ଦ୍ୱିତୀୟ ଦିନିକିଆ: ଜିମ୍ବାୱେକୁ ୫ ଓ୍ବିକେଟରେ ହରାଇ ସିରିଜ୍ କବଜା କଲା ଭାରତ

ହରାରେ: ଭାରତ ଏଠାରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଜିମ୍ବାୱେକୁ ୫ ଓ୍ବିକେଟରେ ହରାଇ ଦେଇଛି । ପୁଣି ଏକ ଏକତରଫା ବିଜୟ ସହ ଭାରତ ୨-୦ରେ ଅପରାଜେୟ ଅଗ୍ରଣୀ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ଆଗୁଆ କବଜା କରିଛି। ଭାରତ ପୁଣି ଟସ୍ ଜିତି ଜିମ୍ବାୱେ କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଜିମ୍ବାୱେ ୩୮.୧ ଓଭରରେ ମାତ୍ର ୧୬୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଏହି ମାମୁଲି ଟାର୍ଗେଟକୁ ଭାରତ ୨୫.୪ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ଧାୱନ ଏବଂ ଶୁବମାନ ଗିଲଙ୍କ ବ୍ୟାଟରୁ ୩୩-୩୩ ରନ୍ ଆସିଥିଲା। କ୍ୟାପଟେନ କେଏଲ ରାହୁଲ ଆଜି ଇନିଂସ ଓପନ କରିଥିବା ବେଳେ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ଜିମ୍ବାୱେ ପାଇଁ ଲୁକ ଜୋଙ୍ଗୱେ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ।

ହ୍ବାଇଟ୍ ବଲ୍ କ୍ରିକେଟରେ ଭାରତୀୟ ଦଳର ଏହା କ୍ରମାଗତ ଚତୁର୍ଥ ସିରିଜ୍ ବିଜୟ। ଏହାପୂର୍ବରୁ ଟିମ୍ ଇଣ୍ଡିଆ ଦୁଇଥର ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡକୁ ପରାସ୍ତ କରିଥିଲା।

Comments are closed.