ପ୍ରଥମ ଟି-୨୦: ନ୍ୟୁଜିଲାଣ୍ଡ ଠାରୁ ୨୧ ରନରେ ହାରିଲା ଭାରତ

ରାଞ୍ଚି: ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତକୁ ୨୧ ରନରେ ହରାଇଛି ନ୍ୟୁଜିଲାଣ୍ଡ । ଏଥି ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି ।

ଏହି ପରାଜୟ ସହିତ ରାଞ୍ଚି ଗ୍ରାଉଣ୍ଡରେ ଭାରତର ଅପରାଜେୟ ରେକର୍ଡ ଭାଙ୍ଗିଯାଇଛି। ଏହାପୂର୍ବରୁ ଦଳ ଏଠାରେ ଗୋଟିଏ ବି ଟି-୨୦ ମ୍ୟାଚ୍ ପାରିନଥିଲା ।

ଡାରିଲ୍ ମିଚେଲ (୫୯*) ଓ ଡେଭନ କନଓ୍ବେ(୫୨)ଙ୍କ ଅର୍ଦ୍ଧଶତକ ବଳରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୭୬ ରନ୍ କରିଥିଲା । ଏହାର ଜବାବରେ ଭାରତ ୯ ଓ୍ବିକେଟ୍ ହରାଇ ୧୫୫ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୧୫ ରନରେ ତିନୋଟି ୱିକେଟ୍ ହରାଇଥିଲା । ଶୁଭମାନ ଗିଲ୍ (୭), ଇଶାନ କିଶନ (୪) ଓ ରାହୁଲ ତ୍ରିପାଠୀ (୦) ଶୀଘ୍ର ଆଉଟ୍ ହୋଇଥିଲେ । ଏହାପରେ ସୂର୍ଯ୍ୟକମାର ଯାଦବ (୪୭ ରନ୍, ୩୭ ବଲ୍, ୬ ଚୌକା, ୨ ଚକା) ଓ ହାର୍ଦ୍ଦିକ ପାଣ୍ଡ୍ୟା (୨୧ ରନ୍) ଚତୁର୍ଥ ଓ୍ବିକେଟରେ ୬୮ ରନ୍ ଯୋଗକରି ଭାରତ ଆଶା ସଞ୍ଚାର କରିଥିଲେ । ହେଲେ ଉଭୟଙ୍କ ଓ୍ବିକେଟ୍ ହରାଇବା ପରେ ଭାରତ ପୁଣି ଦିଗହରା ହୋଇଯାଇଥିଲା । ଓ୍ୱାଶିଂଟନ ସୁନ୍ଦର ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ତାଙ୍କ ଉଦ୍ୟମ ଯଥେଷ୍ଟ ହୋଇନଥିଲା । ଓ୍ୱାଶିଂଟନ ୨୮ ବଲରେ ୫ଟି ଚୌକା ଓ ୩ଟି ଚକା ବଳରେ ୫୦ ରନ୍ କରି ଅପରାଜିତ ରହିଥିଲେ ।

ନ୍ୟୁଜିଲାଣ୍ଡ ତରଫରୁ କାମଚଳା ଅଧିନାୟକ ମିଚେଲ ସାଣ୍ଟନର, ମାଇକେଲ ବ୍ରେସଓ୍ବେଲ ଓ ଲକି ଫର୍ଗୁସନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Comments are closed.