ଭାରତ ଅଷ୍ଟମ ଥର ଏସିଆ କପ୍ ଚାମ୍ପିୟନ, ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇଲା

କଲମ୍ବୋ : ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇ ରେକର୍ଡ ଅଷ୍ଟମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି। ରବିବାର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ମାତ୍ର ଦୁଇ ଘଣ୍ଟାରେ  ଶେଷ ହୋଇଥିଲା । ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୧୫.୨ ଓଭରରେ କେବଳ ୫୦ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୬.୧ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା  । ଭାରତ ପକ୍ଷରୁ ଦୁଇ ଓପନର ଶୁଭମାନ ଗିଲ୍ ଓ ଇଶାନ କିଶନ ହିଁ ଔପଚାରିକତା ପୂରଣ କରିଥିଲେ । ଅଧିନାୟକ ରୋହିତ ଶର୍ମା ଇନିଂସ୍ ଓପନ୍ କରିନଥିଲେ । ଗିଲ୍ ୧୯ଟି ବଲରେ ୬ଟି ଚୌକା ସହ ୨୭ ଓ କିଶନ ୧୮ଟି ବଲରେ ୩ଟି ଚୌକା ସହ ୨୩ ରନ୍ କରି ଅପରାଜିତ ରହିଥିଲେ । ଭାରତ ପାଞ୍ଚ ବର୍ଷ ପରେ ଏସିଆ କପ୍ ଟାଇଟଲ ଜିତିଛି ।

ଦିନିକିଆରେ ଭାରତର ଏହା ହେଉଛି ଦ୍ରୁତତମ ବିଜୟ | ଭାରତ ଏହି ଏକତରଫା ଫାଇନାଲ ୨୬୩ ବଲ ବାକି ରହି ଜିତିଛି | ଏହାପୂର୍ବରୁ ଟିମ୍ ଇଣ୍ଡିଆ ୨୦୦୧ରେ କେନିଆକୁ ୨୩୧ ବଲ୍ ବାକିଥାଇ ପରାସ୍ତ କରିଥିଲା। ଦିନିକିଆରେ ଦ୍ରୁତତମ ବିଜୟ ରେକର୍ଡ ଶ୍ରୀଲଙ୍କା ନାଁରେ ରହିଛି। ଶ୍ରୀଲଙ୍କା ଦଳ ୨୦୦୧ରେ ଜିମ୍ବାୱେକୁ ୨୭୪ ବଲରେ ପରାସ୍ତ କରିଥିଲା। ତେବେ  ଦିନିକିଆ କ୍ରିକେଟ୍ ୬୦ ଓଭର ଥିବାବେଳେ ଇଂଲଣ୍ଡ ୧୯୭୯ରେ କାନାଡାକୁ ଏକ ମ୍ୟାଚରେ ୨୭୭ ବଲରେ ହରାଇଥିଲା।

ପୂର୍ବରୁ ମହମ୍ମଦ ସିରାଜ ନିଜ ଘାତକ ବୋଲିଂରେ ଶ୍ରୀଲଙ୍କାକୁ ଧରାଶାୟୀ କରିଥିଲେ । ସିରାଜ କ୍ୟାରିୟର ଶ୍ରେଷ୍ଠ‌ ପ୍ରଦର୍ଶନ ପୂର୍ବକ ୬ଟି ଓ୍ବିକେଟ୍ ନେଇଥିବା ବେଳେ ଶ୍ରୀଲଙ୍କା ଏସିଆ କପ୍ ଫାଇନାଲରେ ୧୫.୨ ଓଭରରେ ମାତ୍ର ୫୦ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ବିପକ୍ଷରେ କୌଣସି ଦଳର ଏହା ସର୍ବନିମ୍ନ ସ୍କୋର।

ମହମ୍ମଦ ସିରାଜ ୬ ଓ୍ବିକେଟ୍ ମଧ୍ୟରୁ ଗୋଟିଏ ଓଭରରେ ହିଁ ୪ଟି  ୱିକେଟ୍ ନେଇଥିଲେ  । ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ୱିକେଟ୍ ହାସଲ କରିଥିବା ବେଳେ ଜସପ୍ରୀତ ବୁମରା ଗୋଟିଏ ସଫଳତା ପାଇଥିଲେ ।

ଦିନିକିଆ କ୍ରିକେଟର ସବୁଠାରୁ କମ୍ ବଲରେ ୫ ୱିକେଟ୍ ନେଇ ମହମ୍ମଦ ସିରାଜ ବିଶ୍ୱ ରେକର୍ଡର ସମକକ୍ଷ ହୋଇଥିଲେ । ସିରାଜ୍ ୫ ୱିକେଟ୍ ମାତ୍ର ୧୬ଟି ବଲ ନେଇଥିଲେ। ଶ୍ରୀଲଙ୍କାର ପୂର୍ବତନ ବୋଲର ଚାମିଣ୍ଡା ଭାସ୍ ମଧ୍ୟ ୨୦୦୩ରେ ବାଂଲାଦେଶ ବିପକ୍ଷରେ ୧୬ଟି ବଲରେ ୫ ୱିକେଟ୍ ନେଇଥିଲେ।

Comments are closed.