ଟି୨୦ ପରେ ଭାରତର ଦିନିକିଆ ସିିରିଜ୍ କବଜା

କୋଲକାତା: କୁଲଦୀପ ଯାଦବଙ୍କ ଯାଦୁକରୀ ପ୍ରଦର୍ଶନ ପରେ କେଏଲ୍ ରାହୁଲଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ସହାୟତାରେ ଭାରତ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୪ ୱିକେଟରେ ହରାଇଛି । ଏଥିସହ ଭାରତ ୨-୦ ଅପରାଜେୟ ଅଗ୍ରଣୀ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ଆଗୁଆ ଜିତିନେଇଛି । ଏହା ପୂର୍ବରୁ ଭାରତ ତିନି ଟିକିଆ ଟି୨୦ ସିରିଜ୍ ମଧ୍ୟ ଜିତିଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା କୁଲଦୀପଙ୍କ ସ୍ପିନରେ ଫସି ୩୯.୪ ଓଭରରେ ମାତ୍ର ୨୧୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଭାରତ ୬ ୱିକେଟ୍ ହରାଇ ଓ ୪୦ଟି ବଲ୍ ବାକିଥାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ତରଫରୁ ରାହୁଲ ଫର୍ମକୁ ଫେରି ଅପରାଜିତ ଅର୍ଦ୍ଧଶତକ ସହ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରି ବିଜୟ ନିଶ୍ଚିତ କରିଥିଲେ । ରାହୁଲ ୧୦୩ଟି ବଲରେ ୬ଟି ଚୌକା ସହ ଅପରାଜିତ ୬୪ ରନ୍ କରିଥିଲେ । ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୫୩ ବଲରେ ୪ଟି ଚୌକା ସହ ୩୬ ରନ୍‌୍ କରିଥିବା ବେଳେ ଅକ୍ଷର ପଟେଲ ଦ୍ରୁତ ୨୧ ରନ୍ କରି ଆଉଟ୍ ହୋଇଥିଲେ । ରାହୁଲଙ୍କ ସହ କୁଲଦୀପ ଯାଦବ ୧୦ ରନ୍ କରି ନଟ୍ ଆଉଟ୍ ରହିଥିଲେ । ତିନୋଟି ୱିକେଟ୍ ନେଇଥିବା କୁଲଦୀପ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଭାରତ ୨୧୬ ରନର ମାମୁଲି ବିଜୟଲକ୍ଷ୍ୟର ପିଛା କରୁଥିଲେ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସଙ୍କଟରେ ପଡ଼ିଥିଲା । ରୋହିତ ଶର୍ମା (୧୭), ଶୁଭମାନ ଗିଲ୍ (୨୧), ବିରାଟ କୋହଲି (୪), ଶ୍ରେୟସ ଆୟର (୨୮) ଶୀଘ୍ର ଆଉଟ୍ ହୋଇଯାଇଥିଲେ । ଭାରତ ୮୬ ରନରେ ୪ ୱିକେଟ୍ ହରାଇ ବ୍ୟାକଫୁଟକୁ ଠେଲି ହୋଇଯାଇଥିଲା । ତେବେ ରାହୁଲ ଓ ହାର୍ଦ୍ଦିକ ପଞ୍ଚମ ୱିକେଟରେ ୭୫ ରନ୍ ଯୋଗକରି ଚେଜକୁ ଟ୍ରାକକୁ ଆଣିଥିଲେ ।

ପୂର୍ବରୁ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଭିଷ୍କା ଫର୍ଣ୍ଣାଣ୍ଡୋ ଓ ନୁୱାନିଦୁ ଫର୍ଣ୍ଣାଣ୍ଡୋ ଇନିଂସ୍ ଓପନ୍ କରି ପ୍ରଥମ ଓ୍ବିକେଟରେ ମାତ୍ର ୨୯ ରନ୍‌ର ଭାଗିଦାରୀ କରିଥିଲେ
। ୫.୬ ଓଭରରେ ଅଭିଷ୍କା ମାତ୍ର ୨୦ ରନ୍ କରି ଆଉଟ୍ ହୋଇଥିଲେ। ମହମ୍ମଦ ସିରାଜ ତାଙ୍କୁ ବୋଲ୍ଡ କରି ଦେଇଥିଲେ।

ଅନ୍ୟପକ୍ଷରେ ନୁୱାନିଦୁ ଓ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କୁଶଲ ମେଣ୍ଡିସ୍‌ଙ୍କ ମଧ୍ୟରେ ୭୩ ରନ୍‌ର ଏକ ଭଲ ପାର୍ଟନରଶିପ୍ ହୋଇଥିଲା। ଦୁହେଁ ଦ୍ରୁତ ଗତିରେ ଦଳର ସ୍କୋରକୁ ଆଗେଇ ନେଉଥିବା ବେଳେ ଆଉଟ୍ ହୋଇଯାଇଥିଲେ କୁଶଲ। ସେ ୩୪ଟି ବଲ୍‌ରେ ୩୪ ରନ୍ (୩ ଚୌକା, ଗୋଟିଏ ଛକା) କରିଥିବା ବେଳେ କୁଲଦୀପ ଯାଦବଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ସେ ଆଉଟ୍ ହେଲା ବେଳକୁ ଦଳର ସ୍କୋର ୧୦୨ରେ ପହଞ୍ଚିଥିଲା। କିନ୍ତୁ ତା’ପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ଦଳ ଲଗାତାର ୱିକେଟ୍ ହରାଇଥିଲା।
ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଧନଞ୍ଜୟ ଡି’ସିଲ୍‌ଭା ଖାତା ଖୋଲିପାରି ନଥିଲେ। ପ୍ରଥମ ବଲ୍‌ରେ ଅକ୍ଷର ପଟେଲ୍‌ଙ୍କ ଦ୍ୱାରା ସେ ବୋଲ୍ଡ ହୋଇଯାଇଥିଲେ। ଏହା ପରେ ଚରିତ ଅସଲଙ୍କା ସହ ମିଶି ଇନିଂସ୍‌କୁ ଆଗେଇ ନେବାକୁ ପ୍ରୟାସ କରିଥିଲେ ନୁୱାନିଦୁ। ତେବେ ୬୩ ବଲ୍‌ରୁ ୫୦ ରନ୍ କରିଥିବା ବେଳେ ୨୧.୧ ଓଭରରେ ଆଉଟ୍ ହୋଇଯାଇଥିଲେ ନୁୱାନିଦୁ। ଶୁବମନ ଗିଲ୍‌ଙ୍କ ଦ୍ୱାରା ସେ ରନ୍ ଆଉଟ୍ ହୋଇଥିଲେ।

ନୁୱାନିଦୁଙ୍କ ପରେ କ୍ରିଜ୍‌କୁ ଆସିଥିବା ଅଧିନାୟକ ଦାଶୁନ ଶନକା ମାତ୍ର ୪ଟି ବଲ୍‌ର ସମ୍ମୁଖୀନ ହୋଇପାରିଥିଲେ। ପ୍ରଥମ ଦିନିକିଆରେ ଅପରାଜିତ ରହି ୧୦୮ ରନ୍ କରିଥିବା ଶନକା ଆଜି ୪ଟି ବଲ୍‌ରୁ ୨ ରନ୍ କରିଥିଲେ। କୁଲଦୀପ ଯାଦବ ତାଙ୍କୁ ବୋଲ୍ଡ କରି ଦେଇଥିଲେ।

ଦଳୀୟ ସ୍କୋର ୧୨୬ରେ ପହଞ୍ଚିଥିବା ବେଳେ ଚରିତ ଅସଲଙ୍କା ଆଉଟ୍ ହୋଇଯାଇଥିଲେ। ସେ ୨୧ଟି ବଲ୍‌ରୁ ୧୫ ରନ୍ କରିଥିଲେ। ସେ କୁଲ୍‌ଦୀପ ଯାଦବଙ୍କ ଦ୍ୱାରା କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ୭ ନମ୍ବରରେ ଆସିଥିବା ୱାନିନ୍ଦୁ ହସରଙ୍ଗା ୧୭ଟି ବଲ୍‌ରୁ ୨୧ ରନ୍ (୩ ଚୌକା ଓ ଗୋଟିଏ ଛକା) କରିଥିଲେ। ଦୁନିଥ ୱେଲାଲାଗେଙ୍କ ସହିତ ମିଶି ସେ ୨୬ ରନ୍‌ର ପାର୍ଟନରଶିପ୍ କରିଥିଲେ।
ହସରଙ୍ଗା ଆଉଟ୍ ହୋଇଯିବା ପରେ ଦଳୀୟ ସ୍କୋରକୁ ୧୫୨ରୁ ୧୭୭ ପର୍ଯ୍ୟନ୍ତ ଆଣିଥିଲେ ଦୁନିଥ ଓ ଚମିକା କରୁଣାରତ୍ନେ। ତେବେ କରୁଣାରତ୍ନେ ୨୫ଟି ବଲ୍‌ରୁ ୧୭ ରନ୍ କରିଥିବା ବେଳେ ଉମ୍ରାନ ମଲିକଙ୍କ ବଲ୍‌ରେ ଅକ୍ଷର ପଟେଲଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଦୁନିତ ୱେଲାଲାଗେ ୩୪ଟି ବଲ୍‌ରୁ ୩୨ ରନ୍ (୩ ଚୌକା, ଗୋଟିଏ ଛକା) କରିଥିଲେ। ସେହିପରି କସୁନ ରଜିତା ୨୧ଟି ବଲ୍‌ରୁ ୧୭ ରନ୍ କରି ଅପରାଜିତ ରହିଥିବା ବେଳେ ଲହିରୁ କୁମାରା ଖାତା ଖୋଲି ପାରି ନଥିଲେ। ଶ୍ରୀଲଙ୍କା ଟିମ୍ ୩୯.୪ ଓଭରରେ ୨୧୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।

କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଉମ୍ରାନ ମଲିକ ୨ଟି ଓ ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେଇଥିଲେ ।

Comments are closed.