ଟି୨୦ ବିଶ୍ୱକପରୁ ଭାରତ ବିଦା, ଆଫଗାନିସ୍ତାନକୁ ହରାଇ ସେମିରେ ନ୍ୟୁଜିଲାଣ୍ଡ

ଆବୁଧାବି: ଚଳିତ ଟି୨୦ ବିଶ୍ୱକପରେ ଭାରତ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବ । ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିିସ୍ତାନକୁ ୮ ୱିକେଟରେ ହରାଇ ନ୍ୟୁଜିଲାଣ୍ଡ ଗ୍ରୁପ୍‌-୨ରୁ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ସ୍ଥାନ ନିଶ୍ଚିତ କରିଛି । ନ୍ୟୁଜିଲାଣ୍ଡର ଏହି ବିଜୟ ସହ ଭାରତ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ଭାରତର ସେମିଫାଇନାଲ ଭାଗ୍ୟ ଏହି ମ୍ୟାଚ୍ ଉପରେ ନିର୍ଭର କରୁଥିଲା । ବିଶେଷକରି ଆଫଗାନିସ୍ତାନର ବିଜୟ ଉପରେ ଭାରତର ଶେଷ ଆଶା ରହିଥିଲା । ଯଦି ନ୍ୟୁଜିଲାଣ୍ଡକୁ ଆଫଗାନିସ୍ତାନ ହରାଇଥାନ୍ତା, ତେବେ ଭାରତ ନିଜ ଶେଷ ଲିଗ ମ୍ୟାଚରେ ନାମିବ୍ୟାକୁ ହରାଇ ଉନ୍ନତ ରନ୍ ରେଟ୍ ବଳରେ ସେମିଫାଇନାଲରେ ପହଞ୍ଚିବା ସମ୍ଭାବନା ଥିଲା । ହେଲେ ଆଫଗାନିସ୍ତାନର ପରାଜୟ ସହ ଭାରତର ଆଶା ମଉଳି ଯାଇଛି । ସୋମବାର ନାମିବ୍ୟା ବିପକ୍ଷ ମ୍ୟାଚକୁ ଜିତିଲେ ମଧ୍ୟ କୋହଲିଙ୍କ ଦଳ ଘରକୁ ଫେରିବ । ୨୦୧୨ ସଂସ୍କରଣ ପରେ ଭାରତ ପ୍ରଥମ ଥର ଏକ ଆଇସିସି ଟୁର୍ଣ୍ଣାମେଣ୍ଟର ନକ ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବାରେ ବିଫଳ ହୋଇଛି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ନ୍ୟୁଜିଲାଣ୍ଡ ମଧ୍ୟ ଏକପ୍ରକାର କ୍ୱାର୍ଟର ଫାଇନାଲ ସଦୃଶ ଥିଲା । ହେଲେ ନିଜର ଚତୁର କ୍ରିକେଟ୍ ପାଇଁ ପରିଚିତ ନ୍ୟୁଜିଲାଣ୍ଡ ସବୁ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ ସହ ଏକ ସହଜ ବିଜୟ ହାସଲ କରି ସେମିଫାଇନାଲରେ ସ୍ଥାନ ନିଶ୍ଚିତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୮ ୱିକେଟ୍ ବିନିମୟରେ ୧୨୪ ରନ୍ କରିପାରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୨ ୱିକେଟ୍ ହରାଇ ୧୧ଟି ବଲ୍ ବାକିଥାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ମାର୍ଟିନ ଗପ୍ଟିଲ ୨୮ ଓ ଡାରିଲ ମିଚେଲ ୧୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ କେନ୍ ୱିଲିୟମସନ୍ ଓ ଡେଭନ କନୱେ ଆଫଗାନିସ୍ତାନକୁ ଆଉ କୌଣସି ସୁଯୋଗ ନ ଦେଇ ଦଳର ବିଜୟ ସହ ସେମିଫାଇନାଲରେ ସ୍ଥାନ ନିଶ୍ଚିତ କରିଥିଲେ । ୱିଲିୟମସନ୍ ୪୦ ଓ କନୱେ ୩୬ ରନ୍ କରି ଅପରାଜିତ ରହିଥିଲେ । ମ୍ୟାଚରେ ୩ଟି ୱିକେଟ୍ ନେଇଥିବା ଟ୍ରେଣ୍ଟ ବୋଲ୍ଟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ନ୍ୟୁଜିଲାଣ୍ଡ ସୁପର-୧୨ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଗ୍ରୁପ-୨ରୁ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲକୁ ଉନ୍ନୀତ ହୋଇଛି । ପୂର୍ବରୁ ଏହି ଗ୍ରୁପରୁ ପାକିସ୍ତାନ ସେମିରେ ପ୍ରବେଶ କରିଥିଲା । ଅନ୍ୟପକ୍ଷେ ଗ୍ରୁପ-୧ରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମିରେ ପ୍ରବେଶ କରିଛନ୍ତି ।
ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ପରେ ସୋମବାର ଖେଳାଯିବାକୁ ଥିବା ଭାରତ-ନାମିବ୍ୟା ମ୍ୟାଚ୍ ଗୁରୁତ୍ୱ ହରାଇଛି । ଟୁର୍ଣ୍ଣାମେଣ୍ଟରୁ ଏପରି ସଅଳ ବିଦା ହେବା ପାଇଁ କୋହଲିଙ୍କ ଦଳ ହିଁ ଦାୟୀ । ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ହାରିବା ଭାରତକୁ ଶେଷରେ ମହଙ୍ଗା ପଡିଛି । ବହୁ ଷ୍ଟାର ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ଉକ୍ତ ଦୁଇଟି ମ୍ୟାଚରେ ଭାରତୀୟ ଦଳ ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ କରିଥିଲା । ଯଦିଓ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦଳ ଆଫଗାନିସ୍ତାନ ଓ ସ୍କଟଲାଣ୍ଡକୁ ବୃହତ ବ୍ୟବଧାନରେ ହରାଇଥିଲା, ସେତେବେଳେ ନେଳିଗୁଡ କହୁଣୀକି ବହିସାରିଥିଲା । କୋହଲିଙ୍କୁ ପୁଣି ଏକ ଆଇସିସି ଟୁର୍ଣ୍ଣାମେଣ୍ଟରେ ଖାଲି ହାତରେ ଫେରିବାକୁ ପଡିଛି । ଏହା ଟି୨୦ ଅଧିନାୟକ ଭାବେ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ଥିଲା । ହେଲେ ନିଜ ଶେଷ ଟୁର୍ଣ୍ଣାମେଣ୍ଟରେ ବି ଅଧିନାୟକ ଭାବେ ଫେଲ୍ ମାରିଛନ୍ତି ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ପକ୍ଷରୁ ନାଜିବୁଲ୍ଲା ଜାଦରାନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦମ୍ ଦେଖାଇ ପାରିନଥିଲେ। ଜାଦରାନ୍ ସର୍ବାଧିକ ୭୩ (୪୮ ବଲ୍, ୬ ଚୌକା, ୩ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁଲବଦିନ ନଇବ ୧୫, କ୍ୟାପଟେନ୍ ମହମ୍ମଦ ନବି ୧୪, ରେହମାନୁଲ୍ଲା ଗୁରବାଜ ୬, ମହମ୍ମଦ ଶେହଜାଦ୍ ୪ ଓ ହଜରତୁଲ୍ଲା ଜଜଇ ୨ ରନ୍ କରିଥିଲେ। ଆଫଗାନିସ୍ତାନ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୨୪ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୩ଟି ଓ ଟିମ୍ ସାଉଦୀ ୨ଟି ୱିକେଟ୍ ନେଇଥିଲେ। ସେହିପରି ଆଡାମ ମିଲନେ, ଜେମ୍ସ ନିଶାମ ଓ ଇଶ ସୋଧି ଗୋଟିଏ ଲେଖାଏ ସଫଳତା ପାଇଥିଲେ।

୧୨୫ ରନର ସହଜ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡକୁ ଭଲ ଷ୍ଟାର୍ଟ ମିଳିଥିଲା। ଓପ୍ନର ମାର୍ଟିନ ଗପ୍ଟିଲ୍ ଓ ଡାରିଏଲ୍ ମିଚେଲ୍ ପ୍ରଥମ ୱିକେଟ୍ ପାଇଁ ୨୬ ରନ୍ ଯୋଡ଼ିଥିଲେ। ମିଚେଲ୍ ୧୭ ରନ୍ କରି ମୁଜୀବ-ଉର୍-ରେହମାନଙ୍କ ଶିକାର ହୋଇଥିଲେ। ଗପ୍ଟିଲ (୨୮) ଦ୍ରୁତ ରନ୍ କରିଥିଲେ ହେଁ ତାଙ୍କୁ ପ୍ୟାଭିଲିୟନ୍ ପଠାଇ ରାଶିଦ୍ ଖାନ୍ ଆଫଗାନିସ୍ତାନ ପାଇଁ ଆଶା ସଞ୍ଚାର କରିଥିଲେ। ତେବେ କ୍ୟାପଟେନ୍ ୱିଲିୟମସନ୍ ଓ କନୱେ ତୃତୀୟ ୱିକେଟ୍ ପାଇଁ ୬୮ ରନର ଭାଗିଦାରୀ କରି ନିଜ ଦଳକୁ ଜିତାଇଥିଲେ। ଆଫଗାନିସ୍ତାନ ପକ୍ଷରୁ ରାଶିଦ୍ ଖାନ୍ ଓ ମୁଜୀବ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Comments are closed.