ପ୍ରଥମ ଟି-୨୦: ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା ଭାରତ

କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆ ତାର ବିଜୟ ଧାରା ଅବ୍ୟାହତ ରଖିଛି । ଦିନିକିଆ ସିରିଜକୁ କ୍ଲିନ୍ ସୁଇପ୍ କରିବା ପରେ ବୁଧବାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ବି ଭାରତ ଜିତିଛି । ଭାରତ ୬ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ତିନି ମ୍ୟାଚ୍ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ଟସ୍ ହାରି ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ନିକୋଲାସ ପୁରାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୭ ରନ୍ କରିଥିଲା । ଏହାର ଜବାବରେ ଭାରତ ୭ଟି ବଲ୍ ବାକିଥାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ମାତ୍ର ୧୯ଟି ବଲରେ ୪ଟି ଚୌକା ଓ ୩ଟି ଛକା ସହ ଧୂଆଁଧାର ୪୦ ରନ୍ କରିଥିବା ବେଳେ ନିକଟରେ ଆଇପିଏଲ ନିଲାମରେ ସବୁଠୁ ମହଙ୍ଗା ଖେଳାଳି ହୋଇଥିବା ଇଶାନ କିଶନ ୪୨ଟି ବଲରେ ୩୫ ରନ୍ କରିଥିଲେ । ଉଭୟ ପ୍ରଥମ ୱିକେଟରେ ୬୪ ରନ୍ ଯୋଗକରି ଭାରତକୁ ଏକ ଭଲ ଷ୍ଟାର୍ଟ ଦେଇଥିଲେ । ଏ ଦୁହିଁଙ୍କ ୱିକେଟ୍ ପରେ ଭାରତର ରନ୍ ଗତି ସାମାନ୍ୟ ଧିମେଇ ଯାଇଥିଲା । ବିରାଟ କୋହଲି (୧୭) ଖରାପ ଫର୍ମ ଜାରି ରହିଥିଲା । ରିଷଭ ପନ୍ତ ଧ୍ୟ ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ହେଲେ ସୂର୍ଯ୍ୟକୁମାର ଯାଦବ ଓ ଯୁବ ଅଲରାଉଣ୍ଡର ଭେଙ୍କଟେଶ ଆୟର ୱେଷ୍ଟଇଣ୍ଡିଜକୁ ଆଉ କୌଣସି ସୁଯୋଗ ନ ଦେଇ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ । ସୂର୍ଯ୍ୟକୁମାରା ୧୮ଟି ବଲରେ ୫ଟି ଚୌକା ଓ ଗୋଟିଏ ଛକା ସହ ୩୪ ରନ୍ କରି ଅପରାଜିତ ରହିଥିବା ବେଳେ ତାଙ୍କ ସହ ଭେଙ୍କଟେଶ ୧୩ଟି ବଲରେ ୨୪ ରନ୍ କରି ନଟ୍ ଆଉଟ୍ ଥିଲେ ।

ପୂର୍ବରୁ ଟସ୍‌ ଜିତି ରୋହିତ ଶର୍ମା ପ୍ରଥମେ ଇଣ୍ଡିଜ ଟିମ୍‌କୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ପ୍ରଥମ ଓଭରରେ ଅଭିଜ୍ଞ ଭୁବନେଶ୍ୱର କୁମାର ୪ ରନ୍‌ କରିଥିବା ବ୍ରାଣ୍ଡନ କିଙ୍ଗଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହାପରେ କାୟେଲ ମେୟର୍ସ ଓ ପୁରନ ସ୍ଥିତି ସମ୍ଭାଳିଥିଲେ।

ଉଭୟ ଦ୍ୱିତୀୟ ୱିକେଟ ପାଇଁ ୪୭ ରନ୍ ଯୋଡ଼ି ଥିଲେ। ଦଳୀୟ ସ୍କୋର ୫୧ ଥିବା ବେଳେ ବ୍ୟକ୍ତିଗତ ୩୧ ରନ୍‌ କରି ମେୟର୍ସ ଲେଗସ୍ପିନର ୟୁଜଭେନ୍ଦର ଚହଲଙ୍କ ବଲରେ ଆଉଟ ହୋଇଥିଲେ। ଆଜିର ମ୍ୟାଚ୍‌ରେ ଡେବ୍ୟୁ କରିଥିବା ରବି ବିଷ୍ଣୋଇ ଚମତ୍କାର ବୋଲିଂ କରି ପ୍ରଥମେ ରୋଷ୍ଟନ ଚେଜ୍(୪) ଓ ରୋଭମାନ ପାୱେଲ(୨)ଙ୍କୁ ସମାନ ଓଭରରେ ପ୍ୟାଭିଲିୟନ ପଠାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ଗୋଟିଏ ପଟେ ୱିକେଟ ଝଡ଼ୁଥିଲେ ମଧ୍ୟ ଅନ୍ୟପଟେ ପୁରନ ବଡ଼ ଶଟ ଖେଳି ଚାଲିଥିଲେ। ତାଙ୍କୁ କିଛି ସମୟ ଅକେଲା ହୁସେନ (୧୦) ସାଥ ଦେଇଥିଲେ। ହେଲେ ତାଙ୍କୁ ଦୀପକ ଚହର ଆଉଟ କରି ଦେଇଥିଲେ। ଏହି ସମୟରେ ଇଣ୍ଡିଜ ୯୦ ରନ୍‌ରେ ୫ ୱିକେଟ ହରାଇଥିଲା।

ହେଲେ ପୁରନ ଓ ପୋଲାର୍ଡ ଇନିଂସକୁ ଆଗକୁ ନେଇଥିଲେ। ଏଥିସହ ପୁରନ ନିଜ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ୬ଷ୍ଠ ୱକେଟ ପାଇଁ ସେ ପୋଲାର୍ଡଙ୍କ ସହ ମିଶି ୪୫ ରନ୍ ମଧ୍ୟ ଯୋଡ଼ି ଥିଲେ। ଦଳୀୟ ସ୍କୋର ୧୩୫ ଥିବା ବେଳେ ବଡ଼ ଶଟ ଖେଳିବା ଲୋଭରେ ପୁରନ(୬୧) ହର୍ଷଲ ପଟେଲଙ୍କ ବଲରେ ଆଉଟ ହୋଇଥିଲେ।

ଆଉଟ ହେବା ପୂର୍ବରେ ସେ ୪ଟି ଚୌକା ଓ ୫ଟି ବିଶାଳ ଛକା ବଳରେ ୬୧ ରନ୍ର ଇନିଂସ ଖେଳିଥିଲେ। ଶେଷ ଭାଗରେ ପୋଲାର୍ଡ ଅପରାଜିତ ୧୯ ବଲରେ ୨୪ କରିବାରୁ ଇଣ୍ଡିଜ ୧୫୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଇନିଂସରେ ଶେଷ ବଲରେ ହର୍ଷଲ ପଟେଲ ୪ ରନ୍‌ କରିଥିବା ଓଡେନ ସ୍ମିଥଙ୍କୁ ରୋହିତ ଶର୍ମାଙ୍କୁ ଆଉଟ କରିଥିଲେ।

ଭାରତ ପକ୍ଷରୁ ବିଷ୍ଣୋଇ ଓ ହର୍ଷଲ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଚହଲ, ଦୀପକ ଚହର ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Comments are closed.