ଏଲ୍ଏସି ବିବାଦ: ଭାରତ-ଚୀନ୍ ଆଲୋଚନା ବିଫଳ, ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହେଲାନି ଚୀନ୍

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ କର୍ପସ କମାଣ୍ଡର ସ୍ତରର ୧୩ତମ ରାଉଣ୍ଡ ଆଲୋଚନା ବିନା କୌଣସି ନିଷ୍କର୍ଷରେ ଶେଷ ହୋଇଛି। ତେବେ ଭାରତ ଚୀନ୍‌କୁ ଏକ ଦୃଢ ତଥା ସ୍ପଷ୍ଟ ବାର୍ତ୍ତା ଦେଇଛି। ଭାରତ କହିଛି ଯେ ପ୍ରକୃତ ନିମନ୍ତ୍ରଣ ରେଖା (ଏଲ୍ଏସି)ର ଅବଶିଷ୍ଟ ବିବାଦୀୟ ଅଞ୍ଚଳରୁ ସୈନ୍ୟ ଅପସାରଣ ଦାୟିତ୍ବ ଚୀନର। କାରଣ ଚୀନ୍ ହିଁ ପୂର୍ବ ଲଦାଖରେ ପୂର୍ବ ସ୍ଥିତି ବଦଳାଇ ଦେଇଛି। ଭାରତ କହିଛି ଯେ ଦୁଶାନବେରେ ହୋଇଥିବା ଆଲୋଚନାରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହମତି ଅନୁଯାୟୀ ଚୀନ୍ ସେନା ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ଉଚିତ। ତେବେ ଚୀନ୍ ଦଳ ଭାରତର ଗଠନମୂଳକ ପରାମର୍ଶରେ ରାଜି ହୋଇନଥିଲା ଏବଂ ପୂର୍ବ ଲଦାଖରେ ଚାଲିଥିବା ବିବାଦର ସମାଧାନ ପାଇଁ ରୋଡ୍ ମ୍ୟାପ୍ ଉପସ୍ଥାପନ କରିବାରେ ବିଫଳ ହୋଇଥିଲା।

ବର୍ତ୍ତମାନ ପାଇଁ ଅବଶିଷ୍ଟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ସହମତି ହୋଇପାରି ନାହିଁ। ତେବେ ଉଭୟ ପକ୍ଷ ଆଲୋଚନା ଜାରି ରଖିବାକୁ ଏବଂ ସେହି ଅଞ୍ଚଳର ଯଥା ସ୍ଥିତି ବଜାୟ ରଖିବାକୁ ରାଜି ହୋଇଛନ୍ତି। ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ପ୍ରତି ଧ୍ୟାନ ଦେବ ଏବଂ ଅବଶିଷ୍ଟ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପାଇଁ ପଦକ୍ଷେପ ନେବ ବୋଲି ଭାରତ ଆଶା ପ୍ରକଟ କରିଛି। ଅକ୍ଟୋବର ୧୦ରେ ଚୁସୁଲୁ-ମୋଲଡୋ ସୀମାରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଲଦାଖରେ ଉତ୍ତେଜନା ପରେ ଦୁଇ ଦେଶର କର୍ପସ କମାଣ୍ଡରଙ୍କ ମଧ୍ୟରେ ଏହା ଥିଲା ୧୩ ତମ ରାଉଣ୍ଡ ଆଲୋଚନା। ଏହି ବୈଠକରେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ରେ ସ୍ଥିତି ବିଷୟରେ ଆଲୋଚନା ହୋଇଥିଲା।

ଭାରତୀୟ ସେନା କହିଥିଲା ଯେ ଦୁଶାନବେରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବୈଠକରେ ହୋଇଥିବା ସହମତି ଅନୁଯାୟୀ ସୈନ୍ୟ ଅପସାରଣ କରାଯିବା ଉଚିତ ଯାହା ଦ୍ଵାରା ବିବାଦର ଶୀଘ୍ର ସମାଧାନ ହୋଇପାରିବ। ଏଲ୍ଏସିରେ ଅଚଳାବସ୍ଥାର ସମାଧାନ ପାଇଁ ଭାରତୀୟ ସେନା ମଧ୍ୟ ସକରାତ୍ମକ ପରାମର୍ଶ ଦେଇଥିଲା, କିନ୍ତୁ ଚୀନ୍ ନିଜ ଜିଦ୍ ରେ ଅଟଳ ଥିଲା। ସୀମା ବିବାଦ ସମାଧାନ ଦିଗରେ ଆଗକୁ ବଢିବା ପାଇଁ ଚୀନ୍ ପକ୍ଷରୁ କୌଣସି ପ୍ରସ୍ତାବ ଦିଆଯାଇନଥିଲା |

Comments are closed.