ପୁଣି ଚମକିଲେ ୟଙ୍ଗ୍ ବ୍ରିଗେଡ୍, ଦ୍ବିତୀୟ ଟି୨୦ରେ ଅଷ୍ଟ୍ରେଲିଆକୁ ୪୪ ରନରେ ହରାଇଲା ଭାରତ

ଥିରୁଭନନ୍ତପୁରମ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଯୁବ ଭାରତୀୟ ଦଳର ଜୟଯାତ୍ରା ଜାରି ରହିଛି । ରବିବାର ଏଠାରେ ଖେଳାଯାଇଥିବା ଦ୍ବିତୀୟ ଟି୨୦ରେ ଭାରତ ୪୪ ରନରେ ଅଷ୍ଟ୍ରେଲିଆକୁ ହରାଇଛି । ଏହି ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା କ୍ରମାଗତ ଚତୁର୍ଥ ବିଜୟ। ଏହି ବିଜୟ ସହିତ ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି |

ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଅଧିନାୟକ ମାଥ୍ୟୁ ଓ୍ବେଡଙ୍କ ଏହି ନିଷ୍ପତ୍ତି ତାଙ୍କ ଦଳ ପାଇଁ ବୁମେରାଂ ହୋଇଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୫ ରନର ବିଶାଳ ସ୍କୋର୍ ଛିଡ଼ା କରିଥିଲା । ଏହାର ଜବାବରେ କଙ୍ଗାରୁ ଦଳ ୯ ୱିକେଟରେ ୧୯୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣ ଏବଂ ରବି ବିଷ୍ଣୋଇ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଅଷ୍ଟ୍ରେଲିଆ ତରଫରୁ ମାର୍କସ ଷ୍ଟୋଇନିସ୍ ୪୫, ଓ୍ବେଡ୍ ଅପରାଜିତ ୪୨ ଓ ଟିମ୍ ଡେଭିଡ୍ ୩୬ ରନ୍ କରିଥିଲେ ।

ଏହା ପୂର୍ବରୁ ଓପନର୍ ଯଶସ୍ବୀ ଜୈସୱାଲ(୫୩), ଇଶାନ କିଶନ (୫୨) ଏବଂ ଋତୁରାଜ ଗାଏକୱାଡ(୫୮) ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ଶେଷ ଆଡକୁ ରିଙ୍କୁ ସିଂହ ମାତ୍ର ୯ ବଲରେ ଅପରାଜିତ ୩୧ ରନ୍ କରିଥିଲେ। ଫଳରେ ଭାରତ ଏକ ବଡ଼ ସ୍କୋର୍ କରିବାକୁ ସମର୍ଥ ହୋଇଥିଲା ।

ଭାରତ ଏହି ବିଜୟ ସହ ସର୍ବାଧିକ ସଂଖ୍ୟକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଜିତିଥିବା ଦେଶ ତାଲିକାରେ ପାକିସ୍ତାନର ସମକକ୍ଷ ହୋଇଛି। ଉଭୟ ଦଳ ୧୩୫-୧୩୫ ମ୍ୟାଚ୍ ଜିତିଛନ୍ତି |

Comments are closed.