ଆଜି ବିଶାଖାପାଟଣାରେ ତୃତୀୟ ଟି-୨୦, ଭାରତ ପାଇଁ କର ବା ମର ସ୍ଥିତି

ବିଶାଖାପାଟଣା: ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଆଜି ଏଠାରେ ଖେଳାଯିବ। ଭାରତ ପ୍ରଥମ ଦୁଇ ମ୍ୟାଚରେ ପରାସ୍ତ ହୋଇଥିବାରୁ ସିରିଜରେ ବିଜୟୀ ହେବାକୁ ହେଲେ ଅବଶିଷ୍ଟ ତିନି ମ୍ୟାଚରେ ଜିଣିବାକୁ ହେବ। ତେଣୁ ବିଶାଖାପାଟଣାରେ ଭାରତ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି। ଭାରତର କାମଚଳା ଅଧିନାୟକ ରିଷଭ ପନ୍ତତାଙ୍କର ନେତୃତ୍ୱର ନମୁନା ବର୍ତ୍ତମାନ ସୁଦ୍ଧା ଦେଖାଇପାରିନଥିବା ବେଳେ ଅବଶିଷ୍ଟ ତିନି ମ୍ୟାଚ ତାଙ୍କ ପାଇଁ କଡା ପରୀକ୍ଷା ବୋଲି କୁହାଯାଉଛି। ସ୍ପିନ ବୋଲର ପ୍ରଭାବହୀନ, ଫର୍ମରେ ନଥିବା ଓପନର ସହ ନିଜର ଦୁର୍ବଳ ପ୍ରଦର୍ଶନ ଅଧିନାୟକ ପନ୍ତଙ୍କ ପାଇଁ ଏହି ମ୍ୟାଚରେ ସମସ୍ୟା ସୃଷ୍ଟି କରିବା ସମ୍ଭାବନା ରହିଛି।

ଲଗାତାର ୧୨ଟି ମ୍ୟାଚରେ ଜିତିବା ପରେ ଭାରତ ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରକାର ଟିମ୍ ଇଣ୍ଡିଆର ଏହି ଧାରା ଭାଙ୍ଗିଥିଲା । ଏହାପରେ କଟକରେ ମଧ୍ୟ ଭ୍ରମଣକାରୀ ଦଳ ବାଜି ମାରିନେଇଥିଲା । ବହୁ ସମସ୍ୟାରେ ଏବେ ଟିମ ଇଣ୍ଡିଆ ରହିଥିବାରୁ ଏଠାରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ ମ୍ୟାଚରେ ତାହା ସୁଧାରିବାର ସମୟ ରହିଛି। ପ୍ରଥମ ମ୍ୟାଚରେ ବୋଲିଂ ଏବଂ କଟକ ମ୍ୟାଚ ବ୍ୟାଟରଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଭାରତ ହାରିଥିବା କୁହାଯାଉଛି। ଓପନର ବିଫଳ ହେଉଥିବାରୁ ବ୍ୟାଟିଂଲାଇନ ଭାଙ୍ଗିଯାଉଛି। ଇସାନ କ୍ରିଷ୍ଣନ ବର୍ତ୍ତମାନା ସୁଦ୍ଧା ଭଲ ପ୍ରଦର୍ଶନ କରିଥିବା ବେଳେ ଋତୁରାଜ ଗାଏକୱାର୍ଡ ପ୍ରଥମ ମ୍ୟାଚରେ ୨୩ ଓ ଦ୍ୱିତୀୟ ମ୍ୟାଚରେ ୧ ରନ କରି ଆଉଟ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ଦୃଢ଼ ବୋଲିଂର ସମ୍ମୁଖୀନ ଭାରତୀୟ ବ୍ୟାଟର ହୋଇପାରୁନଥିବା କୁହାଯାଉଛି । ଓପନର ସହ ଶେୟାସ ଆୟର ମଧ୍ୟ ବିଫଳ ହୋଇଛନ୍ତି। ମଧ୍ୟ ଭାଗରେ ଭଲ ବ୍ୟାଟିଂ କରି ପ୍ରତିପକ୍ଷ ବୋଲରଙ୍କ ଉପରେ ପ୍ରଭାବ ସୃଷ୍ଟି କରିବାରେ ସେ ବିଫଳ ହୋଇଛନ୍ତି। ସେହିପରି ଆଇପିଏଲରେ ଗୁଜରାଟ ଟାଇଟନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବିଫଳ ହୋଇଛନ୍ତି। ସେ ଚାରି ଓଭର ବୋଲିଂ କରି କଟକ ମ୍ୟାଚରେ ୪୯ ରନ ଦେଇଥିଲେ। ପନ୍ତ ସେହିପରି ୨୯ ଓ ୫ ରନ କରିବାକୁ ସକ୍ଷମ ହୋଇଛନ୍ତି। ଦୁର୍ବଳ ବ୍ୟାଟିଂ ଯୋଗୁଁ ନେତୃତ୍ୱର ଆତ୍ମବିଶ୍ୱାସ ସୃଷ୍ଟି କରିପାରିନାହାନ୍ତି।

ଟିମ ଇଣ୍ଡିଆ ସ୍ପିନରଙ୍କ ଉପରେ ଅଧିକ ନିର୍ଭରଶୀଳ ଥିବା ବେଳେ ପ୍ରମୁଖ ସ୍ପିନର ଚହଲ ଓ ଅକ୍ସର ପଟେଲ ଯଥାକ୍ରମେ ୬ ଓ ୫ ଓଭରରେ ୭୫ ଓ ୫୯ ରନ ଦେଇଥିଲେ। ଆଇପିଏଲରେ ପର୍ପଲ କ୍ୟାପ ଲାଭ କରିପାରିଥିବା ଚହଲ କିନ୍ତୁ ଏବେ ବିଫଳହୋଇଛନ୍ତି। ଦୁଇ ସ୍ପିନର ବିଫଳ ହୋଇଥିବାରୁ ଟିମ ଇଣ୍ଡିଆ କର୍ତ୍ତୃପକ୍ଷ ଲେଗି ରବି ବିଷ୍ଣୋଇ କିମ୍ବା ଅଲରାଉଣ୍ଡର ଭେଙ୍କଟସ ଆୟାରଙ୍କ ମଧ୍ୟରୁ ଜଣକୁ ମ୍ୟାଚ ଖେଳିବା ପାଇଁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ଭାରତୀୟ ବୋଲରଙ୍କ ମଧ୍ୟରେ ଭୁବନେଶ୍ୱର କୁମାର କେବଳ ଜଣେ ମାତ୍ର ବୋଲର ଭାବେ ଭଲ ପ୍ରଦର୍ଶନ କରିପାରିଛନ୍ତି। ଦକ୍ଷିଣ ଆଫ୍ରିକା ଅନ୍ୟପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରିଛି।

Comments are closed.