ନୂଆଦିଲ୍ଲୀ: ମୁମ୍ବାଇରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ବୈଠକରେ ଶୁକ୍ରବାର ୧୩ ଜଣିଆ ସମନ୍ୱୟ କମିଟି ଘୋଷଣା କରାଯାଇଛି। ଏହି ପ୍ୟାନେଲରେ କେସି ବେଣୁଗୋପଳ, ଶରଦ ପାୱାର, ଏମ.କେ ଷ୍ଟାଲିନ, ସଞ୍ଜୟ ରାଉତ, ତେଜସ୍ୱୀ ଯାଦବ, ଅଭିଷେକ ବାନାର୍ଜୀ, ରାଘବ ଚଢ଼ା, ଜାଭେଦ ଖାନ, ଲଲନ ସିଂ, ହେମନ୍ତ ସୋରେନ, ଡି ରାଜା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତି ଅଛନ୍ତି । ଏହାଛଡ଼ା ଏହି ମେଣ୍ଟର ସ୍ଲୋଗାନ ‘ଯୋଡେଗା ଭାରତ, ଜିତେଗା ଇଣ୍ଡିଆ’ ହେବ ବୋଲି ନିଷ୍ପତ୍ତି ହୋଇଛି । ୨୦୨୪ ଲୋକସଭା ନିର୍ବାଚନ ଯଥାସମ୍ଭବ ଏକାଠି ଲଢ଼ିବାକୁ ମଧ୍ୟ ବୈଠକରେ ସଂକଳ୍ପ ଗୃହୀତ ହୋଇଛି। ଲୋକସଭା ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ଆସନ ବୁଝାମଣା ଚୂଡ଼ାନ୍ତ ହେବ ବୋଲି କୁହାଯାଇଛି।
‘ଇଣ୍ଡିଆ’ ମେଣ୍ଟର ବୈଠକ ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ରର ବିଜେପି ସରକାର ଉପରେ ଆକ୍ରମଣ କରିଥିଲେ । ଆମର ମେଣ୍ଟକୁ ଯେତେ ସମର୍ଥନ ମିଳିବ, ବିଜେପି ସରକାର ଆମ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ସେତେ ଅପବ୍ୟବହାର କରିବେ। କେନ୍ଦ୍ର ସରକାର ମହାରାଷ୍ଟ୍ର, ରାଜସ୍ଥାନ, ବଙ୍ଗଳାରେ ମଧ୍ୟ ଏମିତି କାର୍ଯ୍ୟ କରିଛନ୍ତି। ଗତ ସପ୍ତାହରେ ଝାଡଖଣ୍ଡ ଏବଂ ଛତିଶଗଡରେ ଏମିତି ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି। ଟିକସ ରାଜସ୍ୱରେ ରାଜ୍ୟଗୁଡିକୁ ସେମାନଙ୍କ ଭାଗରୁ ବଞ୍ଚିତ କରାଯାଉଛି । ବିରୋଧୀ ଶାସିତ ରାଜ୍ୟମାନଙ୍କୁ ମନରେଗାର ବାକି ଅନୁଦାନ ଦିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି | କଂଗ୍ରେସ ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ, ଏହି ତିନି ବୈଠକରେ ଏକ ମିଳିତ ସାମ୍ମୁଖ୍ୟ ଭାବେ ‘ଇଣ୍ଡିଆ’ ମେଣ୍ଟ ସଂସଦ ଭିତରେ ଓ ବାହାରେ ସରକାରଙ୍କୁ ଉତ୍ତରଦାୟୀ କରିବାକୁ ବାଧ୍ୟ କରିଛି ।
Comments are closed.