ସ୍ପିନରଙ୍କ ଯାଦୁକରୀ ପ୍ରଦର୍ଶନ, ଭାରତ ୨-୧ରେ ସିରିଜ୍ ଜିତିଲା

ନୂଆଦିଲ୍ଲୀ: ସ୍ପିନରଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ଏକତରଫା ଭାବେ ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ହରାଇଛି । ଏଥିସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି।

ଟିମ୍ ଇଣ୍ଡିଆ ଅଧିନାୟକ ଶିଖର ଧାୱନ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭାରତୀୟ ସ୍ପିନରଙ୍କ ମ୍ୟାଜିକ ଆଗରେ ସଂଘର୍ଷ କରି ଦକ୍ଷିଣ ଆଫ୍ରିକା ମାତ୍ର ୨୭.୧ ଓଭରର ମାତ୍ର ୯୯ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଏହା ସର୍ବନିମ୍ନ ସ୍କୋର୍ ଥିଲା ।

ଭାରତ ତରଫରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ଓ୍ବିକେଟ୍ ନେଇଥିବା ବେଳେ ଡେବୁଟାଣ୍ଟ ଶାହାବାଜ ଅହମ୍ମଦ ଏବଂ ୱାଶିଂଟନ୍ ସୁନ୍ଦର ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ ।

୧୦୦ ରନର ବିଜୟଲକ୍ଷ୍ୟକୁ ଭାରତ ୧୯.୧ ଓଭରରେ ହାସଲ କରି ନେଇଥିଲା । କ୍ୟାପଟେନ ଶିଖର ଧାଓ୍ବନ୍ (୮) ପୁଣି ନିରାଶ କରିଥିଲେ । ଇଶାନ କିଶନ (୧୦) ମଧ୍ୟ ଶସ୍ତାରେ ଆଉଟ୍ ହୋଇଥିଲେ । ହେଲେ ଶୁଭମାନ ଗିଲ ଓ ଗତ ମ୍ୟାଚର ହିରୋ ଶ୍ରେୟାସ ଆୟର ଭାରତୀୟ ଚେଜ୍ ଟ୍ରାକକୁ ଆଣିଥିଲେ । ବିଜୟ ପାଇଁ ଆଉ ୩ ରନ୍ ଆବଶ୍ୟକ ହେଉଥିବା ବେଳେ ଗିଲ୍ ଆଉଟ୍ ହୋଇଯାଇଥିଲେ । ଏହି ଯୁବ ଓପନର ୫୭ ବଲରେ ୮ଟି ଚୌକା ସହ ୪୯ ରନ୍ କରି ଲୁଙ୍ଗି ନଗିଡିଙ୍କ ବଲରେ ଆଉଟ୍ ହୋଇଥିଲେ । ତେବେ ଆୟର ଓ ସଞ୍ଜୁ ସାମସନ ଔପଚାରିକତା ପୂରଣ କରିଥିଲେ । ଆୟର ୨୮ ଏବଂ ସାମସନ୍ ୨ ରନ୍ କରି ଅପରାଜିତ ରହିଥିଲେ ।

କୁଲଦୀପ ଯାଦବ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମହମ୍ମଦ ସିରାଜ୍ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ ।

Comments are closed.