କୋହଲି କମାଲ: ପାକିସ୍ତାନ ବିପକ୍ଷରେ ଭାରତର ରୋମାଞ୍ଚକ ବିଜୟ

ମେଲବୋର୍ଣ୍ଣ: ଟି-୨୦ ବିଶ୍ୱକପରେ ରବିବାର ହାଇ ଭୋଲଟେଜ୍ ସୁପର-୧୨ ମ୍ୟାଚରେ ଭାରତ ୪ ୱିକେଟରେ ପାକିସ୍ତାନକୁ ହରାଇ ଅଭିଯାନ ଆରମ୍ଭ କରିଛି | ଏହି ବିଜୟ ସହ ଟିମ୍ ଇଣ୍ଡିଆ ଗତ ବିଶ୍ୱକପରେ ପରାଜୟର ମଧୁର ପ୍ରତିଶୋଧ ନେବା ସହ ନିଜ ଫ୍ୟାନମାନଙ୍କୁ ଦୀପାବଳି ଉପହାର ଦେଇଛି । ଭାରତର ଏହି ରୋମାଞ୍ଚକର ବିଜୟରେ ବିରାଟ କୋହଲି ଥିଲେ ନାୟକ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତ ସମ୍ମୁଖରେ ୧୬୦ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଏହାର ଜବାବରେ ଭାରତୀୟ ଦଳ ମାତ୍ର ୩୧ ରନରେ ୪ଟି ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । କେଏଲ୍ ରାହୁଲ(୪) ଓ ଅଧିନାୟକ ରୋହିତ ଶର୍ମା (୪) ଶୀଘ୍ର ଆଉଟ୍ ହୋଇଯାଇଥିଲେ । ସୂର୍ଯ୍ୟକୁମାର ଯାଦବ(୧୫) ମଧ୍ୟ ବେଶି ସମୟ ତିଷ୍ଠି ପାରିନଥିଲେ । ବ୍ୟାଟିଂ କ୍ରମରେ ଆଗୁଆ ଆସିଥିବା ଅକ୍ଷର ପଟେଲ (୨) ରନ୍ ଆଉଟ୍ ହୋଇଯିବା ପରେ ଭାରତ ବଡ଼ ଅସୁବିଧାରେ ପଡ଼ିଥିଲା । ତେବେ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ଶେଷ ବଲରେ ନାଟକୀୟ ବିଜୟ ହାସଲ କରି ଗତ ବିଶ୍ବକପ ପରାଜୟର ବଦଲା ନେଇଥିଲା । କୋହଲି ୫୩ ବଲରେ ୬ଟି ଚୌକା ଓ ୪ଟି ଛକା ସହ ଅପରାଜିତ ୮୨ ରନ୍ କରିଥିଲେ । ପଞ୍ଚମ ଓ୍ବିକେଟରେ ହାର୍ଦ୍ଦିକ ପାଣ୍ଡ୍ୟା(୪୦)ଙ୍କ ସହ କୋହଲି ୧୧୩ ରନର ଭାଗିଦାରୀ କରିଥିଲେ, ଯାହା ଭାରତର ବିଜୟରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା ।

ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଇଫତିକର ଅହମ୍ମଦ(୫୧) ଓ ଶାନ୍ ମାସୁଦ୍(୫୨)ଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା । ଭାରତ ତରଫରୁ ଅର୍ଶଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Comments are closed.