ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କାକୁ ୨୩୮ ରନରେ ହରାଇଲା ଭାରତ, ଘରୋଇ ମାଟିରେ କ୍ରମାଗତ ୧୫ତମ ସିରିଜ ବିଜୟ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ମଧ୍ୟ ଭାରତ ତିନି ଦିନ ମଧ୍ୟରେ ଜିତିଛି । ଏହି ଦିବାରାତ୍ର ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୨୩୮ ରନରେ ହରାଇ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିଛି । ଶ୍ରୀଲଙ୍କା ଆଗରେ ଭାରତ ୪୪୭ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଏହାର ଜବାବରେ ଅଧିନାୟକ ଦିମୁଥ କରୁଣାରତ୍ନେଙ୍କ ଶତକ ସତ୍ତ୍ୱେ ଭ୍ରମଣକାରୀ ଦଳ ତୃତୀୟ ଦିନରେ ମାତ୍ର ୨୦୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।

ଶ୍ରୀଲଙ୍କା ପକ୍ଷରୁ କରୁଣାରତ୍ନେ ୧୦୭ ରନର ଲଢୁଆ ଇନିଂସ୍ ଖେଳିଥିବା ବେଳେ କୁଶଲ ମେଣ୍ଡିସ୍ ୫୪ ରନ୍ କରିଥିଲେ । ଏ ଦୁହିଁଙ୍କୁ ଛାଡ଼ିଦେଲେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ମୁକାବିଲା କରିପାରିନଥିଲେ । ଭାରତ ପକ୍ଷରୁ ଆର ଅଶ୍ୱିନ୍ ୪ ୱିକେଟ୍ ନେଇଥିବା ବେଳେ ଜସପ୍ରୀତ ବୁମ୍ରା ୩ଟି ୱିକେଟ୍ ହାସଲ କରିଥିଲେ। ଅକ୍ଷର ପଟେଲ ୨ଟି ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ପାଇଥିଲେ।

ଘରୋଇ ପଡ଼ିଆରେ ଏହା ଭାରତୀୟ ଦଳର କ୍ରମାଗତ ୧୫ତମ ଟେଷ୍ଟ ସିରିଜ୍ ବିଜୟ | ଭାରତ ଶେଷଥର ନଭେମ୍ବର ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍ ହାରିଥିଲା। ସେତେବେଳେ ମହେନ୍ଦ୍ର ସିଂ ଧୋନି ଦଳର ଅଧିନାୟକ ଥିଲେ। ସେବେଠାରୁ ଭାରତୀୟ ଦଳ କୌଣସି ଘରୋଇ ଟେଷ୍ଟ ସିରିଜ୍ ହାରିନାହିଁ।

ଏହାଛଡ଼ା ଭାରତ ତୃତୀୟ ଥର ପାଇଁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିଛି। ଏହାପୂର୍ବରୁ ୧୯୯୩-୯୪ ଏବଂ ୨୦୧୭ରେ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଶ୍ରୀଲଙ୍କାକୁ ୩-୦ରେ ପରାସ୍ତ କରିଥିଲା ​​|

Comments are closed.