ଚତୁର୍ଥ ଟି-୨୦: ଦକ୍ଷିଣ ଆଫ୍ରିକାକୁ ୮୨ ରନରେ ହରାଇ ସିରିଜ୍ ବରାବର କଲା ଟିମ୍ ଇଣ୍ଡିଆ

ରାଜକୋଟ : ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ଭାରତ ଏଠାରେ ଶୁକ୍ରବାର ଅନୁଷ୍ଠିତ ଚତୁର୍ଥ ଟି୨୦ରେ ଦକ୍ଷିଣ ଆଫ୍ରିକାକୁ ୮୨ ରନରେ ଧରାଶାୟୀ କରିଛି । ଏକଦା ୦-୨ରେ ପଛୁଆ ରହିଥିବା ଭାରତ ଏହି ବୃହତ ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୨ କରିଛି ।

ସିରିଜରେ କ୍ରମାଗତ ଚତୁର୍ଥ ଥର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଟପ୍ ଅର୍ଡର ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ହେଲେ କମବ୍ୟାକ୍ ମ୍ୟାନ୍ କାର୍ତ୍ତିକ ନିଜର ପ୍ରଥମ ଟି୨୦ ଅର୍ଦ୍ଧଶତକ ସହ ଭାରତକୁ ଉଦ୍ଧାର କରିଥିଲେ । କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପଯୋଗୀ ପାଳି ସହାୟତାରେ ଭାରତ ୬ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ୧୭୦ ରନର ବିଜୟ ଲକ୍ଷ୍ୟ ଜବାବରେ ୧୬.୫ ଓଭରରେ ମାତ୍ର ୮୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ୍ ବି ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ରାସି ଭାନ୍ ଡର୍ ଡୁସେନ୍ ସର୍ବାଧିକ ୨୦ ରନ୍ କରିଥିବା ବେଳେ କ୍ୱିଣ୍ଟନ ଡି’ କକ୍ ୧୪ ରନ୍ କରିଥିଲେ । ଅଧିନାୟକ ତେମ୍ବା ବାଭୁ ମା ୮ ରନ୍ କରି ରିଟାୟର ହର୍ଟ ହୋଇଥିଲେ । ଭାରତ ପକ୍ଷରୁ ଯୁବ ପେସର ଅବେଶ ଖାନ ୧୮ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ସ୍ପିନର ୟୁଜବେନ୍ଦ୍ର ଚହଲ ୨ଟି ୱିକେଟ୍ ହାସଲ କରିଥିବା େବେଳ ହର୍ଷଲ ପଟେଲ୍ ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ ରବିବାର ବେଙ୍ଗାଲୁରୁରେ ଖେଳାଯିବ ।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା। ଦଳୀୟ ସ୍କୋର୍‌ ୧୩ ରନ୍‌ ହୋଇଥିବା ବେଳେ ଭାରତ ପ୍ରଥମ ୱିକେଟ ହରାଇଥିଲା ।ଗାଏକଓ୍ଵାଡ(୫) ଶୀଘ୍ର ପାଭିଲିୟନ ଫେରିଥିଲେ । ତେବେ ଇଶାନ କିଶାନ ବଡ଼ ସଟ୍‌ ଖେଳିବା ଜାରି ରଖିଥିଲେ । ସେ କ୍ରିକେଟରେ ଜମି ଆସୁଥିବା ବେଳେ ନୋର୍କିଆଙ୍କ ବଲ୍‌ରେ ଆଉଟ ହୋଇଥିଲେ । କିଶାନ ୨୬ଟି ବଲରେ ୩ଟି ଚୌକା ଏବଂ ଗୋଟିଏ ଛକା ସହ ୨୭ ରନ୍ କରି ଆଉଟ୍ ହୋଇଥିଲେ । ଶ୍ରେୟସ ଆୟର(୪) ମଧ୍ୟ ଶସ୍ତାରେ ଆଉଟ ହୋଇଥିଲେ । ସେପଟେ ଋଷଭ ପନ୍ତଙ୍କ ସାଧାରଣ ପ୍ରଦର୍ଶନ ଚତୁର୍ଥ ମ୍ୟାଚ୍‌ରେ ବି ଜାରି ରହିଥିଲା । ସେ ମାତ୍ର ୧୭ ରନ୍‌ କରି ପାରିଥିଲେ ।

୧୨.୫ ଓଭରରେ ୮୧ ରନରେ ୪ ଓ୍ଵିକେଟ୍ ହରାଇ ଭାରତ ଅସୁବିଧାରେ ପଡ଼ିଥିଲେ । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦିନେଶ କାର୍ତ୍ତିକ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ । ଦୁଇ ବ୍ୟାଟସମ୍ୟାନ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ। ସେଟ୍ ହେବା ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଊଭୟ ପଞ୍ଚମ ଓ୍ଵିକେଟରେ ୬୫ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୧ ବଲରୁ ୩ଟି ଲେଖାଏଁ ଛକା ଏବଂ ଚୌକା ସହ ୪୬ ରନ କରିଥିଲେ। ଆଇପିଏଲର ଦମଦାର ଫର୍ମକୁ ବଜାୟ ରଖି ଦିନେଶ କାର୍ତ୍ତିକ ଟି-୨୦ ଅନ୍ତର୍ଜାତୀୟ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୭ ବଲରୁ ୯ ଚୌକା ଏବଂ ୨ ଛକା ସହ ୫୫ ରନର ଦମଦାର ଇନିଂସ ଖେଳିଛନ୍ତି। କାର୍ତ୍ତିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୯ ରନ କରିବାକୁ ସମର୍ଥ ହୋଇଥିଲା।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ଦୁଇଟି ୱିକେଟ ନେଇଥିବା ବେଳେ ଜାନସେନ, ପ୍ରିଟୋରିଅସ୍‌, ନୋର୍କିଆ, ମହାରାଜ, ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Comments are closed.