କିଶନ, ଶ୍ରେୟସଙ୍କ ଧମାକା, ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୬୨ ରନରେ ହରାଇଲା ଭାରତ

ଲକ୍ଷ୍ନୌ: ଆଇପିଏଲ-୨୦୨୨ର ସବୁଠୁ ମହଙ୍ଗା ଖେଳାଳି ଇଶାନ କିଶନ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଭାରତ ଏଠାରେ ଗୁରୁବାର ଅନୁଷ୍ଠିତ ପ୍ରଥମ ଟି୨୦ରେ ଶ୍ରୀଲଙ୍କାକୁ ୬୨ ରନରେ ହରାଇଛି । ଟି୨୦ ଫର୍ମାଟରେ ଭାରତର ଏହା କ୍ରମାଗତ ଦଶମ ବିଜୟ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଶାନୁରୂପ ପ୍ରଦର୍ଶନ କରିନଥିବା କିଶନ ଶେଷରେ ନିଜ ଚମକ ଦେଜଖାଇଥିବା ବେଳେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୧୯୯ ରନର ବିଶାଳ ସ୍କୋର କରିଥିଲା । କିଶନଙ୍କ ସହ ଶ୍ରେୟସ ଆୟର ମଧ୍ୟ ଏକ ଧମାକାଦାର ପାଳି ଖେଳିଥିଲେ ।

ଭାରତ ପ୍ରଦତ୍ତ ୨୦୦ ରନର ବିଜୟଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ୬ ୱିକେଟ୍ ହରାଇ ମାତ୍ର ୧୩୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଚରିତ ଆସାଲଙ୍କା ହିଁ ଏକାକୀ ଲଢିଥିଲେ ମଧ୍ୟ ଭାରତକୁ ବିଜୟରୁ ବଞ୍ଚିତ କରିପାରିନଥିଲେ । ଆସାଲଙ୍କା ସର୍ବାଧିକ ୫୩ ରନ୍ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ଭେଙ୍କଟେଶ ଆୟର ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ । କିଶନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏହି ଜବରଦସ୍ତ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରୋହିତ୍ ଓ ଈଶାନ୍। ଦୁହେଁ ୩୨ ବଲରେ ଭାରତର ସ୍କୋରକୁ ୫୦ ରନରେ ପହଞ୍ଚାଇଥିଲେ। ପରେ ଈଶାନ୍ ନିଜର ଦ୍ୱିତୀୟ ଅର୍ଦ୍ଧଶତକ ମାତ୍ର ୩୦ ବଲରେ ପୂରଣ କରିଥିଲେ। ତେବେ ରୋହିତ୍ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ରୋହିତ୍ ଈଶାନଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୧୧୧ ରନର ଶତକୀୟ ଭାଗିଦାରୀ କରିଥିଲେ। ରୋହିତ୍ ୩୨ ବଲରେ ୨ ଚୌକା ଓ ୧ ଛକା ସହ ୪୪ ରନ୍ କରିଥିଲେ।

ରୋହିତଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶ୍ରେୟସଙ୍କୁ ସେଟ୍ ହେବା ପାଇଁ କିଛି ସମୟ ଲାଗିଥିଲା। କିନ୍ତୁ ସେଟ୍ ହେବା ପରେ ସେ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଅନ୍ୟପଟେ ଈଶାନ୍ ନିଜର ବ୍ୟାଟିଂ ଜାରି ରଖି ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଭ୍ରମଣକାରୀ ଦଳର କ୍ୟାପଟେନ୍ ଦାସୁନ୍ ଶନକାଙ୍କ ବଲରେ ଆଉଟ୍ ହୋଇଯାଇଥିଲେ। ଏଥିସହ ଈଶାନ୍ ୧୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେ ମାତ୍ର ୫୬ ବଲର ସାମ୍ନା କରି ୮୯ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୦ ଚୌକା ଓ ୩ ଛକା ସାମିଲ୍ ଥିଲା। ଆୟର୍ ମାତ୍ର ୨୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୨୮ ବଲରେ ୫ ଚୌକା ଓ ୨ ଛକା ସହ ୫୭ ଓ ରବୀନ୍ଦ୍ର ଜାଡେଜା ୩ ରନ୍ କରି ଅପରାଜିତ ଥିଲେ।

Comments are closed.