ଆଜି ଦିଲ୍ଲୀରେ ତୃତୀୟ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ବରାବର ସ୍ଥିତିରେ ରହିଛନ୍ତି। ଏଭଳି ସ୍ଥଳେ ଉଭୟ ଦଳ ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିବେ ।

ଟିମ ଇଣ୍ଡିଆ ରାଞ୍ଚି ପ୍ରଦର୍ଶନକୁ ଦୋହରାଇ ସିରିଜ କବଜା କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଶିଖର ଧାୱନଙ୍କ ନେତୃତ୍ୱାଧନ ଟିମ୍ ଇଣ୍ଡିଆ ଆଉ ଏକ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି। ଦ୍ଵିତୀୟ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇ ସିରିଜକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଶ୍ରେୟାସ ଆୟାର ଓ ଇଶାନ କିଶନ ଦମଦାର ବ୍ୟାଟିଂ କରି ଭାରତକୁ ବିଜୟୀ କରାଇଥିଲେ।

ନିର୍ଣ୍ଣାୟକ ମ୍ୟାଚରେ ଉଭୟଙ୍କ ଠାରୁ ଅନୁରୂପ ପ୍ରଦର୍ଶନ ଆଶା କରାଯିବା ସ୍ବାଭାବିକ। ଏତଦବ୍ୟତୀତ ସଞ୍ଜୁ ସାମସନଙ୍କ ଫର୍ମ ଦଳକୁ ଉତ୍ସାହିତ କରିଛି । ଦଳରେ ସାର୍ଦ୍ଦୁଳ ଠାକୁର ଓ ୱାଶିଂଟନ ସୁନ୍ଦରଙ୍କ ପରି ଉପଯୋଗୀ ଅଲରାଉଣ୍ଡର ରହିଛନ୍ତି । ବୋଲିଂରେ ମହମ୍ମଦ ସିରାଜ, ଅଭେଶ ଖାନ ଓ କୁଲଦୀପ ଯାଦବ ପ୍ରମୁଖ ଗ୍ରହଣ କରିବେ । ଏହି ମ୍ୟାଚରେ ମୁକେଶ କୁମାର କିମ୍ବା ସାହବାଜ ଅହମ୍ମଦଙ୍କ ମଧ୍ୟରୁ ଜଣେ ଖେଳିବା ଆଶା କରାଯାଉଛି ।

ଅନ୍ୟପକ୍ଷରେ ସିରିଜ ନିର୍ମାୟକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଖେଳାଳି କୌଣସି ସୁଯୋଗ ହାତଛଡା କରିବାକୁ ଚାହିଁବେନି। ଟେମ୍ବା ବିଭୁମାଙ୍କ ନେତୃତ୍ବାଧୀନ ଟିମରେ ହେନରିକ କ୍ଲାସନ ଓ ଡେଭିଡ ମିଲରଙ୍କ ପରି ବିସ୍ଫୋରକ ବ୍ୟାଟର ରହିଛନ୍ତି। ଏନରିକ ନର୍ଜେ, କାଗିସୋ ରାବାଡା,ୱେନ ପର୍ନେଲ ଓ କେଶବ ମହାରାଜଙ୍କୁ ନେଇ ବୋଲିଂ ଲାଇନଅପ ଅତ୍ୟନ୍ତ ଶକ୍ତିଶାଳୀ ହୋଇଛି । ମଙ୍ଗଳବାର ଦୁଇ ଦଳ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିପାରେ। ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୮୯ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଏଥରେ ଭାରତ ୩୬ଟି ମ୍ୟାଚ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ୫୦ଟି ମ୍ୟାଚରେ ବିଜୟୀ ହୋଇଛି। ତିନୋଟି ମ୍ୟାଚରୁ ଫଳାଫଳ ବାହାରି ପାରିନି ।

Comments are closed.