ଆଜି ଦ୍ବିତୀୟ ଦିନିକିଆ: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ରାୟପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଏଠାରେ ଦ୍ବିତୀୟ ଦିନିକିଆ ଖେଳାଯିବ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ କବଜା କରିବା ଲକ୍ଷ୍ୟରେ ଥିବା ଟିମ୍ ଇଣ୍ଡିଆ ନିଜ ମଧ୍ୟକ୍ରମ ବ୍ୟାଟରଙ୍କ ଠାରୁ ଅଧିକ ରନ୍ ଓ ଡେଥ୍ ଓଭରରେ ବୋଲରଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରିବ।

ରାୟପୁରରେ ପ୍ରଥମ ଥର ପାଇଁ ଏକ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ବେଳେ ରୋହିତ ଶର୍ମାଙ୍କ ଦଳକୁ ଚିୟର କରିବା ପାଇଁ ଷ୍ଟାଡିୟମରେ ୬୦,୦୦୦ରୁ ଅଧିକ ଦର୍ଶକ ସମାଗମ ହେବେ ବୋଲି ଆଶା କରାଯାଉଛି।

ପ୍ରଥମ ମ୍ୟାଚ୍‌ରେ ୩୫୦ ରନ୍‌ର ଟାର୍ଗେଟକୁ ପିଛା କରିବାକୁ ଯାଇ ୧୩୧ ରନରେ ୬ଟି ୱିକେଟ୍ ହରାଇବା ସତ୍ତ୍ୱେ ନ୍ୟୁଜିଲାଣ୍ଡ ଦଳ ଶେଷ ୪ ଓ୍ବିକେଟରେ ଆଉ ୨୦୬ ରନ୍ କରିବାକୁ ସଫଳ ହୋଇଥିଲା, ଯାହା ଭାରତ ପାଇଁ ଚିନ୍ତାର କାରଣ ହେବ।
ଭ୍ରମଣକାରୀ ଦଳ ଏକ ଅବିଶ୍ବସନୀୟ ବିଜୟର ନିକଟତର ହୋଇଥିଲା । କିନ୍ତୁ ମହମ୍ମଦ ସିରାଜ୍ ଚମତ୍କାର ବୋଲିଂ ସହ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଶୁଭମାନ ଗିଲ୍ ନିଜର ଜବରଦସ୍ତ ଫର୍ମ ଜାରି ରଖି ଦ୍ବିଶତକ ସହ ଭାରତକୁ ଏକ ବଡ଼ ସ୍କୋର ଆଡ଼କୁ ନେଇଥିଲେ।

ନିକଟ ଅତୀତରେ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଇନିଂସର ଶେଷ ଓଭର ଗୁଡ଼ିକରେ ରନ୍ କରିବେ ବୋଲି ଆଶା କରାଯାଉଛି।

ବାଂଲାଦେଶ ବିପକ୍ଷରେ ଦ୍ୱିଶତକ ହାସଲ କରିବା ପରେ ମିଡିଲ୍ ଅର୍ଡରରେ ସ୍ଥାନ ପାଇଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ପ୍ରଥମ ଦିନିକିଆରେ ବିଫଳ ହେବା ପରେ ଏଥର ସୁଯୋଗର ଉପଯୋଗ କରିବାକୁ ଚାହିଁବେ ।

କ୍ୟାପଟେନ୍ ରୋହିତ ଶର୍ମା ଭଲ ଟଚରେ ଅଛନ୍ତି ଏବଂ ଭଲ ଆରମ୍ଭ ମଧ୍ୟ କରୁଛନ୍ତି । କିନ୍ତୁ ସେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ରୋହିତ ଏଥର ଏକ ବଡ଼ ଇନିଂସ ଖେଳିବାକୁ ମଧ୍ୟ ପସନ୍ଦ କରିବେ |

ତେବେ ବୋଲିଂ ବିଭାଗକୁ ନେଇ ବଡ଼ ଚିନ୍ତା । ବୁଧବାର ମାଇକେଲ ବ୍ରେସୱେଲ ଏକକୀ ନ୍ୟୁଜିଲ୍ୟାଣ୍ଡକୁ ବିଜୟର ନିକଟତର କରାଇଥିଲେ |

ପ୍ରଥମ ଦିନିକିଆରେରେ ପେସ୍ ସେନସେସନ୍ ଉମ୍ରାନ ମଲିକଙ୍କ ସ୍ଥାନରେ ଭାରତ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ଦେଇଥିଲା । କାରଣ ସେ ବ୍ୟାଟିଂ ମଧ୍ୟ କରନ୍ତି। କିନ୍ତୁ ଟିମ୍ ମ୍ୟାନେଜମେଣ୍ଟକୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଏପରି ବୋଲରଙ୍କୁ ଖେଳାଯିବା ଉଚିତ କି ଯିଏ ବ୍ୟାଟିଂ କରିପାରୁଥିବ ନା ସେହି ବୋଲରଙ୍କୁ ସୁଯୋଗ ଦିଆଯିବ ଯିଏ ଅତିରିକ୍ତ ଗତି ସହ ବିପକ୍ଷ ଦଳର ବ୍ୟାଟିଂ ଧ୍ୱସ୍ତ କରିବା ସହ ମଝି ଇନିଂସରେ ୱିକେଟ୍ ମଧ୍ୟ ନେଇପାରୁଥିବ |

ସିରାଜ ଏଯାବତ ନିଜ ପ୍ରଦର୍ଶନ ଦ୍ବାରା ପ୍ରଭାବିତ କରିଛନ୍ତି। ମହମ୍ମଦ ଶାମି ନୂଆ ବଲରେ ଚମତ୍କାର ବୋଲିଂ କରିଥିଲେ କିନ୍ତୁ ବ୍ରେସୱେଲ ତାଙ୍କ ବିପକ୍ଷରେ ସହଜରେ ରନ୍ ସ୍କୋର କରିଥିଲେ। ହାର୍ଦିକ ମଧ୍ୟ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ |
ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ହାର୍ ନ ମାନିବା ମନୋଭାବ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବ୍ରେସୱେଲ ଏବଂ ଅଷ୍ଟମ ନମ୍ବରରେ ଆସିଥିବା ମିଚେଲ ସାଣ୍ଟନର୍ ଦଳକୁ ପରାଜୟର ମୁହଁରୁ ପ୍ରାୟତଃ ଫେରାଇ ଆଣିବାରେ ସଫଳ ହୋଇଥିଲେ । କୌଣସି ଦଳର ୭ ଓ ୮ ନମ୍ବର ବ୍ୟାଟ୍ସମ୍ୟାନଙ୍କ ଠାରୁ ଏପରି ଧମାକାଦାର ପ୍ରଦର୍ଶନ ଖୁବ୍ କମ୍ ଦେଖିବାକୁ ମିଳେ । ପ୍ରଥମ ଦିନିକିଆରେ ଅଳ୍ପକେ ବିଜୟଲକ୍ଷ୍ୟରୁ ବଞ୍ଚିତ ନ୍ୟୁଜିଲାଣ୍ଡ ଦ୍ବିତୀୟ ମ୍ୟାଚରେ ଅନୁରୂପ ପ୍ରଦର୍ଶନ ସହ ସିରିଜକୁ ବରାବର କରିବାକୁ ଚାହିଁବ।

Comments are closed.