ରୋହିତ, ଗିଲଙ୍କ ଶତକ: ଧର୍ମଶାଳା ଟେଷ୍ଟରେ ଭାରତର ସ୍ଥିତି ମଜବୁତ

ଧର୍ମଶାଳା: ଅଧିନାୟକ ରୋହିତ ଶର୍ମା ଓ ଶୁଭମାନ ଗିଲଙ୍କ ଶତକ ସହାୟତାରେ ଭାରତ ପଞ୍ଚମ ଟେଷ୍ଟରେ ନିଜ ସ୍ଥିତି ମଜବୁତ୍ କରିନେଇଛି ‌। ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୪୭୩ ରନ୍ କରିଛି । ଶେଷ ସେସନରେ ଭାରତ ୯୭ ରନରେ ପାଞ୍ଚ ୱିକେଟ୍ ହରାଇଥିଲେ ମଧ୍ୟ ଦଳ ଏଯାବତ୍ ୨୫୫ ରନର ବଡ଼ ଅଗ୍ରଣୀ ହାସଲ ସହ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଛି ।

ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୧୩୫/୧ରୁ ଆଗକୁ ଖେଳିଥିବା ବେଳେ ରୋହିତ ଓ ଗିଲ୍ ପ୍ରଥମ ସେସନରେ ଇଂଲଣ୍ଡ ବୋଲର ମାନଙ୍କୁ କ୍ଲାନ୍ତ କରି ଦେଇଥିଲେ ‌। ଉଭୟ ବ୍ୟାଟର ଇଂଲଣ୍ଡକୁ କୌଣସି ସୁଯୋଗ ନ ଦେଇ ପ୍ରଥମ ସେସନରେ ହିଁ ନିଜ ନିଜ ଶତକ ପୂରଣ କରିଥିଲେ । ରୋହିତ ୧୨ ଚୌକା ଓ ୩ଟି ଛକା ସହ ୧୦୩ ରନ୍ କରିଥିଲେ । ଗିଲ୍ ୧୫ଟି ଚୌକା ଓ ୫ଟି ଚକା ସହ ୧୧୦ ରନ୍ କରିଥିଲେ । ଚଳିତ ସିରିଜରେ ଉଭୟ ଖେଳାଳିଙ୍କ ଏହା ଦ୍ୱିତୀୟ ଶତକ ଥିଲା। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୨୪୪ ବଲରେ ୧୭୧ ରନ୍ ଯୋଡ଼ିଥିଲେ।

ଦ୍ବିତୀୟ ସେସନ୍ ଆରମ୍ଭରେ ଉଭୟ ରୋହିତ ଓ ଗିଲ୍ ୮ଟି ବଲ୍ ବ୍ୟବଧାନରେ ଆଉଟ୍ ହୋଇଥିଲେ । ଏହାପରେ ଡେବୁଟାଣ୍ଟ ଦେବଦତ୍ତ ପାଡିକ୍କଲ ଓ ସରଫରାଜ ଖାନ୍ ଚତୁର୍ଥ ଓ୍ବିକେଟ୍ ପାଇଁ ୯୭ ରନ୍ ଯୋଗକରି ପାଳି ସମ୍ଭାଳିଥିଲେ । କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳୁଥିବା ଦେବଦତ୍ତ ପାଡିକ୍କଲ ୧୦୩ ବଲରେ ୬୫ ରନ କରିଥିବାବେଳେ ସରଫରାଜ ଖାନ ୬୦ ବଲରେ ୫୬ ରନ୍ କରିଥିଲେ । ସରଫରାଜ ଚା’ପାନ ବିରତି ପରେ ପ୍ରଥମ ବଲରେ ୱିକେଟ୍ ହରାଇଥିଲେ। ଏହାପରେ ପାଡିକ୍କଲ ମଧ୍ୟ ପ୍ୟାଭିଲିୟନ ଫେରିଥିଲେ ।

ରାଞ୍ଚି ଟେଷ୍ଟର ହିରୋ ଧ୍ରୁବ ଜୁରେଲ(୧୫) ଓ ରବୀନ୍ଦ୍ର ଜାଡେଜା (୧୫) ମଧ୍ୟ ଶସ୍ତାରେ ଆଉଟ୍ ହୋଇଥିଲେ । କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳୁଥିବା ଅଶ୍ୱିନ ଖାତା ଖୋଲିନପାରି ପ୍ୟାଭିଲିୟନ ଫେରିଥିଲେ । ହେଲେ କୁଲଦୀପ ଯାଦବ ଓ ଯସପ୍ରୀତ ବୁମରା ଭାରତର ଅଗ୍ରଣୀକୁ ୨୫୦ ପାର କରାଇବାରେ ସଫଳ ହୋଇଛନ୍ତି । ଦ୍ବିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ କୁଲଦୀପ ୨୭ ଓ ବୁମରା ୧୯ ରନ୍ କରି ଅପରାଜିତ ରହିଛନ୍ତି । ଉଭୟ ଏଯାବତ୍ ୪୫ ରନ୍ ଯୋଡ଼ି ସାରିଛନ୍ତି ।

ଇଂଲଣ୍ଡ ପକ୍ଷରୁ ଅଫ୍ ସ୍ପିନର ସୋଏବ ବଶୀର ୪୪ ଓଭରରେ ୧୭୦ ରନ୍ ବ୍ୟୟ କରି ୪ଟି ୱିକେଟ୍ ନେଇଥିବାବେଳେ ବାମହାତୀ ସ୍ପିନର ଟମ୍ ହାର୍ଟଲି ୩୯ ଓଭରରେ ୧୨୬ ରନ୍ ଦେଇ ୨ଟି ୱିକେଟ୍ ନେଇଛନ୍ତି ।

Comments are closed.