ପ୍ରଥମ ଦଳ ଭାବେ ବିଶ୍ୱକପ୍ ସେମିଫାଇନାଲରେ ଭାରତ, ଶ୍ରୀଲଙ୍କାକୁ ୩୦୨ ରନ୍‌ରେ ହରାଇ ଲଗାତାର ସପ୍ତମ ବିଜୟ ହାସଲ

ମୁମ୍ବାଇ: ଦିନିକିଆ ବିଶ୍ୱକପରେ ଅପରାଜେୟ ଧାରା ଜାରି ରଖି ଭାରତ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଛି । ୱାଙ୍ଖେଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩୦୨ ରନ୍‌ର ବୃହତ ବ୍ୟବଧାନରେ ହରାଇ ଭାରତ ନକ୍ ଆଉଟ୍‌ରେ ସ୍ଥାନ ପକ୍କା କରିଛି । ବିଶ୍ୱକପରେ ଭାରତର ଏହା ସର୍ବବୃହତ୍ ବିଜୟ (ରନ୍‌ରେ) । ଏଥିସହ ବିଶ୍ୱକପରେ ବିଜୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ । ଭାରତ ୭ଟିରୁ ୭ ମ୍ୟାଚ୍ ଜିତିଥିବାବେଳେ ପଏଣ୍ଟ ଟେବୁଲର ଶୀର୍ଷକୁ ମଧ୍ୟ ଫେରିିଛି ।

ଶ୍ରୀଲଙ୍କା ଅଧିନାୟକ କୁସଲ ମେଣ୍ଡିସ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ । ହେଲେ ସେ ଭାବିନଥିଲେ ଯେ ତାଙ୍କର ଏହି ନିଷ୍ପତ୍ତି ଏକ ମସ୍ତବଡ଼ ଭୁଲ୍ ହେବ । ଭାରତ ଇନ୍‌ଫର୍ମ ଅଧିନାୟକ ରୋହିତ ଶର୍ମାଙ୍କ ୱିକେଟ୍ ପ୍ରଥମ ଓଭରରେ ହରାଇଥିଲେ ମଧ୍ୟ ବିରାଟ କୋହଲି, ଶୁଭମାନ୍ ଗିଲ୍ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ସହାୟତାରେ ୮ ୱିକେଟ୍ ହରାଇ ୩୫୭ ରନ୍‌ର ବିଶାଳ ସ୍କୋର କରିଥିଲା । ଏହାପରେ ମହମ୍ମଦ ସାମି ଓ ସିରାଜଙ୍କ ଘାତକ ବୋଲିଂ ବଳରେ ଶ୍ରୀଲଙ୍କା ବ୍ୟାଟିଂ ଲାଇନଅପ୍‌କୁ ଧ୍ୱସ୍ତ କରିଥିଲା । ଭାରତ ପ୍ରଦତ୍ତ ୩୫୮ ରନ୍‌ର ବିଜୟଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ୧୯.୪ ଓଭରରେ ମାତ୍ର ୫୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା ।

ଶ୍ରୀଲଙ୍କା ତରଫରୁ ମାତ୍ର ତିନି ବ୍ୟାଟର ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ ।

ବିଶ୍ୱକପ୍ ପୂର୍ବରୁ ଭାରତ ବିପକ୍ଷ ଏସିଆ କପ୍ ଫାଇନାଲ୍‌ରେ ଶ୍ରୀଲଙ୍କା ୫୦ ରନ୍‌ରେ ଢ଼େର୍ ହୋଇଥିଲା । ଏଥର ବି ଭାରତୀୟ ପେସ୍ ବାହିନୀ ଆଗରେ ଶ୍ରୀଲଙ୍କା ବ୍ୟାଟର ସମ୍ପୂର୍ଣ୍ଣ ସରେଣ୍ଡର କରିଥିଲେ । ଭାରତ ତରଫରୁ ପୁଣି ମହମ୍ମଦ ସାମି ନିଜ ମ୍ୟାଜିକ୍ ଦେଖାଇଥିଲେ । ସେ ୧୮ ରନ୍ ବ୍ୟୟ କରି ୫ଟି ୱିକେଟ୍ ନେଇଥିଲେ । ଚଳିତ ବିଶ୍ୱକପରେ ସାମି ଦ୍ୱିତୀୟ ଥର ୫ ୱିକେଟ୍ ସଫଳତା ପାଇଛନ୍ତି । ଏଥିସହ ସେ ବିଶ୍ୱକପରେ ଭାରତ ପକ୍ଷରୁ ସର୍ବାଧିକ ୪୫ ୱିକେଟ୍ ହାସଲ କରି ଜାହିିର ଖାନ୍‌ଙ୍କୁ ଟପିଛନ୍ତି ।

ସାମିଙ୍କ ବ୍ୟତୀତ ମହମ୍ମଦ ସିରାଜ ୧୬ ରନ୍‌ରେ ୩ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମ୍‌ରା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ହାସଲ କରିଥିଲେ । ସାମି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଶ୍ରୀଲଙ୍କା ୭ଟି ମ୍ୟାଚରୁ ପଞ୍ଚମ ପରାଜୟ ଭୋଗିଥିବା ବେଳେ ଦଳର ସେମି ଆଶା ମଉଳିଛି ।
ପୂର୍ବରୁ ଗିଲ୍ (୯୨ ରନ୍, ୮୨ ବଲ୍, ୧୧ ଚୌକା, ୨ ଛକା) ଏବଂ କୋହଲି (୮୮ ରନ, ୯୪ ବଲ୍, ୧୧ ଚୌକା) ଅର୍ଦ୍ଧଶତକୀୟ ପାଳି ବ୍ୟତୀତ ଦ୍ବିତୀୟ ୱିକେଟ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ୧୮୯ ରନ୍ ଭାଗିଦାରୀ କରିଥିଲେ। ପରେ ଶ୍ରେୟସ୍ ଆୟର ୫୬ ବଲରେ ୬ଟି ଛକା ଓ ତିନୋଟି ଚୌକା ସହ ୮୨ ରନର ଇନିଂସ୍ ଖେଳିଥିଲେ। ସେ ରବୀନ୍ଦ୍ର ଜାଡେଜା (୨୪ ବଲରେ ୩୫ ରନ୍)ଙ୍କ ସହ ଷଷ୍ଠ ୱିକେଟ୍ ପାଇଁ ୩୬ ବଲରେ ୫୭ ରନ୍ ଯୋଡିଥିଲେ।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ମ୍ୟାଚର ଦ୍ୱିତୀୟ ବଲରେ ଅଧିନାୟକ ରୋହିତ ଶର୍ମା (୪)ଙ୍କ ୱିକେଟ୍ ହରାଇଥିଲା। ରୋହିତ ମଧୁଶଙ୍କାଙ୍କ ପ୍ରଥମ ବଲରେ ଚୌକା ମାରିଥିଲେ । ହେଲେ ପରବର୍ତ୍ତୀ ବଲରେ ରୋହିତ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ ।

ଏହାପରେ ଶ୍ରୀଲଙ୍କା ବୋଲରମାନଙ୍କୁ ପରବର୍ତ୍ତୀ ସଫଳତା ପାଇଁ ପ୍ରାୟ ୩୦ ଓଭର ଅପେକ୍ଷା କରିବାକୁ ପଡ଼ିଥିଲା। କିଛି ଓଭର ସତର୍କତାର ସହ ଖେଳିବା ପରେ କୋହଲି ଓ ଗିଲ୍ ଖୋଲାଖୋଲି ସଟ୍ ଖେଳି ରନ୍ ଗତି ବଢ଼ାଇଥିଲେ।

କୋହଲି ମଧୁଶଙ୍କାଙ୍କ ବଲରେ ଚୌକା ମାରି ଖାତା ଖୋଲିଥିବାବେଳେ ଗିଲ୍ ମଧ୍ୟ ଏହି ଦ୍ରୁତ ବୋଲରଙ୍କୁ ଲଗାତାର ଦୁଇଟି ଚୌକା ମାରିଥିଲେ।

କୋହଲି ବ୍ୟକ୍ତିଗତ ୧୦ ରନରେ ଥିବାବେଳେ ତାଙ୍କୁ ଭାଗ୍ୟଦେବୀ ସହାୟ ହୋଇଥିଲେ। ଷଷ୍ଠ ଓଭରରେ ଦୁଷ୍ମନ୍ତ ଚାମିରା (୭୧/୧)‌ ନିଜ ବୋଲିଂରେ ହିଁ ତାଙ୍କ କ୍ୟାଚ୍ ଛାଡ଼ି ଦେଇଥିଲେ । ସେହି ଓଭରରେ ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଦୁଇଟି ଚୌକା ମାରିଥିଲେ।

ପ୍ରଥମ ୧୦ ଓଭର ପାୱାର ପ୍ଲେରେ ଭାରତ ଗୋଟିଏ ୱିକେଟ୍ ବିନିମୟରେ ୬୦ ରନ୍ ସଂଗ୍ରହ କରିଥିଲା।

ଦୁଶାନ ହେମନ୍ତଙ୍କ ବଲରେ ଦୁଇ ରନ୍ ନେଇ କୋହଲି ୫୦ଟି ବଲରେ ଅର୍ଦ୍ଧଶତକ ପୂରଣ କରିଥିବାବେଳେ ଗିଲ୍ ମଧ୍ୟ ଏହି ଲେଗ୍ ସ୍ପିନରଙ୍କୁ ଚୌକା ମାରି ୫୫ ବଲରେ ୫୦ ରନ୍ ଅତିକ୍ରମ କରିଥିଲେ।

ଚାମିରାଙ୍କ ବଲରେ ଗିଲ୍ ଇନିଂସର ପ୍ରଥମ ଛକା ମାରିବା ପରେ ହେମନ୍ତଙ୍କ ବଲକୁ ମଧ୍ୟ ଦର୍ଶକଙ୍କ ନିକଟକୁ ପଠାଇଥିଲେ।

ଗିଲ୍ ପୁଣି ମଧୁଶଙ୍କାଙ୍କ ବଲରେ ଚୌକା ମାରି ୯୦ ରନରେ ପହଞ୍ଚିଥିଲେ । କିନ୍ତୁ ସେହି ଓଭରରେ ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରି ଥାର୍ଡମ୍ୟାନ୍ ଅଞ୍ଚଳରେ କୁଶଲ ମେଣ୍ଡିସଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ ।

ତାଙ୍କ ପରବର୍ତ୍ତୀ ଓଭରରେ ମଧୁଶଙ୍କା ସ୍ଲୋ ବଲରେ କୋହଲିଙ୍କୁ ସର୍ଟ କଭରରେ ପୃଥମ୍ ନିସଙ୍କାଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଭାରତକୁ ଦ୍ଵିତୀୟ ଝଟକା ଦେଇଥିଲେ । ତେବେ ଏହି ଇନିଂସ ସମୟରେ କୋହଲି ଏକ କ୍ୟାଲେଣ୍ଡର ବର୍ଷରେ ରେକର୍ଡ ଅଷ୍ଟମ ଥର ପାଇଁ ୧୦୦୦ ରନ୍ ଅତିକ୍ରମ କରିବାରେ ସଫଳ ହୋଇଥିଲେ। ଏପରି ୭ ଥର କରିଥିବା ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଥିଲେ କୋହଲି ।

ଗତ ଦୁଇଟି ମ୍ୟାଚରେ ଫେଲ୍ ମାରିଥିବା ଆୟର ଆଜି ଆକର୍ଷଣୀୟ ପାଳି‌ ଖେଳିଥିଲେ | ସେ କାସୁନ୍ ରଜିତାଙ୍କ ବଲରେ ଦୁଇଟି ଏବଂ ହେମନ୍ତଙ୍କ ବଲରେ ଗୋଟିଏ ଛକା ମାରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ରଜିତାଙ୍କ ବଲରେ ତାଙ୍କର ଦ୍ୱିତୀୟ ଛକା ଚଳିତ ବିଶ୍ୱକପର ସବୁଠୁ ଲମ୍ବା ଥିଲା । ଏହା ଏକ ୧୦୬ ମିଟର ଛକା ଥିଲା ।

ଲୋକେଶ ରାହୁଲ ୧୯ଟି ବଲରେ ୨୧ ରନ୍ କରିବା ପରେ ଚାମିରାଙ୍କ ବଲରେ ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ(୧୨) ଙ୍କୁ କଟ୍ ବିହାଇଣ୍ଡ କରାଇ ମଧୁଶଙ୍କା ଭାରତକୁ ପଞ୍ଚମ ଝଟକା ଦେଇଥିଲେ।

ତେବେ ଆୟର ମାତ୍ର ୩୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରି ସ୍କୋରକୁ ଆଗେଇ ନେଇଥିଲେ । ୪୫ତମ ଓଭରରେ ଭାରତର ୩୦୦ ରନ୍ ଟପିଥିଲା।

ଆୟର୍ ୪୮ ତମ ଓଭରରେ ମଧୁଶଙ୍କାଙ୍କ ବିପକ୍ଷରେ ଲଗାତାର ଦୁଇଟି ଛକା ମାରିଥିଲେ । କିନ୍ତୁ ପରବର୍ତ୍ତୀ ବଲରେ ତୀକ୍ଷନାଙ୍କୁ କ୍ୟାଚ୍ ଦେଇଥିଲେ । ଇନିଂସର ଶେଷ ବଲରେ ଆଉଟ୍ ହେବା ପୂର୍ବରୁ ଜାଡେଜା ଚାମିରାଙ୍କ ବଲରେ ଏକ ଛକା ମାରିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୁଶଙ୍କା ସବୁଠାରୁ ସଫଳ ବୋଲର ହୋଇଥିଲେ । ସେ ୮୦ ରନ୍ ଦେଇ କ୍ୟାରିୟରରେ ପ୍ରଥମ ଥର ପାଇଁ ୫ ୱିକେଟ୍ ନେଇଥିଲେ।

Comments are closed.