ପ୍ରଥମ ଟି୨୦ରେ ଭାରତର ରୋମାଞ୍ଚକ ବିଜୟ, ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ହରାଇଲା

ଜୟପୁର: ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଅଧିନାୟକ ରୋହିତ ଶର୍ମାଙ୍କ ଉପଯୋଗୀ ଇନିଂସ୍ ସହାୟତାରେ ଭାରତ ବୁଧବାର ଏଠାରେ ଅନୁଷ୍ଠିତ ରୋମାଞ୍ଚକ ପ୍ରଥମ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ହରାଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା । ଏହାର ଜବାବରେ ଭାରତ ୨ଟି ବଲ୍ ବାକିଥାଇ ବିଜୟଲକ୍ଷ୍ୟରେ ପହଞ୍ଚିଥିଲା । ଭାରତ ଏକଦା ବିଜୟ ଆଡ଼କୁ ଅଗ୍ରସର ହେଉଥିଲା । ତେବେ ୧୭ତମ ଓଭରରେ ସୂର୍ଯ୍ୟକୁମାର ଆଉଟ୍ ହୋଇଯିବା ପରେ ମ୍ୟାଚରେ ରୋମାଞ୍ଚ ଭରିଯାଇଥିଲା । ଶେଷ ଓଭରରେ ଭାରତକୁ ବିଜୟ ପାଇଁ ୧୦ ରନ୍ ଆବଶ୍ୟକ ହେଉଥିଲା । ଡେବ୍ୟୁଟାଣ୍ଟ ଭେଙ୍କଟେଶ ଆୟର ପ୍ରଥମ ବଲରେ ଏକ ଚୌକା ମାରିଥିଲେ । ତା’ ପୂର୍ବରୁ ଡାରିଲ ମିଚେଲଙ୍କ ପ୍ରଥମ ବଲ୍ ୱାଇଡ୍ ହୋଇଥିଲା । ତେବେ ଆୟର ଦ୍ୱିତୀୟ ବଲରେ ଆଉଟ୍ ହୋଇଯାଇଥିଲେ । ହେଲେ ରିଷଭ ପନ୍ତ ଚତୁର୍ଥ ବଲରେ ଏକ ଚୌମା ମାରି ଔପଚାରିକତା ପୂରଣ କରିଥିଲେ ।

ଭାରତ ପକ୍ଷରୁ ସୂର୍ଯ୍ୟକୁମାର ୪୦ଟି ବଲରେ ୬ଟି ଚୌକା ଓ ୩ଟି ଛକା ସହ ସର୍ବାଧିକ ୬୨ ରନ୍ କରିଥିବା ବେଳେ ରୋହିତ ୩୬ ବଲରେ ୫ଟି ଚୌକା ଓ ୨ଟି ଛକା ବଳରେ ୪୮ ରନ୍ କରିଥିଲେ । କେଏଲ୍ ରାହୁଲ ୧୫ ଓ ଶ୍ରେୟାସ ଆୟର ୫ ରନ୍ କରି ଆଉଟ୍ ହୋଇଥିଲେ । ରିଷଭ ପନ୍ତ ୧୭ ରନ୍ କରି ଅପରାଜିତ ଥିଲେ । ଏହି ବିଜୟ ସହ ଭାରତ ତିନି ମ୍ୟାଚ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରର ତୃତୀୟ ବଲରେ ଭୁବନେଶ୍ୱର କୁମାର ନ୍ୟୁଜିଲ୍ୟାଣ୍ଡର ଇନଫର୍ମ ଓପ୍ନର ଡାରିଏଲ୍ ମିଚେଲ (୦)ଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଏହା ପରେ ଗପ୍ଟିଲଙ୍କ ସାଥ୍ ଦେବାକୁ ଆସିଥିଲେ ମାର୍କ ଚାପମ୍ୟାନ୍। ଦୁହେଁ ଦୃଢ଼ତାର ସହ ଭାରତୀୟ ବୋଲିଂ ଆଟାକକୁ ସାମ୍ନା କରିଥିଲେ।

ଗପ୍ଟିଲ ଓ ଚାପମ୍ୟାନ୍ ଦ୍ୱିତୀୟ ୱିକେଟ୍ ପାଇଁ ୧୦୯ ରନର ଶତକୀୟ ଭାଗିଦାରୀ କରି ନ୍ୟୁଜିଲ୍ୟାଣ୍ଡକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଚାପମ୍ୟାନ୍ ୪୫ ବଲରେ ଓ ଗପ୍ଟିଲ ୩୧ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ସେଟ୍ ଯୋଡ଼ିବାକୁ ଭାଙ୍ଗିଲେ ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍। ଚାପମ୍ୟାନ୍ ୬୩ (୫୦ ବଲ୍, ୬ ଚୌକା, ୨ ଛକା) ରନ କରି ଅଶ୍ୱିନଙ୍କ ବଲରେ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଗ୍ଲେନ୍ ଫିଲିପ୍ସ ମାତ୍ର ୩ ବଲର ସାମ୍ନା କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ମଧ୍ୟ ଅଶ୍ୱିନ୍ ପ୍ୟାଭିଲିୟନ୍ ପଠାଇଥିଲେ।

ଏହା ପରେ ଗପ୍ଟିଲ ଦ୍ରୁତ ରନ୍ କରି ଦଳକୁ ମଜଭୁତ୍ ସ୍କୋର ଆଡ଼କୁ ନେଇଥିଲେ। କିନ୍ତୁ ଅଷ୍ଟାଦଶ ଓଭରରେ ଦୀପକ ଚହର ତାଙ୍କୁ ଆଉଟ୍ କରି ଭାରତକୁ ନିର୍ଣ୍ଣାୟକ ବ୍ରେକଥ୍ରୁ ଦେଇଥିଲେ। ଗପ୍ଟିଲ ୪୨ ବଲର ସାମ୍ନା କରି ୭୨ ରନ୍ କରିଥିଲେ, ଯେଉଁଥିରେ ୩ ଚୌକା ଓ ୪ ଛକା ସାମିଲ୍ ଥିଲା। ତାଙ୍କ ଆଉଟ୍ ପରେ ଭ୍ରମଣକାରୀ ଦଳର ରନ୍ ଗତି ହ୍ରାସ ପାଇଥିଲା। ଯେଉଁ କାରଣରୁ କିୱି ଟିମ୍ ୧୬୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ଶେଷ ୧୬ ବଲରେ ମାତ୍ର ୧୧ ରନ୍ କରିଥିଲା। ଟିମ୍ ସିଫର୍ଟ ୧୨ ଓ ରଚିନ୍ ରବୀନ୍ଦ୍ର ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ମିଚେଲ୍ ସାଣ୍ଟନର୍ ୪ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ଅଶ୍ୱିନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Comments are closed.