୧୦୦୦ତମ ଦିନିକିଆରେ ଭାରତର ଦମଦାର ବିଜୟ, ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଦମଦାର ବିଜୟ ସହ ଭାରତ ନିଜ ୧୦୦୦ତମ ଦିନିକିଆ ମ୍ୟାଚକୁ ସ୍ମରଣୀୟ କରିଛି । ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ତିନି ମ୍ୟାଚ୍ ସିରିଜର ପ୍ରଥମ ଦିନିକିଆରେ ଭାରତ ୬ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଛି । ଏହି ସହଜ ବିଜୟ ସହ ରୋହିତ ଦିନିକିଆ ଅଧିନାୟକ ଭାବେ ନିଜ ଇନିଂସ୍ ଆରମ୍ଭ କରିଥିବା ବେଳେ ତିନି ମ୍ୟାଚ୍ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । ଅଧିନାୟକ ଭାବେ ରୋହିତ ମଧ୍ୟ ନିଜ ପ୍ରଥମ ମ୍ୟାଚରେ ଏକ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରି ଦଳର ଚେଜକୁ ସୁଗମ କରିଥିଲେ । ଭାରତର ଏହା ୧୦୦୦ତମ ଦିନିକିଆ ଥିଲା । ଏବଂ ବିଜୟ ସହ ଏହି ମାଇଲଖୁଣ୍ଟ ମ୍ୟାଚକୁ ରୋହିତଙ୍କ ଦଳ ଆହୁରି ସ୍ୱତନ୍ତ୍ର କରିଛି । ଭାରତ ବିଶ୍ୱର ପ୍ରଥମ ଦଳ ଭାବେ ୧୦୦୦ତମ ଦିନିକିଆ ଖେଳିଥିଲା ।

ନୂଆ ସ୍ପିନ୍ ଯୋଡ଼ି ୟୁଜବେନ୍ଦ୍ର ଚହଲ ଓ ୱାଶିଂଟନ ସୁନ୍ଦରଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଭାରତ ପ୍ରଥମେ ୱେଷ୍ଟଇଣ୍ଡିଜକୁ ୪୩.୫ ଓଭରରେ ୧୭୬ ରନରେ ଅଲଆଉଟ୍ କରିଦେଇଥିଲା । ଏହାର ଜବାବରେ ରୋହିତଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ଓ ସୂର୍ଯ୍ୟକୁମାର ଯାଦବଙ୍କ ଦ୍ରୁତ ପାଳି ବଳରେ ଭାରତ ମାତ୍ର ୨୮ ଓଭରରେ ୪ ୱିକେଟ୍ ହରାଇ ବିଜୟଲକ୍ଷ୍ୟରେ ପହଞ୍ଚିଥିଲା । ଦଳ ପକ୍ଷରୁ ରୋହିତ କେବଳ ୫୧ଟି ବଲରେ ୧୦ଟି ଚୌକା ଓ ଗୋଟିଏ ଛକା ସହ ୬୦ ରନ୍ କରିଥିବା ବେଳେ ତାଙ୍କ ସହ ଇନିଂସ୍ ଓପନ୍ କରିଥିବା ଇଶାନ କିଶାନ ୨୮ ରନ୍ କରିଥିଲେ । ପୂର୍ବତନ ଅଧିନାୟକ ବିରାଟ କୋହଲି ମାତ୍ର ୯ ରନ୍ କରି ଆଉଟ୍ ହୋଇଥିବା ବେଳେ ରିଷଭ ପନ୍ତ ୧୧ ରନ୍ କରିଥିଲେ । ସୂର୍ଯ୍ୟକୁମାର ଯାଦବ ୩୫ ବଲରେ ୫ଟି ଚୌକା ସହ ୩୪ ରନ୍ କରି ଅପରାଜିତ ରହିଥିଲେ । ଏହି ମ୍ୟାଚରେ ନିଜ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଦୀପକ ହୁଡା ବି ୨୬ ରନ୍ କରି ନଟ୍ ଆଉଟ୍ ରହିଥିଲେ ।

ପୂର୍ବରୁ ରୋହିତ୍ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୱେଷ୍ଟଇଣ୍ଡିଜ୍ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦୁଇ ଓପ୍ନର ଶାଇ ହୋପ୍ (୮) ଓ ବ୍ରାଣ୍ଡନ୍ କିଙ୍ଗ୍ (୧୩) ନିରାଶ କରିଥିଲେ। ଡାରେନ୍ ବ୍ରାଭୋ (୧୮) ଓ ଶାମରା ବ୍ରୁକ୍ସ (୧୨) ମଧ୍ୟ କିଛି ଖାସ୍ କରିପାରିନଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ନିକୋଲାସ୍ ପୁରନ୍ ୧୮ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। କ୍ୟାପଟେନ୍ କାଇରନ୍ ପୋଲାର୍ଡ କ୍ରିଜକୁ ଆସିବା ମାତ୍ରକେ ପ୍ୟାଭିଲିୟନ୍ ଫେରିଥିଲେ। ଚହଲଙ୍କ ଗୁଗଲୀଙ୍କୁ ବୁଝି ନପାରି ପୋଲାର୍ଡ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ପରେ ଅକିଲ୍ ହୋସେନ୍ ମଧ୍ୟ ଖାତା ଖୋଲିପାରିନଥିଲେ। ଏହିପରି ଏକ ସମୟରେ ଭ୍ରମଣକାରୀ ଦଳ ୭୯ ରନରେ ୭ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା ବେଳେ ଜେସନ୍ ହୋଲ୍ଡର ଓ ଫାବିଆନ୍ ଆଲେନ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୭୮ ରନର ଲଢ଼ୁଆ ଭାଗିଦାରୀ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

ଏହି ସେଟ୍ ଯୋଡ଼ିକୁ ୱାଶିଂଟନ୍ ସୁନ୍ଦର ଭାଙ୍ଗିଥିଲେ। ଆଲେନ୍ ବ୍ୟକ୍ତିଗତ ୨୯ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ପରେ ପରେ ଅର୍ଦ୍ଧଶତକ ମାରିଥିବା ହୋଲ୍ଡର ମଧ୍ୟ ପ୍ୟାଭିଲିୟନ୍ ଫେରିଥିଲେ। ହୋଲ୍ଡର ୭୧ ବଲର ସାମ୍ନା କରି ୪ ଛକା ସହ ୫୭ ରନ୍ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। ଶେଷ ୱିକେଟ୍ ଭାବେ ଅଲଜାରୀ ଜୋସେଫ୍ (୧୩)ଙ୍କୁ ଚହଲ୍ ପ୍ୟାଭିଲିୟନ୍ ପଠାଥିଲେ। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ଟି ଓ ୱାଶିଂଟନ୍ ସୁନ୍ଦର ୩ଟି ୱିକେଟ୍ ହାସଲ କରିଥିଲେ।

Comments are closed.