ା କରିଥିଲା। ଜବାବରେ ନେଦରଲାଣ୍ଡସ ୪୭.୫ ଓଭରରେ ୨୫୦ ରନରେ ଅଲ୍ଆଉଟ୍ ହୋଇଯାଇଥିଲା ।

ଆୟର ଓ ରାହୁଲଙ୍କୁ ଛାଡ଼ି ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ ଭାରତର ୯ ଜଣ ଖେଳାଳି ବୋଲିଂ କରିଥିଲେ । କୋହଲି ଓ ରୋହିତ ଗୋଟିଏ ଲେଖାଏଁ ୱିକେଟ୍ ବି ନେଇଥିଲେ। ରୋହିତ ନେଦରଲାଣ୍ଡସର ଶେଷ ଓ୍ବିକେଟ୍ ନେଇଥିଲେ । ବୁମରା, ସିରାଜ୍, କୁଲଦୀପ ଓ ଜାଡେଜା ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ତେବେ ଚଳିତ ବିଶ୍ୱକପରେ ପ୍ରଥମ ଥର ପାଇଁ ମହମ୍ମଦ ସାମି କୌଣସି ଓ୍ବିକେଟ୍ ପାଇନଥିଲେ ।

ପୂର୍ବରୁ ଶ୍ରେୟସ୍ ଆୟର୍ ଓ ରାହୁଲ ଆକର୍ଷଣୀୟ ଶତକୀୟ ଇନିଂସ୍ ଖେଳିଥିଲେ । ଆୟର ୯୪ ବଲରେ ୧୦ଟି ଚୌକା ଓ ୫ଟି ଛକା ସହ ଅପରାଜିତ ୧୨୮ ରନ୍ କରିଥିଲେ । ଏହା ତାଙ୍କ ପ୍ରଥମ ବିଶ୍ୱକପ ଶତକ । ରାହୁଲ ମଧ୍ୟ ନିଜ ହୋମ୍ ଗ୍ରାଉଣ୍ଡରେ ସେଞ୍ଚୁରି ମାରିଥିଲେ । ସେ ୬୪ ବଲରେ ୧୧ଟି ଚୌକା ଓ ୪ଟି ଛକା ସହ ୧୦୨ ରନ୍ କରିଥିଲେ। ରାହୁଲ ମାତ୍ର ୬୨ ବଲରେ ଶତକ ପୂରଣ କରିଥିଲେ, ଯା‌ହା ବିଶ୍ବକପରେ ଭାରତ ପକ୍ଷରୁ ଦ୍ରୁତତମ । ଅଧିନାୟକ ରୋହିତ ଶର୍ମା ୬୧, ଶୁଭମାନ ଗିଲ୍ ୫୧ ଓ ବିରାଟ କୋହଲି ୫୧ ରନ୍ କରିଥିଲେ। ବିଶ୍ୱକପରେ ଭାରତର ଟପ୍ ୫ ବ୍ୟାଟର୍ ଅର୍ଦ୍ଧଶତକ ହାସଲ କରିବା ଏହା ପ୍ରଥମ ଘଟଣା।

ଭାରତ ଚଳିତ ବିଶ୍ୱକପରେ ଏକମାତ୍ର ଦଳ ଭାବେ ଅପରାଜେୟ ରହି ଲିଗ୍ ପର୍ଯ୍ୟାୟ ଶେଷ କରିଛି। ରୋହିତଙ୍କ ଦଳ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ହେଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲା । ମୁମ୍ବାଇରେ ନଭେମ୍ବର ୧୫ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲରେ ଦୁଇ ଦଳ ମୁହାଁମୁହିଁ ହେବେ । କ୍ରମାଗତ ଦ୍ବିତୀୟ ଥର ବିଶ୍ବକପ୍ ସେମିଫାଇନାଲରେ ପରସ୍ପରକୁ ଭେଟିବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ୨୦୧୯ ବିଶ୍ବକପରେ ଉଭୟ ଟିମ୍ ମଧ୍ୟରେ ସେମିଫାଇନାଲ ଲଢ଼େଇରେ ନ୍ୟୁଜିଲ୍ୟାଣ୍ଡ ବାଜି ମାରିନେଇଥିଲା । ଏବେ ଭାରତ ଉକ୍ତ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ ।

Comments are closed.