ବିଶ୍ବ କ୍ଷୁଧା ତାଲିକାରେ ଆହୁରି ତଳକୁ ଖସିଲା ଭାରତ; ପାକିସ୍ତାନ, ବାଂଲାଦେଶ ଠାରୁ ବି ପଛରେ

ନୂଆଦିଲ୍ଲୀ: ୧୧୬ଟି ଦେଶକୁ ନେଇ ବିଶ୍ବ କ୍ଷୁଧା ସୂଚକାଙ୍କ (ଜିଏଚ୍ଆଇ) ୨୦୨୧ ପ୍ରକାଶ ପାଇଛି । ଗତ ଥର ଅପେକ୍ଷା ଏଥର ଏହି ତାଲିକାରେ ଭାରତ ଆହୁରି ତଳକୁ ଖସିଛି ।
ଭାରତ ୧୦୧ତମ ସ୍ଥାନକୁ ଖସି ଆସିଛି। ଏପରିକି ଭାରତ ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳଠାରୁ ମଧ୍ୟ ପଛରେ ପଡିଛି। ୨୦୨୦ରେ ଭାରତ ୯୪ତମ ସ୍ଥାନରେ ଥିଲା | କ୍ଷୁଧା ଏବଂ ପୁଷ୍ଟିହୀନତା ଉପରେ ନଜର ରଖୁଥିବା ବିଶ୍ବ କ୍ଷୁଧା ସୂଚକାଙ୍କର ୱେବସାଇଟରେ କୁହାଯାଇଛି ଯେ ଚୀନ୍, ବ୍ରାଜିଲ ଏବଂ କୁଏତ ସମେତ ୧୮ ଦେଶ ପାଞ୍ଚରୁ କମ୍ ଜିଏଚ୍ଆଇ ସ୍କୋର ସହ ଏହି ତାଲିକାର ଶୀର୍ଷ ସ୍ଥାନରେ ଅଛନ୍ତି ।

ଆୟର୍ଲାଣ୍ଡର ଏକ ସଂସ୍ଥା କନ୍ସର୍ନ ୱାର୍ଲ୍ଡଓ୍ବାଇଡ୍ ଏବଂ ଜର୍ମାନ ସଂଗଠନ ୱେଲ୍ଟ ହଙ୍ଗର ହିଲଫ ଦ୍ବାରା ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ଭାରତରେ କ୍ଷୁଧା ସ୍ତରକୁ ‘ଉଦବେଗଜନକ’ ବୋଲି କୁହାଯାଇଛି । ୨୦୨୦ରେ ଭାରତ ୧୦୭ଟି ଦେଶ ମଧ୍ୟରୁ ୯୪ତମ ସ୍ଥାନରେ ଥିଲା। କିନ୍ତୁ ଚଳିତ ବର୍ଷ ୧୧୬ଟି ଦେଶ ମଧ୍ୟରୁ ଭାରତର ମାନ୍ୟତା ୧୦୧ତମ ସ୍ଥାନକୁ ଖସି ଆସିଛି |

ଭାରତର ଜିଏଚ୍ଆଇ ସ୍କୋର ମଧ୍ୟ ହ୍ରାସ ପାଇଛି। ୨୦୦୦ ମସିହାରେ ଏହା ୩୮.୮ ଥିଲା, ଯାହା ୨୦୧୨ ରୁ ୨୦୨୧ ମଧ୍ୟରେ ୨୮.୮ – ୨୭.୫ ମଧ୍ୟରେ ରହିଛି | ଜିଏଚ୍ଆଇ ସ୍କୋରର ଆକଳନ ଚାରୋଟି ମାପଦଣ୍ଡ ଯଥା ପୁଷ୍ଟିହୀନତା, କୁପୋଷଣ, ଶିଶୁ ବିକାଶ ହାର ଏବଂ ଶିଶୁ ମୃତ୍ୟୁହାର ଆଧାରରେ କରାଯାଏ ।

Comments are closed.