ସୂର୍ଯ୍ୟଙ୍କ ଚମକ, ଦିନିକିଆ ପରେ ଟି୨୦ ସିରିଜ୍ ବି କ୍ଲିନ୍ ସୁଇପ୍ କଲା ଭାରତ

କୋଲକାତା: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ଭାରତ ତୃତୀୟ ତଥା ଅନ୍ତିମ ଟି୨୦ରେ ୱେଷ୍ଟଇଣ୍ଡିଜକୁ ୧୭ ରନରେ ହରାଇଛି । ଏଥିସହ ଦିନିକିଆ ପରେ ଭାରତ ଟି୨୦ ସିରିଜକୁ ମଧ୍ୟ ୩-୦ରେ କ୍ଲିନ୍ ସୁଇପ୍ କରିଛି । ଅଧିନାୟକ ଭାବେ ରୋହିତ ଶର୍ମା କ୍ରମାଗତ ତୃତୀୟ ସିରିଜ୍ ଜିତିଛନ୍ତି ।

ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ତୃତୀୟ ଟି୨୦ରେ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ସୂର୍ଯ୍ୟକୁମାର ଓ ଯୁବ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ଧମାକାଦାର ପାଳି ବଳରେ ୫ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା । ଏହାର ଜବାବରେ ୱେଷ୍ଟଇଣ୍ଡିଜ ୯ ୱିକେଟ ବିନିମୟରେ ୧୬୭ ରନ୍ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ନିକୋଲାସ୍ ପୁରାନ ପୁଣି ଏକ ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ । ହେଲେ ତାଙ୍କୁ ଅନ୍ୟପଟୁ ଉପଯୁକ୍ତ ସହାୟତା ମିଳିନଥିଲା । ପୁରାନ ୪୭ଟି ବଲରେ ୮ଟି ଚୌକା ଓ ଗୋଟିଏ ଛକା ବଳରେ ୬୧ ରନ୍ କରିଥିଲେ । ରୋଭମ୍ୟାନ୍ ପାୱେଲ ୧୪ ବଲରୁ ଦ୍ରୁତ ୨୫ ରନ୍ କରିଥିଲେ । ଅଧିନାୟକ କାଇରନ୍ ପୋଲାର୍ଡ (୫) ପୁଣି ଫେଲ୍ ମାରିଥିଲେ ।

ୱେଷ୍ଟଇଣ୍ଡିଜର ଆଶା ପୁରାନଙ୍କ ଉପରେ ନିର୍ଭର କରୁଥିଲା । ଦଳକୁ ଶେଷ ୩ ଓଭରରୁ ବିଜୟ ପାଇଁ ୩୭ ରନ୍ ଆବଶ୍ୟକ ହେଉଥିଲା । ହେଲେ ୧୮ତମ ଓଭରର ପ୍ରଥମ ବଲରେ ପୁରାନଙ୍କୁ ଆଉଟ୍ କରି ଶାର୍ଦ୍ଦୁଲ ଠାକୁର ୱେଷ୍ଟଇଣ୍ଡିଜର ବିଜୟ ଆଶା ଧୂଳିସାତ କରିଦେଇଥିଲେ । ରୋମାରିଓ ଶେଫର୍ଡ (୨୯) ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଉଦ୍ୟମ ଫଳପ୍ରଦ ହୋଇନଥିଲା । ୧୯ତମ ଓଭରରେ ଶେଫର୍ଡ ଆଉଟ୍ ହୋଇଯିବା ପରେ ଭାରତର ବିଜୟ ନିଶ୍ଚିତ ହୋଇଥିଲା । ଭାରତ ପକ୍ଷରୁ ହର୍ଷଲ ପଟେଲ୍ ୩ଟି ଓ ଶାର୍ଦ୍ଦୁଲ ୨ଟି ୱିକେଟ୍ ହାସଲ କରିଥିଲେ । ନିଜ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଯୁବ ବୋଲର ଅବେଶ ଖାନ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ୪ ଓଭରରୁ ବିନା ସଫଳତାରେ ୪୨ ରନ୍ ଦେଇଥିଲେ ।

ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ୍ ଅଧିନାୟକ କାଇରନ୍ ପୋଲାର୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଋତୁରାଜ ଗାଏକ୍ୱାଡଙ୍କ ୱିକେଟ୍ ହରାଇଥିଲା। ସିରିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଋତୁରାଜ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଈଶାନ୍ କିଶନ ଓ ଶ୍ରେୟସ ଆୟର୍ ଦ୍ୱିତୀୟ ୱିକେଟ୍ ପାଇଁ ୫୩ ରନ୍ ଯୋଡ଼ି ଭାରତକୁ ଭଲ ସ୍ଥିତିରେ ଆଣିଥିଲେ। ଶ୍ରେୟସ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ସେ ୧୬ ‍ଲରେ ୨୫ (୪ ଚୌକା) ରନ୍ କରିଥିଲେ। ଈଶାନ୍ ମଧ୍ୟ ଆତ୍ମବିଶ୍ୱାସ ହରାଇ ବସିଥିଲେ ଏବଂ ବ୍ୟକ୍ତିଗତ ୩୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ପୁଣିଥରେ ରୋଷ୍ଟନ୍ ଚେଜ୍ ଆଉଟ୍ କରିଥିଲେ।

ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ୍ ଶର୍ମା (୭) ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଓପନିଂ ପାଇଁ ସର୍ବଦା ପ୍ରସ୍ତୁତ ଥିବା ରୋହିତ୍ ଚତୁର୍ଥ ସ୍ଥାନରେ କ୍ଲିକ୍ କରିନଥିଲେ। ତାଙ୍କୁ ଡୋମିନିକ୍ ଡ୍ରେକ୍ସ କ୍ଲିନ୍ ବୋଲ୍ଡ ହୋଇଥିଲେ। ୯୩ ରନରେ ୪ ୱିକେଟ୍ ହରାଇବା ପରେ ଭାରତର ରନ୍ ଗତି ହ୍ରାସ ପାଇଥିଲେ। କିନ୍ତୁ ଇନଫର୍ମ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଶେଷ ୫ ଓଭରରେ ଧୂଆଁଧାର ବ୍ୟାଟିଂ କରିଥିଲେ। ଫଳରେ ଭାରତ ଶେଷ ୨୯ ବଲରେ ୮୪ ରନ୍ ସଂଗ୍ରହ କରିଥିଲେ। ଏଥିମଧ୍ୟରୁ କେବଳ ଶେଷ ୨ ଓଭରରୁ ୪୨ ରନ୍ ସଂଗ୍ରହ କରିଥିଲା ଭାରତ । ଏପରିକି ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୯୧ ରନ୍ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୬୫ (୩୧ ବଲ୍, ୧ ଚୌକା, ୭ ଛକା) ଓ ଭେଙ୍କଟେଶ୍ ଅପରାଜିତ ୩୫ (୧୯ ବଲ୍, ୪ ଚୌକା, ୨ ଛକା) ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜେସନ୍ ହୋଲ୍ଡର୍, ଶେଫର୍ଡ, ଚେଜ୍, ହେଡେନ୍ ୱାଲ୍ସ ଓ ଡୋମିନିକ୍ ଡ୍ରେକ୍ସ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Comments are closed.