ଭାରତ ୩-୦ରେ ସିରିଜ୍ ପୋଛିନେଲା

ହରାରେ: ସିକନ୍ଦର ରାଜାଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ତୃତୀୟ ତଥା ଅନ୍ତିମ ଦିନିକିଆରେ ଜିମ୍ବାୱେକୁ ୧୩ ରନରେ ହରାଇଛି ଭାରତ। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି | ଶୁଭମାନ ଗିଲଙ୍କ ପ୍ରଥମ ଶତକ ସହାୟତାରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୨୮୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଜିମ୍ବାୱେ ୪୯.୩ ଓଭରରେ ୨୭୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।

ଜିମ୍ବାୱେ ଏକଦା ୧୬୯ ରନରେ ୭ ଓ୍ଵିକେଟ୍ ହରାଇ ଶୋଚନୀୟ ପରାଜୟ ଆଡ଼କୁ ଗତି କରୁଥିଲା । ହେଲେ ରାଜା ଏକ ଲଢୁଆ ଶତକ ସହ ଜିମ୍ବାୱେ ପାଇଁ ଆଶା ସଞ୍ଚାର କରିଥିଲେ । ବ୍ରାଡ ଇଭାନ୍ସଙ୍କ ସହ ଅଷ୍ଟମ ଓ୍ଵିକେଟରେ ରାଜା ୧୦୪ ରନ୍ ଯୋଗ କରି ଭାରତକୁ ପାଣି ପିଆଇ ଦେଇଥିଲେ। ତେବେ ୪୮.୪ ଓଭରରେ ଶାର୍ଦ୍ଦୁଲ ଠାକୁର ରାଜାଙ୍କ ଇନିଂସ ଶେଷ କରିଥିଲେ । ଗିଲ୍ ଲଙ୍ଗ୍ ଅନରେ ଏକ ଚମତ୍କାର କ୍ୟାଚ୍ ଧରିଥିଲେ । ସିକନ୍ଦର ରଜା ଜିମ୍ବାୱେ ପାଇଁ ୯୫ ବଲରେ ୧୧୫ ରନର ଚମତ୍କାର ଇନିଂସ ଖେଳିଥିଲେ। ଭାରତ ତରଫରୁ ଅବେଶ ଖାନ୍ ୩ଟି ଓ୍ବିକେଟ୍ ନେଇଥିବା ବେଳେ ଦୀପକ ଚହର, ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ।

ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ କେଏଲ୍ ରାହୁଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତ ପକ୍ଷରୁ ଶୁଭମାନ ଗିଲ ଗିଲ୍ ୯୭ ବଲରୁ ୧୫ ଚୌକା ଓ ଗୋଟିଏ ଛକା ସହାୟତାରେ ଚମତ୍କାର ୧୩୦ ରନର ଇନିଂସ୍ କରିଥିଲେ । ଏହା ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ । ଇଶାନ କିଶନ ୫୦, ଶିଖର ଧାୱନ ୪୦ ଓ ରାହୁଲ ୩୦ ରନ୍ କରିଥିଲେ । ଜିମ୍ବାୱେ ପକ୍ଷରୁ ବ୍ରାଡ ଇଭାନ୍ସ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ।

Comments are closed.