ଡବ୍ଲୁଟିସି ଫାଇନାଲ୍: ଭାରତକୁ ଦରକାର ଆଉ ୨୮୦ ରନ୍, ଅଷ୍ଟ୍ରେଲିଆକୁ ୭ ଓ୍ବିକେଟ୍

ଲଣ୍ଡନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଳୁଟିସି) ଫାଇନାଲ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି । ଟ୍ରଫି ପାଇଁ ଲଢେଇ ପଞ୍ଚମ ଦିନକୁ ଯାଇଛି । ଭାରତ ଆଗରେ ୪୪୪ ରନର ଟାର୍ଗେଟ୍ ରଖିଛି ଅଷ୍ଟ୍ରେଲିଆ । ଏହାର ଜବାବରେ ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୧୬୪ ରନ୍ କରିନେଇଛି । ଶେଷ ଦିନରେ ଭାରତକୁ ଆଉ ୨୮୦ ରନ୍ ଆବଶ୍ୟକ ହେଉଥିବା ବେଳେ ଅଷ୍ଟ୍ରେଲିଆକୁ ଦରକାର ୭ ୱିକେଟ୍ । ଭାରତ ପାଇଁ ଲଢେଇ ଜାରି ରଖିଛନ୍ତି ବିରାଟ କୋହଲି ଓ କମବ୍ୟାକ୍ ମ୍ୟାନ୍ ଅଜିଙ୍କ୍ୟ ରାହାଣେ । ଷ୍ଟମ୍ପ ଅପସାରଣ ବେଳକୁ କୋହଲି ୬୦ଟି ବଲରେ ୭ଟି ଚୌକା ସହ ୪୪ ରନ୍ କରି ଅପରାଜିତ ରହିଥିବା ବେଳେ ରାହାଣେ ୫୯ଟି ବଲରେ ୩ଟି ଚୌକା ସହ ୨୦ ରନରେ ବ୍ୟାଟିଂ କରୁଛନ୍ତି । ଏ ଦୁହେଁ ଏଯାବତ ୭୧ ରନ୍ ଯୋଗ କରିସାରିଛନ୍ତି ।

ବିଶାଳ ଟାର୍ଗେଟର ପିଛା କରିବାକୁ ଯାଇ ଟିମ ଇଣ୍ଡିଆର ଓପନର ତଥା ଅଧିନାୟକ ରୋହିତ ଶର୍ମା ଓ ଶୁଭମାନ ଗିଲ୍‌ ସକାରାତ୍ମକ ଆରମ୍ଭ କରିଥିଲେ । ତେବେ ଚା’ପାନ ବିରତି ପୂର୍ବରୁ ଗିଲ୍‌ ବିବାଦୀୟ ଢଙ୍ଗରେ ଆଉଟ ହୋଇଥିଲେ ।
ବୋଲାଣ୍ଡ ବୋଲିଂ କରୁଥିବା ବେଳେ ଗିଲ୍‌ ଗଲି ଅଞ୍ଚଳରେ ଫିଲ୍ଡିଂ କରୁଥିବା କାମେରନ ଗ୍ରୀନଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ । ତେବେ ଏହି ଆଉଟକୁ ନେଇ ବିବାଦ ଦେଖା ଦେଇଥିଲା । ଅନ ଫିଲ୍ଡ ଅମ୍ପାୟାର ସ୍ପଷ୍ଟ ଭାବେ ଏହାକୁ ଦେଖି ନ ପାରିବାରୁ ତୃତୀୟ ଅମ୍ପାୟାରଙ୍କ ସହାୟତା ନେଇଥିଲେ। କ୍ୟାମେରାର ଫ୍ରଣ୍ଟ ଆଙ୍ଗେଲରୁ ବଲ୍ ତଳେ ଲାଗିଥିବା ଦେଖା ଯାଇଥିଲା।

ଏକାଧିକ ଥର ଦେଖିବା ପରେ ଅମ୍ପାୟାର ଆଉଟ ନିଷ୍ପତ୍ତି ନେଇଥିଲେ। ଗିଲ୍‌(୧୮ ରନ) ପଡ଼ିଆରେ କିଛି ସେକେଣ୍ତ ଛିଡ଼ା ହେବା ପରେ ନିରାଶ ହୋଇ ପ୍ୟାଭିଲିୟନ ଫେରିଥିଲେ। ତେବେ ଏହା ନଟଆଉଟ ଥିଲା ବୋଲି ଅନେକ ପ୍ରଶଂସକ ଓ କ୍ରିକେଟ ବିଶେଷଜ୍ଞ ମତ ବ୍ୟକ୍ତ କରିଥିଲେ ।

ଗିଲ୍‌ ଆଉଟ ହେବା ପରେ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ଦ୍ବିତୀୟ ଓ୍ବିକେଟରେ ୫୧ ରନ୍ ଯୋଗକରି ସ୍କୋରକୁ ଆଗେଇ ନେଇଥିଲେ । ଉଭୟ ଭଲ ଟଚରେ ଥିବା ଦେଖାଯାଉଥିଲେ ‌‌।

ଏହି ଯୋଡିକୁ ଭାଙ୍ଗିବା ପାଇଁ ପେସର ବିଫଳ ହେବା ପରେ ଅଧିନାୟକ ପ୍ୟାଟ୍ କମିନ୍ସ ତାଙ୍କ ଅଭିଜ୍ଞ ସ୍ପିନର ନାଥନ ଲାୟନଙ୍କୁ ବୋଲିଂ ଆକ୍ରମଣରେ ଲଗାଇଥିଲେ । ଆଉ ଲାୟନ ତାଙ୍କ ପ୍ରଥମ ଓଭରରେ ହିଁ ରୋହିତଙ୍କୁ ଲେଗ୍ ବିଫୋର ଆଉଟ୍ କରି ଅଷ୍ଟ୍ରେଲିଆକୁ ପ୍ରତୀକ୍ଷିତ ଦ୍ବିତୀୟ ସଫଳତା ଦେଇଥିଲେ । ରୋହିତ ଏହା ବିରୋଧରେ ଡିଆରଏସ୍ ସହାୟତା ନେଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ବରଂ ଭାରତ ଗୋଟିଏ ରିଭ୍ୟୁ ହରାଇଥିଲା । ରୋହିତ ୬୦ ବଲରେ ୭ଟି ଚୌକା ଓ ଗୋଟିଏ ଛକା ସହ ୪୩ ରନ୍ କରି ଆଉଟ୍ ହୋଇଥିଲେ ‌‌। ପରବର୍ତ୍ତୀ ଓଭରରେ ପୂଜାରା ମଧ୍ୟ ଆଉଟ୍ ହୋଇଯାଇଥିଲେ । କମିନ୍ସଙ୍କ ଏକ ବାଉନ୍ସରକୁ ଖେଳିବାକୁ ଯାଇ ସେ ଓ୍ବିକେଟ୍ କିପର କଏରଇଙ୍କଉ କ୍ୟାଚ୍ ଦେଇଥିଲେ । ପୂଜାରା ୪୭ ବଲରେ ୫ଟି ଚୌକା ସହ ୨୭ ରନ୍ କରିଥିଲେ ।

ଏହାପୂର୍ବରୁ ଅଷ୍ଟ୍ରେଲିଆ ଆଜି ଅସମାପ୍ତ ଦ୍ବିତୀୟ ଇନିଂସ୍ ସ୍କୋର ୧୨୩/୪ରୁ ଖେଳ ଆରମ୍ଭ କରିଥିଲା। ଆଜି ମାର୍ନସ ଲାବୁସେନ(୪୧) ସଅଳ ଆଉଟ ହୋଇଯାଇଥିଲେ। ଏହାପରେ କାମେରନ ଗ୍ରୀନ ୨୫ ରନ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ। ଲାଗୁଥିଲା ଅଷ୍ଟ୍ରେଲିଆ ଇନିଂସ ୨୩୦ ମଧ୍ୟରେ ସୀମିତ ରହିବ। କିନ୍ତୁ ଆଲେକ୍ସ କେରୀ ଓ ମିଚେଲ ଷ୍ଟାର୍କ ଦମଦାର ବ୍ୟାଟିଂ କରିବା ସହ ଲିଡ୍‌କୁ ବଢ଼ାଇ ଚାଲିଥିଲେ।

ଉଭୟ ୭ ୱିକେଟ ପାଇଁ ୯୩ ରନ ଯୋଡ଼ି ଭାରତର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ଷ୍ଟାର୍କ ୪୧ ରନ କରିବା ପରେ ମହମ୍ମଦ ଶାମିଙ୍କ ବଲରେ ଆଉଟ ହୋଇଥିଲେ। ଇତି ମଧ୍ୟରେ କାରୀ ନିଜର ଅର୍ଦ୍ଧଶତକ ହାସଲ କରି ସାରିଥିଲେ। ପାଟ କମିନ୍ସ ୫ ରନ କରି ଆଉଟ ହେଲା ବେଳକୁ ଅଷ୍ଟ୍ରେଲିଆ ୨୭୦ରେ ପହଞ୍ଚି ସାରିଥିଲା। ଏହାପରେ ଦଳ ପାଳି ଘୋଷଣା କରିଥିଲା। କେରୀ ୬୬ ରନ କରି ନଟଆଉଟ ରହିଥିଲେ।

ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଜାଡେଜା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଶାମି ଓ ଉମେଶ ଯାଦବ ଦୁଇଟି ଲେଖାଏ ସ‍ଫଳତା ପାଇଥିଲେ । ମହମ୍ମଦ ସିରାଜ ଗୋଟିଏ ଓ୍ବିକେଟ୍ ନେଇଥିଲେ ।

Comments are closed.