ପୂର୍ବ ଲଦାଖର ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କଲେ ଭାରତ, ଚୀନ୍

ନୂଆଦିଲ୍ଲୀ: ଏକ ବଡ଼ ଘଟଣାକ୍ରମେ ପୂର୍ବ ଲଦାଖର ଗୋଗ୍ରା-ହଟ୍ସପ୍ରିଙ୍ଗରୁ ଭାରତ ଓ ଚୀନ୍ ସୈନିକ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟା ସେପ୍ଟେମ୍ବର ୧୨ ସୁଦ୍ଧା ଶେଷ ହେବ । ଫଳରେ ଦୁଇ ବର୍ଷରୁ ଅଧିକ ସମୟ ଧରି ପାଟ୍ରୋଲିଂ ପଏଣ୍ଟ (ପିପି)-୧୫ ଅଞ୍ଚଳରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଅଚଳାବସ୍ଥା ଶେଷ ହେବାକୁ ଯାଉଛି।

ଦୁଇ ଦେଶର ସୈନ୍ୟ ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ ଜୁଲାଇରୁ ଆରମ୍ଭ ହୋଇଥିବା ୧୬ତମ ରାଉଣ୍ଡ ଉଚ୍ଚ ସ୍ତରୀୟ ସାମରିକ ଆଲୋଚନା ଫଳାଫଳ ସ୍ବରୂପ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି ।

ବିବୃତ୍ତିରେ କୁହାଯାଇଛି ଯେ ଭାରତ ଏବଂ ଚୀନ୍ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ବୈଠକର ୧୬ତମ ରାଉଣ୍ଡରେ ସହମତ ଅନୁସାରେ ଭାରତୀୟ ଏବଂ ଚୀନ୍ ସୈନ୍ୟମାନେ ସେପ୍ଟେମ୍ବର ୮, ୨୦୨୨ରେ ଗୋଗ୍ରା-ହଟ୍ସପ୍ରିଙ୍ଗ୍ସ (ପିପି-୧୫) ଅଞ୍ଚଳରୁ ସମନ୍ୱିତ ତଥା ଯୋଜନାବଦ୍ଧ ଭାବେ ସୈନ୍ୟ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି ଯାହା ସୀମା ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପାଇଁ ଉଚିତ ପଦକ୍ଷେପ। ”

ଉଜବେକିସ୍ତାନରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ବାର୍ଷିକ ଶିଖର ବୈଠକର ପ୍ରାୟ ଏକ ସପ୍ତାହ ପୂର୍ବରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଘୋଷଣା କରାଯାଇଛି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ।

ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଏଭଳି ସମ୍ଭାବନା ସମ୍ପର୍କରେ କୌଣସି ସରକାରୀ ସୂଚନା ନାହିଁ।

Comments are closed.