ପ୍ରଥମ ଦିନିକିଆ: ସାମସନଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଭାରତ ୯ ରନରେ ହାରିଲା | News Room Odisha

ପ୍ରଥମ ଦିନିକିଆ: ସାମସନଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଭାରତ ୯ ରନରେ ହାରିଲା

ଲକ୍ଷ୍ନୌ: ସଞ୍ଜୁ ସାମସନଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ଏଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ଠାରୁ ଭାରତ ୯ ରନରେ ହାରିଯାଇଛି ।

ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁଁ ଟସ୍ ମଧ୍ୟ ବିଳମ୍ବ ହୋଇଥିଲା। ଫଳରେ ମ୍ୟାଚ୍ ୪୦-୪୦ ଓଭର କରାଯାଇଥିଲା ।

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୦ ଓଭରରେ ୪ ଓ୍ବିକେଟ୍ ହରାଇ ୨୪୯ ରନ୍ କରିଥିଲା । ଏହାର ଜବାବରେ ଭାରତ ୮ ୱିକେଟ୍ ହରାଇ ୨୪୦ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ସଞ୍ଜୁ ସାମସନ ଭାରତ ପକ୍ଷରୁ ୬୩ ବଲରେ ୯ଟି ଚୌକା ଓ ୩ଟି ଚକା ବଳରେ ସର୍ବାଧିକ ୮୬ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଶ୍ରେୟାସ ଆୟର ୫୦ ରନ କରିଥିବା ବେଳେ ଶାର୍ଦ୍ଦୁଲ ଠାକୁର ୩୧ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଲୁନଗି ଏଙ୍ଗିଡି ୩ଟି ଓ ରବାଡା ୨ଟି ଓ୍ଵିକେଟ୍ ନେଇଥିଲେ ।

ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ରେ ଅଗ୍ରଣୀ ହାସଲ କରିଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ରାଞ୍ଚିରେ ଖେଳାଯିବ ।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୪୦ ଓଭରରେ ୨୪୯ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା।
ଦଳ ପକ୍ଷରୁ ହେନ୍ରିଚ୍ କ୍ଲାସେନ୍ ଏବଂ ଡେଭିଡ ମିଲର ପଞ୍ଚମ ୱିକେଟ୍ ପାଇଁ ୧୦୬ ବଲରେ ୧୩୯ ରନର ଅପରାଜିତ ଭାଗିଦାରୀ କରିଥିଲେ। ଶେଷ ପାଞ୍ଚ ଓଭରରେ ଉଭୟ ଧୂଆଁଧାର ବ୍ୟାଟିଂ କରି ୫୫ ରନ୍ ସଂଗ୍ରହ କରିଥିଲେ। ମିଲର ୬୩ ବଲରେ ୭୫ ରନ୍ ଏବଂ ହେନ୍ରିଚ୍ କ୍ଲାସେନ୍ ୬୫ ବଲରେ ୭୪ ରନ୍ ସଂଗ୍ରହ କରିଥିଲେ।

ଶାର୍ଦ୍ଦୁଲ ଭାରତ ପାଇଁ ଦୁଇଟି ୱିକେଟ୍ ନେଇଥିଲେ। କୁଲଦୀପ ଯାଦବ ଏବଂ ରବି ବିଷ୍ଣୋଇ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଋତୁରାଜ ଗାଏକୱାଡ ଏହି ମ୍ୟାଚରେ ନିଜ ଦିନିକିଆ ଡେବ୍ୟୁ କରିବାକୁ ସୁଯୋଗ ପାଇଥିଲେ।