୧୯ ବର୍ଷରୁ କମ୍ ଏସିଆ କପ୍: ଶ୍ରୀଲଙ୍କାକୁ ହରାଇ ଭାରତ ରେକର୍ଡ ଅଷ୍ଟମ ଥର ଚାମ୍ପିୟନ

ଦୁବାଇ: ଭାରତ ପୁଣି ୧୯ ବର୍ଷରୁ କମ୍ ଏସିଆ କପରେ ଆଧିପତ୍ୟ ଜାହିର କରିଛି । ଶୁକ୍ରବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ବର୍ଷା ପ୍ରଭାବିତ ଫାଇନାଲରେ ଶ୍ରୀଲଙ୍କାକୁ ୯ ୱିକେଟରେ ହରାଇ ଭାରତ ରେକର୍ଡ ଅଷ୍ଟମ ଥର ପାଇଁ ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଭାରତୀୟ ବୋଲରଙ୍କ ଆଗରେ ସଂଘର୍ଷ କରିଥିଲା । ଶ୍ରୀଲଙ୍କା ୩୩ ଓଭରରେ ୭ ୱିକେଟ୍ ହରାଇ ୭୪ ରନ୍ କରିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ଦୁଇ ଘଣ୍ଟା ଧରି ଖେଳ ବନ୍ଦ ରହିଥିଲା । ବର୍ଷା ବିରତି ପରେ ମ୍ୟାଚକୁ ୩୮ ଓଭରକୁ ହ୍ରାସ କରାଯାଇଥିଲା । ଶ୍ରୀଲଙ୍କା ୩୮ ଓଭରରେ ୯ ୱିକେଟ୍ ହରାଇ ୧୦୬ ରନ୍ କରିଥିଲା । ଡକୱର୍ଥ ଲୁଇସ୍ ନିୟମାନୁସାରେ ଭାରତ ପାଇଁ ୩୮ ଓଭରରେ ୧୦୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏହାର ଜବାବରେ ଭାରତ ମାତ୍ର ୨୧.୩ ଓଭରରେ ଗୋଟିଏ ୱିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ଓପନର ଅଙ୍ଗକ୍ରିଶ ରଘୁବଂଶୀ ୬୭ ବଲରେ ଅପରାଜିତ ୫୬ ରନ କରିଥିଲେ । ଶେକ୍ ରସୀଦ୍ ମଧ୍ୟ ୩୧ ରନ୍ କରି ନଟ୍ ଆଉଟ୍ ରହିଥିଲେ । ଭାରତ କେବଳ ହରନୂର ସିଂ (୫)ଙ୍କ ୱିକେଟ୍ ହରାଇଥିଲା ।

ଭାରତୀୟ ଦଳ କ୍ରମାଗତ ତୃତୀୟ ଏବଂ ମୋଟ ଅଷ୍ଟମ ଥର ପାଇଁ ୧୯ ବର୍ଷରୁ କମ୍ ଏସିଆ କପ୍ ଉପରେ କବଜା କରିଛି । ଭାରତ ସଦ୍ୟ ସମାପ୍ତ ସଂସ୍କରଣରେ କେବଳ ପାକିସ୍ତାନ ଠାରୁ ଲିଗ୍ ପର୍ଯ୍ୟାୟରେ ପରାସ୍ତ ହୋଇଥିଲା । ସେହି ମ୍ୟାଚକୁ ଛାଡ଼ି ଭାରତ ଫାଇନାଲ ସହ ସବୁ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ପୂର୍ବକ ପୁଣିଥରେ ଚାମ୍ପିୟନ ମୁକୁଟ ପିନ୍ଧିଛି । ଭାରତ ୨୦୧୨ରେ ପାକିସ୍ତାନ ସହ ଯୁଗ୍ମ ବିଜେତା ହୋଇଥିଲା । ଏସିଆ କପ୍ ଟାଇଟଲ୍ ସହ ଭାରତ ଜାନୁୟାରୀ ୧୪ରୁ ୱେଷ୍ଟଇଣ୍ଡିଜରେ ଆରମ୍ଭ ହେଉଥିବା ଅଣ୍ଡର-୧୯ ବିଶ୍ୱକପ ପାଇଁ ଅଣ୍ଟା ଭିଡ଼ିଛି ।
ଫାଇନାଲରେ ଶ୍ରୀଲଙ୍କା ପ୍ରଦତ୍ତ ୧୦୨ ରନର ବିଜୟଲକ୍ଷ୍ୟ ଜବାବରେ ଭାରତ ଟୁର୍ଣ୍ଣାମେଣ୍ଟର ଅଗ୍ରଣୀ ସ୍କୋରର ହରନୂର ସିଂଙ୍କ ୱିକେଟ୍ ଶୀଘ୍ର ହରାଇଥିଲା । ତେବେ ରଘୁବଂଶୀ ଓ ଶେଖ ରସିଦ୍ ଶ୍ରୀଲଙ୍କାକୁ ଆଉ କୌଣସି ସୁଯୋଗ ନ ଦେଇ ଔପଚାରିକତା ପୂରଣ କରିଥିଲେ । ବିଶେଷକରି ରଘୁବଂଶୀ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ । କିନ୍ତୁ ପରେ ସେ ଆତ୍ମବିଶ୍ୱାସର ସହ ପ୍ରଦର୍ଶନ କରି ଚମତ୍କାର ସଟମାନ ଖେଳିଥିଲେ । ରଘୁବଂଶୀଙ୍କ ଇନିଂସରେ ୬ଟି ଚୌକା ସାମିଲ ଥିଲା । ତାଙ୍କୁ ରସିଦ୍ ଉପଯୁକ୍ତ ସହାୟତା କରିଥିଲେ ।

ପୂର୍ବରୁ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଭାରତୀୟ ବୋଲର ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଭାବ ବିସ୍ତାର କରି ଦଳକୁ ନିୟମିତ ବ୍ୟବଧାନରେ ୱିକେଟ୍ ଦେଇଥିଲେ । ଭାରତୀୟ ବୋଲରଙ୍କ ଘାତକ ପ୍ରଦର୍ଶନ ଆଗରେ ତିଷ୍ଠି ନ ପାରି ଶ୍ରୀଲଙ୍କା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ପକ୍ଷରୁ କେଳ ତିନି ଜଣ ବ୍ୟାଟ୍ସମ୍ୟାନ୍ ହିଁ ଦୁଇଅଙ୍କ ଛୁଇଁବାକୁ ସମର୍ଥ ହୋଇଥିଲେ । ଦଳ ପକ୍ଷରୁ ୟାସିରୁ ରଡ୍ରିଗୋ ୧୯ ରନ୍ କରିଥିବା ବେଳେ ରବୀନ ଡି’ସିଲଭା ୧୫ ଓ ମାଥିସା ପାଥିରାନା ୧୪ ରନ୍ କରିଥିଲେ । ଭାରତ ତରଫରୁ ଭିକି ଓସୱାଲ ୩ଟି ୱିକେଟ୍ ହାସଲ କରିଥିବା ବେଳେ କୌଶଲ ତାମ୍ବେ ୨ଟି ୱିକେଟ୍ ନେଇଥିଲେ । ରାଜବର୍ଦ୍ଧନ ହଙ୍ଗ୍ରେକର, ରବି କୁମାର ଓ ରାଜ ବାୱା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

Comments are closed.