ଆଜି ଦ୍ୱିତୀୟ ଟି୨୦: ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ଭାରତ

ସେଣ୍ଟ କିଟ୍ସ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି୨୦ ସୋମବାର ଖେଳାଯିବ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଜୟଯାତ୍ରା ଜାରି ରଖିବା ଲକ୍ଷ୍ୟରେ ରହିବ ।

ପ୍ରଥମ ମ୍ୟାଚରେ ଭାରତ କେବଳ ଅଲରାଉଣ୍ଡ ପ୍ରଦର୍ଶନ ସହ ଘରୋଇ ଦଳକୁ ଦାବି ନଥିଲା, ବରଂ ରୋହିତଙ୍କ ଚତୁର୍ଥ କ୍ୟାପଟେନ୍ସି ମଧ୍ୟ ଏହି ବିଜୟରେ ବିଶେଷ ଯୋଗଦାନ କରିଥିଲା । ରୋହିତ ପ୍ରଥମ ମ୍ୟାଚରେ ତିନି ସ୍ପିନର ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ରବି ବିଷ୍ଣୋଇଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିଥିଲେ । ଏହି ନିଷ୍ପତ୍ତି ଶେଷରେ ଠିକ୍ ବୋଲି ସାବ୍ୟସ୍ତ ହୋଇଥିଲା ।

ଟି୨୦ ବିଶ୍ୱକପକୁ ତିନି ମାସରୁ କମ୍ ସମୟ ବାକି ରହିଥିବା ବେଳେ ଭାରତ ଏହି ଫର୍ମାଟରେ ବିଜୟ ଧାରା ବଜାୟ ରଖି ନିଜକୁ ଏହି ମେଗା ଇଭେଣ୍ଟ ପାଇଁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି । ଇଂଲଣ୍ଡ ବିପକ୍ଷ ସିରିଜରେ ରୋହିତଙ୍କ ସହ ରିଷଭ ପନ୍ତ ଓପନିଂ କରିବାକୁ ଆସିଥିଲେ । କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି୨୦ରେ ରୋହିତଙ୍କ ସହ ସୂର୍ଯ୍ୟକୁମାର ଯାଦବ ଇନିଂସ୍ ଓପନ୍ କରିଥିଲେ । ଚଳିତ ବର୍ଷ ଟି୨୦ରେ ସୂର୍ଯ୍ୟକୁମାର ଭାରତ ପାଇଁ ସପ୍ତମ ଓପନର ଥିଲେ । ସେ ଦ୍ରୁତ ଆରମ୍ଭ କରିଥିଲେ ମଧ୍ୟ ବଡ଼ ଇନିଂସ୍ ଖେଳିପାରି ନଥିଲେ । ସୂର୍ଯ୍ୟକୁମାର ୧୬ଟି ବଲରେ ୨୪ ରନ୍ କରିବା ପରେ ଅକିଲ ହୁସେନଙ୍କ ବଲରେ ଆଉଟ୍ ହୋଇଯାଇ ଥିଲେ।

କେଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ଭାରତ ଚଳିତ ସିରିଜରେ ନିଜ ବ୍ୟାଟିଂ କ୍ରମକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରଖିବ କି ନାହିଁ ଦେଖିବା ମଜାଦାର ହେବ । ଆଉ ଏକ ବିଷୟ ହେଉଛି ଭାରତ ପାଖରେ ବହୁ ସମୟ ଧରି ଏକ ଦକ୍ଷ ବାମହାତୀ ଦ୍ରୁତ ବୋଲରଙ୍କ ଅଭାବ ଥିଲା । ହେଲେ ଅର୍ଶଦୀପ ସିଂହଙ୍କ ଆବିର୍ଭାବ ସହ ଏହି ଅଭାବ ପୂରଣ ହେବ ବୋଲି ଆଶା କରାଯାଉଛି । ପ୍ରଥମ ମ୍ୟାଚରେ ଅର୍ଶଦୀପ ଟାଇଟ୍ ବୋଲିଂ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ପଞ୍ଜାବର ଏହି ୨୩ ବର୍ଷୀୟ ବାମହାତୀ ଦ୍ରୁତ ବୋଲର ଚାରି ଓଭର ବୋଲିଂ କରିଥିଲେ ଏବଂ ୨ଟି ୱିକେଟ୍ ନେଇଥିଲେ । ଡେଥ୍ ଓଭରରେ ମଧ୍ୟ ସେ ପ୍ରଭାବୀ ବୋଲିଂ କରିଥିଲେ ।

ବ୍ୟାଟିଂରେ କ୍ୟାପଟେନ ରୋହିତ ଚିରାଚରିତ ଶୈଳୀରେ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ମାତ୍ର ୪୪ଟି ବଲରେ ୬୪ ରନ୍ କରିଥିଲେ । ହେଲେ ରୋହିତ ଆଉଟ୍ ହୋଇଯିବା ପରେ ଭାରତର ରନ୍ ଗତି ମନ୍ଥର ପଡ଼ିଯାଇଥିଲା । କିନ୍ତୁ ଫିନିଶର ଭୂମିକାରେ ଖେଳୁଥିବା ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ଇନିଂସ୍ ଭାରତକୁ ୧୯୦ ରନର ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲା । କାର୍ତ୍ତିକ କେବଳ ୧୯ଟି ବଲରେ ୪୧ ରନ୍ କରିଥିଲେ । କାର୍ତ୍ତିକଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଭାରତ ଶେଷ ଦୁଇ ଓଭରରେ ୩୬ ରନ୍ ସଂଗ୍ରହ କରିଥିଲା ।

Comments are closed.