ଦ୍ୱିତୀୟ ଟି୨୦: ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ବରାବର କଲା ଭାରତ 

ଲକ୍ଷ୍ନୌ: ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତ ସିରିଜକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛି । ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ଏଠାରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ଭାରତ ୬ ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୯୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ହେଲେ ଏହି ସାଧାରଣ ବିଜୟଲକ୍ଷ୍ୟରେ ପହଞ୍ଚିବା ପାଇଁ ଭାରତକୁ ଝାଳ ବୁହାଇବାକୁ ପଡ଼ିଥିଲା । ଭାରତ ଗୋଟିଏ ବଲ୍ ବାକି ଥାଇ ମ୍ୟାଚ୍ ଜିତିଥିଲା । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ସ୍ତରକୁ ଆଣିଛି । ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଫେବୃୟାରୀ ୧ରେ ଅହମ୍ମଦାବାରେ ଖେଳାଯିବ ।

ନ୍ୟୁଜିଲାଣ୍ଡ ପ୍ରଦତ୍ତ ୧୦୦ ରନର ବିଜୟଲକ୍ଷ୍ୟ ଜବାବରେ ଭାରତର ଦୁଇ ଓପନର ଶୁଭମାନ ଗିଲ୍ ଓ ଇଶାନ କିଶନ ପୁଣି ବିଫଳ ହୋଇଥିଲେ । ଗିଲ୍ ୧୧ ରନ୍ କରି ଆଉଟ୍ ହୋଇଥିବା ବେଳେ କିଶନ ୩୨ଟି ବଲ୍ ଖେଳି ୧୯ ରନ୍ କରି ରନ୍ ଆଉଟ୍ ହୋଇଥିଲେ । ପ୍ରଥମ ମ୍ୟାଚରେ ଖାତା ଖୋଲିପାରିନଥିବା ରାହୁଲ ତ୍ରିପାଠୀ (୧୩) ପୁଣି ନିରାଶ କରିଥିଲେ । ୱାଶିଂଟନ ସୁନ୍ଦର (୧୦) ରନ୍ ଆଉଟ୍ ହୋଇଯିବା ପରେ ଭାରତ ୭୦ ରନରେ ୪ଟି ୱିକେଟ୍ ହରାଇ ଅସୁବିଧାରେ ପଡ଼ିଥିଲା । ହେଲେ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ଉପଅଧିନାୟକ ସୂର୍ଯ୍ୟକୁମାର ଯାଦବ ନ୍ୟୁଜିଲାଣ୍ଡକୁ ଆଉ କୌଣସି ସୁଯୋଗ ନ ଦେଇ ଔପଚାରିକତା ପୂରଣ କରିଥିଲେ । ସୂର୍ଯ୍ୟକୁମାର ୩୧ଟି ବଲରେ ମାତ୍ର ଗୋଟିଏ ଚୌକା ସହ ଅପରାଜିତ ୨୬ ରନ୍ କରିଥିବା ବେଳେ ପାଣ୍ଡ୍ୟା ୨୦ଟି ବଲରେ ଗୋଟିଏ ଚୌକା ସହ ୧୫ ରନ୍ କରି ନଟ୍ ଆଉଟ୍ ଥିଲେ ।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଆଗରେ ସଂଘର୍ଷ କରି ମାତ୍ର ୯୯ ରନ୍ କରିଥିଲା । ଦଳ ତରଫରୁ କାମଚଳା ଅଧିନାୟକ ମିଚେଲ ସାଣ୍ଟନର ସର୍ବାଧିକ ୧୯ ରନ୍ କରିଥିବା ବେଳେ ମାର୍କ ଚାପମ୍ୟାନ୍ ୧୪, ମାଇକେଲ ବ୍ରେସୱେଲ ୧୪ ରନ୍ କରିଥିଲେ । ଭାରତ ତରଫରୁ ଅର୍ଶଦୀପ ସିଂହ ୨ଟ ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ଓ ଦୀପକ ହୁଡ଼ା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

Comments are closed.