ରୋହିତ, ଅକ୍ଷରଙ୍କ କମାଲ, ଟି୨୦ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କଲା ଭାରତ

କୋଲକାତା: ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ପରେ ଅକ୍ଷର ପଟେଲଙ୍କ ଯାଦୁକରୀ ବୋଲିଂ ସହାୟତାରେ ଭାରତ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ରେ ନ୍ୟୁଜିଲାଣ୍ଡକୁ ୭୩ ରନରେ ଧରାଶାୟୀ କରିଛି । ଏହି ବୃହତ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ମୂଳପୋଛ କରିନେଇଛି ।

ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୮୪ ରନ୍ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୭.୨ ଓଭରରେ ମାତ୍ର ୧୧୧ ରନ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ମାର୍ଟିନ ଗପ୍ଟିଲ ସର୍ବାଧିକ ୫୧ ରନ୍ କରିଥିବା ବେଳେ ଆଉ ସବୁ ଫେଲ୍ ମାରିଥିଲେ । ଭାରତ ପକ୍ଷରୁ ବାମହାତୀ ସ୍ପିନର ଅକ୍ଷର ପଟେଲ୍ ମାତ୍ର ୯ ରନରେ ୩ଟି ୱିକେଟ୍ ନେଇଥିବା ବେଳେ କ୍ୟାରିୟରର ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ହର୍ଷଲ ପଟେଲ ପୁଣି ପ୍ରଶଂସନୀୟ ପ୍ରଦର୍ଶନ ପୂର୍ବକ ୨ଟି ୱକେଟ୍ ହାସଲ କରିଥିଲେ । ରୋହିତ ଓ କୋଚ୍ ରାହୁଲ ଦ୍ରାବିଡଙ୍କ ଯୋଡ଼ି ନିଜ ପ୍ରଥମ ସିରିଜରେ ଚମତ୍କାର ସଫଳତା ହାସଲ କରିଛନ୍ତି । ନଭେମ୍ବର ୨୫ରୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ ।

ପୂର୍ବରୁ ରୋହିତ କ୍ରମାଗତ ତୃତୀୟ ଥର ପାଇଁ ଟସ୍ ଜିତି ଥିଲେ ଏବଂ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ରାହୁଲ ବିଶ୍ରାମ ନେଇଥିବାରୁ ରୋହିତଙ୍କ ସହ ଈଶାନ କିଶନ ଇନିଂସ ଆରମ୍ଭ କରିଥିଲେ। ପ୍ରଥମ ଓଭର୍ରୁ ହିଁ ରୋହିତ ହାତ ଖୋଲା ଶଟ୍ ଖେଳିଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କୁ ଲଗାତର ୨ଟି ଚୌକା ମାରି ସେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା।

ଈଶାନ କିଶନ ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ୬ ଓଭର୍ରେ ଦଳ ପାଇଁ ୬୯ ରନ୍ ଆଦାୟ କରିଥିଲେ। ତେବେ ୭ମ ଓଭର୍ ବୋଲିଂ କରିବାକୁ ଆସିଥିବା କାମ ଚଳା ଅଧିନାୟକ ମିଚେଲ ସାଣ୍ଟନର ପ୍ରଥମେ ୨୯ ରନ୍ କରିଥିବା ଇଶାନ କିଶନଙ୍କୁ ଆଉଟ କରିଥିଲେ। ତା’ ପରେ ସେହି ଓଭର୍ର ଶେଷ ବଲ୍ରେ ସୂର୍ଯ୍ୟ କୁମାର ଯାଦବଙ୍କୁ ଆଉଟ କରି ଭାରତକୁ ଡବଲ ଝଟକା ଦେଇଥିଲେ। ଏହାପରେ ଋଷଭ ପନ୍ତ ମଧ୍ୟ ମାତ୍ର ୪ ରନ୍ କରି ସାଣ୍ଟରନଙ୍କ ତୃତୀୟ ଶିକାର ବନିଥିଲେ।

ଗୋଟିଏ ପଟେ ୱିକେଟ ଖସୁଥିଲେ ମଧ୍ୟ ରୋହିତ ଅନ୍ୟପଟେ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଅର୍ଦ୍ଧଶତକ ପରେ ସେ ବଡ଼ ଶଟ୍ ଖେଳିବାକୁ ଚେଷ୍ଟା କରିଥିଲେ ହେଁ ଈଶ ଶୋଢ଼ି ଏହା କରିବାକୁ ଦେଇଥିଲେ। ଆଉଟ ହେବା ପୂର୍ବରୁ ରୋହିତ ୩୧ ବଲ୍ରେ ୫୬ ରନ୍ର ଇନିଂସ୍ ଖେଳିଥିଲେ। ଏହି ଇନିଂସରେ ସେ ୫ଟି ଚୌକା ଓ ୩ଟି ଛକା ମାରିଛନ୍ତି।

ରୋହିତ ପ୍ୟାଭିଲିୟନ ଫେରିବା ପରେ ଶ୍ରେୟସ ଆୟର ଓ ଭେଙ୍କଟେଶ ଆୟର ସ୍ଥିତି ସମ୍ଭାଳିଥିଲେ। ଉଭୟ ୫ମ ୱିକେଟ ପାଇଁ ଦ୍ରୁତ ୩୬ ରନ୍ ଯୋଡ଼ିଥିଲେ। ଭେଙ୍କଟେଶ ଆୟର ଭଲ ଲୟର ଥିବା ଭଳି ଲାଗୁଥିଲା। କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ସେ ୨୦ ରନ୍ କରି ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ଆଉଟ ହୋଇଥିଲେ।

ଏହାପରେ ୨୫ ରନ୍ କରି ଶ୍ରେୟସ ଆୟର ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ତେବେ ଶେଷ ଭାଗରେ ହର୍ଷଲ ପଟେଲ ୧୮ ଓ ଦୀପକ ଚହର ୮ ବଲରେ ଅପରାଜିତ ୨୧ ରନ୍ କରିବାରୁ ଭାରତ ୧୮୪ ରନ୍ କରିବାକୁ ସକ୍ଷମ ହୋଇଥିଲା।

Comments are closed.