ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦

ମାଉଣ୍ଟ ମାଉଙ୍ଗାନୁଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ରବିବାର ଏଠାରେ ଖେଳାଯିବ । ଦୁଇ ଦଳ ମଧ୍ୟରେ ପ୍ରଥମ ଟି୨୦ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଫଳରେ ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ଏବେ ଦୁଇଟି ମ୍ୟାଚରେ ସୀମିତ ହୋଇଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଯୁବ ଦଳ ସୁଯୋଗର ଭରପୂର ଲାଭ ଉଠାଇବାକୁ ଚାହିଁବ । ତେବେ ସିନିୟର ପେସର ଭୁବନେଶ୍ୱର କୁମାରଙ୍କ ପାଇଁ ଏହି ସିରିଜ୍ ଏକ ବଡ଼ ଚ୍ୟାଲେଞ୍ଜ ହେବ । ବିଶ୍ୱକପରେ ଫ୍ଲପ୍ ଶୋ’ ପରେ ଭୁବନେଶ୍ୱରଙ୍କ ଉପରେ ଚାପ ରହିଛି । ଅନେକ ଯୁବ ବୋଲରଙ୍କ ଗହଣରେ ଅଭିଜ୍ଞ ଭୁବନେଶ୍ୱର ଦଳରେ ନିଜ ସ୍ଥାନ ପାଇଁ ସଂଘର୍ଷ କରୁଛନ୍ତି । ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଏହି ସିରିଜ ଉପରେ ନିର୍ଭର କରୁଛିି ।

ଭାରତ ବିଶ୍ୱକପ ଭୁଲରୁ ଶିକ୍ଷାଲାଭ କରିବା ସହ ପୁରୁଣାକାଳିଆ ରଣନୀତି ଛାଡ଼ି ଆକ୍ରମଣାତ୍ମକ ଆଭିମୁଖ୍ୟ ସହ ପଡ଼ିଆକୁ ଓହ୍ଲାଇବ ।

ୟୁଏଇରେ ଗତବର୍ଷର ବିଶ୍ୱକପ ବିପର୍ଯ୍ୟୟ ପରେ ଭାରତ ୨୦୨୨ ସଂସ୍କରଣ ପୂର୍ବରୁ ଭାରତ ଏହି ଫର୍ମାଟରେ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲା । ହେଲେ ବିଶ୍ୱକପରେ ଭାରତର ଟପ୍ ଅର୍ଡର ଆକ୍ରମଣାତ୍ମକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ଫଳସ୍ୱରୂପ ଭାରତ ପୁଣି ନକ୍ ଆଉଟ ମ୍ୟାଚରେ ହାରି ବିଦା ହୋଇଥିଲା । ଆଇସିସି ଟ୍ରଫି ପାଇଁ ଭାରତର ୯ ବର୍ଷର ଅପେକ୍ଷା ବଢିଥିଲା ।

ପରବର୍ତ୍ତୀ ବିଶ୍ୱକପ (୨୦୨୪)କୁ ଆଉ ଦୁଇ ବର୍ଷ ରହିଥିବା ବେଳେ ଏକ ନୂଆ ଦଳ ଗଢିବା ପାଇଁ ଭାରତ ପାଖରେ ଯଥେଷ୍ଟ ସମୟ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଏହି ଅଭିଯାନ ଆରମ୍ଭ ହେବ । ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ୱ ନେବେ । ରୋହିତଙ୍କ ସହ ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ମଧ୍ୟ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ଏଭଳି ସ୍ଥଳେ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସ୍ଥାନ ସୁଦୃଢ କରିବା ପାଇଁ ଏହି ସିରିଜ୍ ଏକ ସୁଯୋଗ ହେବ । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଭିଭିଏସ୍ ଲକ୍ଷ୍ମଣ ଦଳର କୋଚ୍ ଦାୟିତ୍ୱ ତୁଲାଇବେ । ଲକ୍ଷ୍ମଣ ସ୍ପଷ୍ଟ କରିସାରିଛନ୍ତି ଯେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ କେବଳ ଟି୨୦ ସ୍ପେଶାଲିଷ୍ଟଙ୍କୁ ସୁଯୋଗ ଦିଆଯିବ ।

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପରେ ବିରାଟ କୋହଲିଙ୍କୁ ଜବରଦସ୍ତ ଫର୍ମରେ ଦେଖିବାକୁ ମିଳିଥିଲା । ହେଲେ ପାୱାରପ୍ଲେ’ରେ ରୋହିତ ଓ ରାହୁଲଙ୍କ ରକ୍ଷଣଶୀଳ ବ୍ୟାଟିଂ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏଭଳି ବ୍ୟାଟିଂ ରଣନୀତି ପାଇଁ ରୋହିତ ଓ ରାହୁଲ ସମାଲୋଚିତ ହୋଇଥିଲେ । ଏ ଦୁହିଁଙ୍କ ସହ କୋହଲି ୨୦୨୪ ପର୍ଯ୍ୟନ୍ତ ଏହି ଫର୍ମାଟରେ ଖେଳିବା ସମ୍ଭାବନା କମ୍ ଥିବାବେଳେ ଭାରତକୁ ପରବର୍ତ୍ତୀ ବିଶ୍ୱକପ ପାଇଁ ଏବେଠୁଁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିବ ।

Comments are closed.