ହକି ବିଶ୍ବକପ୍: ଭାରତ-ଇଂଲଣ୍ଡ ମ୍ୟାଚ୍ ଗୋଲଶୂନ୍ୟ ଡ୍ର’

ରାଉରକେଲା: ବିର୍ସାମୁଣ୍ଡା ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଭାରତ-ଇଂଲଣ୍ଡ ମଧ୍ୟରେ ହକି ବିଶ୍ୱକପର ଗ୍ରୁପ୍ ଡି’ ମ୍ୟାଚ୍ ରୋମାଞ୍ଚକ ଡ୍ର’ରେ ଶେଷ ହୋଇଛି । ଉଭୟ ଦଳକୁ ଏକାଧିକ ସୁଯୋଗ ମିଳିଥିଲେ ମଧ୍ୟ ପରସ୍ପରର ଗୋଲପୋଷ୍ଟ ଭେଦ କରିପାରିନଥିଲେ । ଏହି ମ୍ୟାଚ୍ ଗୋଲଶୂନ୍ୟ ଡ୍ରରେ ଶେଷ ହୋଇଥିବା ବେଳେ ଭାରତ ଓ ଇଂଲଣ୍ଡ ପଏଣ୍ଟ ଭାଗ କରିଛନ୍ତି । ଏହି ଡ୍ର’ ମ୍ୟାଚ୍ ପରେ ଭାରତ ପୂର୍ବଭଳି ଗ୍ରୁପ୍ ଡି’ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ଶୀର୍ଷ ସ୍ଥାନ ବଜାୟ ରଖିଛି । ଭାରତ ଶେଷ ଗ୍ରୁପ୍ ମ୍ୟାଚରେ ୱେଲ୍ସକୁ ଭେଟିବାକୁ ଥିବା ବେଳେ ଇଂଲଣ୍ଡର ମୁକାବିଲା ସ୍ପେନ୍ ସହ ହେବ ।

ପ୍ରଥମ ମ୍ୟାଚରେ ସ୍ପେନକୁ ୨-୦ରେ ହରାଇବା ପରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ଉଚ୍ଚ ମନୋବଳ ସହ ପଡ଼ିଆକୁ ଓହ୍ଲାଇଥିଲା । ଭାରତର ପ୍ରଦର୍ଶନରେ ମଧ୍ୟ ଦଳର ଜୋଶ୍ ଦେଖିବାକୁ ମିଳିଥିଲା । ଉଭୟ ଟିମ୍ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା । ହେଲେ ଏହି କ୍ୱାର୍ଟରରେ ଭାରତ ଅପେକ୍ଷା ଇଂଲଣ୍ଡର ପ୍ରାଧାନ୍ୟ ରହିଥିଲା । ଇଂଲଣ୍ଡ ଅଧିକ ପୋଜେସନ୍ ସହ ପ୍ରଥମ କ୍ୱାର୍ଟରରେ ତିନୋଟି ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା । କିନ୍ତୁ ସତର୍କ ଭାରତୀୟ ରକ୍ଷଣଭାଗ ଇଂଲଣ୍ଡକୁ ଗୋଲ ସ୍କୋରିଂ ସୁଯୋଗ ଦେଇନଥିଲା ।

ଦ୍ୱିତୀୟ କ୍ୱାର୍ଟର ମଧ୍ୟ ରୋମାଞ୍ଚକ ହୋଇଥିଲା । ମ୍ୟାଚର ୧୭ତମ ମିନିଟରେ ଏମ୍ସ ଡେଭିଡଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଟିମ୍ ଆଉ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା । କିନ୍ତୁ ଏଥର ମଧ୍ୟ ଇଂଲିଶ୍ ଟିମକୁ ନିରାଶ କରିଥିଲେ ଭାରତୀୟ ରକ୍ଷଣଭାଗ । ବିଶେଷକରି ଭାରତୀୟ ଗୋଲକିପର କୃଷ୍ଣବାହାଦୂର ପାଠକ ପୁଣି ଚମତ୍କାର ପ୍ରଦର୍ଶନ କରିଥିଲେ ।

ଭାରତୀୟ ଦଳ କାଉଣ୍ଟର ଆଟାକ୍ କରିଥିଲା । ଗତ ମ୍ୟାଚର ହିରୋ ଉପଅଧିନାୟକ ଅମିତ ରୋହିଦାସ ବଲକୁ ନେଇ ଇଂଲଣ୍ଡ ସର୍କଲରେ ପଶିଥିଲେ । କିନ୍ତୁ ସେ ଇଂଲଣ୍ଡ ଏହି ସୁଯୋଗକୁ ରୂପାନ୍ତର କରିପାରିନଥିଲେ । ମ୍ୟାଚର ୨୪ ଓ ୨୬ତମ ମିନିଟରେ ଭାରତକୁ ଗୋଲ କରିବା ପାଇଁ ଆଉ ଦୁଇଟି ସୁଯୋଗ ମିଳିଥିଲା । କିନ୍ତୁ ଅଧିନାୟକ ହରମନପ୍ରୀତ ସିଂ ଇଂଲଣ୍ଡ ଡିଫେନ୍ସ ଭେଦ କରିବାକୁ ସଂଘର୍ଷ କରିଥିଲେ । ଦ୍ୱିତୀୟ କ୍ୱାର୍ଟର ବି ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା ।

ଦ୍ୱିତୀୟାର୍ଦ୍ଧରେ ରୋମାଞ୍ଚ ଆହୁରି ବଢିଯାଇଥିଲା । ଉଭୟ ଟିମ୍ ଖାତା ଖୋଲିବାକୁ ବ୍ୟଗ୍ର ଥିଲେ । ୩୧ତମ ମିନିଟରେ ଆକାଶଦୀପ ଇଂଲଣ୍ଡ ରକ୍ଷଣଭାଗକୁ ଭେଦକରି ଆଗକୁ ବଢିଥିଲେ ଓ ବଲକୁ ନେଟ୍ ଭିତରକୁ ପଠାଇବାକୁ ଚେଷ୍ଟା କରିଥିଲେ । ତେବେ ରେଫରୀ ଇଂଲଣ୍ଡ ଟିମକୁ ଫ୍ରି ହିଟ୍ ଦେଇଥିଲେ । ଭାରତୀୟ ଦଳ ଏହାର ରିଭ୍ୟୁ ପାଇଁ ଅପିଲ କରିଥିଲେ ମଧ୍ୟ ରେଫରୀଙ୍କ ନିଷ୍ପତ୍ତି କାଏମ ରହିଥିଲା ।
୪୫ତମ ମିନିଟରେ ମନ୍ଦୀପ ସିଂ ଗୋଲ୍ କରିଥିଲେ । କିନ୍ତୁ ଗୋଲପୋଷ୍ଟ ଭିତରକୁ ଯିବା ପୂର୍ବରୁ ବଲ୍ ଭାରତୀୟ ଖେଳାଳି ଅଭିଷେକଙ୍କ ପାଦରେ ବାଜିଥିବାରୁ ରେଫରୀ ଏହାକୁ ନାକଚ କରିଥିଲେ । ଭାରତ ଏହାର ରିଭ୍ୟୁ ମଧ୍ୟ କରିନଥିଲା । କାରଣ ଦଳ ପୂର୍ବରୁ ଏକମାତ୍ର ରିଭ୍ୟୁ ହରାଇ ଦେଇଥିଲା ।

ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । ଉଭୟ ଦଳକୁ ଗୋଲ୍ କରିବା ପାଇଁ ଏକାଧିକ ସୁଯୋଗ ମିଳିଥିଲା । କିନ୍ତୁ ସ୍କୋର ୦-୦ ରହିଥିଲା । ମ୍ୟାଚ୍ ଶେଷ ହେବାକୁ ଆଉ ୨୦ ସେକେଣ୍ଡ୍ ଥିବାବେଳେ ଇଂଲଣ୍ଡକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ତେବେ ଇଂଲଣ୍ଡର ସଟ୍ ଲକ୍ଷ୍ୟଚ୍ୟୁତ ହେବାରୁ ଭାରତ ଆଶ୍ୱସ୍ତ ହୋଇଥିଲା । ପୂରା ମ୍ୟାଚରେ ଇଂଲଣ୍ଡକୁ ୮ଟି ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ ଭାରତ ମାତ୍ର ୪ଟି ପେନାଲ୍ଟି କର୍ଣ୍ଣର ପାଇଥିଲା ।

Comments are closed.