ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦, ଦ୍ରାବିଡ-ରୋହିତ ଯୋଡ଼ିଙ୍କ ତତ୍ତ୍ୱାବଧାନରେ ନୂଆ ଆରମ୍ଭ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଜୟପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟି୨୦ ମ୍ୟାଚ୍ ବୁଧବାର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜରୁ ନୂଆ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ଯୁଗ ଆରମ୍ଭ ହେବ । ଟି୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦ୍ରାବିଡ-ରୋହିତଙ୍କ ତତ୍ତ୍ୱାବଧାନରେ ଭାରତୀୟ ଦଳ ଟି୨୦ ଫର୍ମାଟରେ ନିଜ ପ୍ରଦର୍ଶନ ସୁଧାରିବା ସହ ୨୦୨୨ ବିଶ୍ୱକପ୍ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବ ।

ବର୍ଷକ ପରେ ଆଉ ଏକ ଟି୨୦ ବିଶ୍ୱକପ୍ ଆରମ୍ଭ ହେଉଥିବା ବେଳେ ଦଳରେ କିଛି ପରିବର୍ତ୍ତନ ହେବା ସ୍ପଷ୍ଟ ହୋଇଛି । ୟୁଏଇରେ ଅନୁଷ୍ଠିତ ବିଶ୍ୱକପରେ ଉଦାସୀନ ପ୍ରଦର୍ଶନ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଖେଳାଳି ଭାରତ ପାଇଁ ଅଲୋଡ଼ା ହୋଇଛନ୍ତି । ପାଣ୍ଡ୍ୟାଙ୍କ ବିକଳ୍ପ ସନ୍ଧାନ ପାଇଁ ଦ୍ରାବିଡ-ରୋହିତ ଯୋଡି ଲକ୍ଷ୍ୟ ରଖିବେ ।

ପାଣ୍ଡ୍ୟାଙ୍କ ସ୍ଥାନରେ ଉଦୀୟମାନ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ସୁଯୋଗ ଦିଆଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଆୟରଙ୍କ ପ୍ରଦର୍ଶନ ଭାରତୀୟ ଦଳରେ ଏକ ଦ୍ରୁତ ବୋଲିଂ ଅଲରାଉଣ୍ଡରଙ୍କ ଅଭାବ ପୂରଣ କରିପାରୁଛି କି ନାହିଁ ସ୍ଥିର କରିବ । ଭାରତୀୟ ଦଳରେ ଏକାଧିକ ପାୱାର ହିଟରଙ୍କୁ ସୁଯୋଗ ଦେବା ଉପରେ ବି ପ୍ରାଥମିକତା ରହିବ । ଆଇପିଏଲ-୨୦୨୧ରେ କେକେଆର ପକ୍ଷରୁ ଆୟର ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ । ଫଳସ୍ୱରୂପ ତାଙ୍କୁ ଭାରତୀୟ ଦଳରେ ଅତିଶୀଘ୍ର ସୁଯୋଗ ମିଳିଛି । ସେହିପରି ଆଇପିଏଲର ଅଗ୍ରଣୀ ସ୍କୋରର ଋତୁରାଜ ଗାଏକ୍ୱାଡ୍ ଓ ସର୍ବାଧିକ ୱିକେଟ୍ ହାସଲକାରୀ ହର୍ଷଲ ପଟେଲଙ୍କ ଉପରେ ନଜର ରହିବ । ଆଉ ଜଣେ ଆଇପିଏଲ୍ ଷ୍ଟାର ତଥା ଦ୍ରୁତ ବୋଲର ଅବେଶ ଖାନଙ୍କୁ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ନିଜ ଦକ୍ଷତା ପ୍ରତିପାଦନ କରିବାକୁ ସୁଯୋଗ ମିଳିଛି । ବିବାଦୀୟ ଢଙ୍ଗରେ ବିଶ୍ୱକପ ଦଳରୁ ବାଦ୍ ପଡ଼ିବା ପରେ ପ୍ରତ୍ୟାବର୍ତ୍ତନ କରିଥିବା ୟୁଜବେନ୍ଦ୍ର ଚହଲଙ୍କ ଏହି ସିରିଜରେ ଭଲ ପ୍ରଦର୍ଶନ ସହ ଚୟନକର୍ତ୍ତାଙ୍କୁ କଡ଼ା ଜବାବ ଦେବାକୁ ଚାହିଁବେ ।

ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିବା ବେଳେ ୧୪୦ରୁ ଊର୍ଦ୍ଧ୍ୱ କିଲୋମିଟର ବେଗରେ ବୋଲିଂ କରିପାରୁଥିବା ଜଣେ ପେସରଙ୍କ ସନ୍ଧାନରେ ରହିଛି ଭାରତ । ଏଥିପାଇଁ ଅବେଶ ଖାନ ଓ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି । ଟି୨୦ ବିଶ୍ୱକପରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହେବା ପରେ ଭେଟେରାନ ଭୁବନେଶ୍ୱର କୁମାରଙ୍କୁ ପୁଣି ଏକ ସୁଯୋଗ ଦିଆଯାଇଛି ।
ପରବର୍ତ୍ତୀ ଟି୨୦ ବିଶ୍ୱକପ୍ ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବ । ତେଣୁ ଦ୍ରାବିଡ-ରୋହିତ ଯୋଡି ଏପରି ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହିଁବେ ଯିଏକି ଅଷ୍ଟ୍ରେଲିଆର ପରିବେଶ ସହ ଖାପ ଖୁଆଇ ସେଠାରେ ସଫଳ ହୋଇପାରିବ ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳରେ ପାଞ୍ଚ ଜଣ ଓପନର ଅଛନ୍ତି । ସେମାନଙ୍କୁ ବ୍ୟାଟିଂକ୍ରମରେ ସଜାଡିବା ଟିମ୍ ମ୍ୟାନେଜମେଣ୍ଟ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ । ରୋହିତଙ୍କ ସହ ଉପଅଧିନାୟକ କେଏଲ୍ ରାହୁଲ ଇନିଂସ୍ ଓପନ୍ କରିବା ନିଶ୍ଚିତ ଥିବା ବେଳେ ଇଶାନ କିଶାନ ଓ ଋତୁରାଜଙ୍କୁ ଓପନିଂ ସ୍ଲଟରେ ପଠାଇ ଭାରତ ପରୀକ୍ଷା ନିରୀକ୍ଷା ମଧ୍ୟ କରିପାରେ । ଓପନିଂ ପାଇଁ ଆଉ ଜଣେ ବିକଳ୍ପ ହେଉଛନ୍ତି ଭେଙ୍କଟେଶ ଆୟର । ଆଇପିଏଲରେ କେକେଆର୍ ପକ୍ଷରୁ ଆୟର ଓପନର ଭାବେ ସଫଳତା ହାସଲ କରିଥିଲେ । ତେବେ ତାଙ୍କୁ ମଧ୍ୟକ୍ରମ ବ୍ୟାଟିଂର ଦାୟିତ୍ୱ ଦିଆଯାଇପାରେ ।

ସୂର୍ଯ୍ୟକୁମାର ଯାଦବ ବିଶ୍ୱକପରେ ସଂଘର୍ଷ କରିଥିଲେ ମଧ୍ୟ ତାଙ୍କୁ ଚତୁର୍ଥ ନମ୍ବରରେ ଜଣେ ସ୍ଥାୟୀ ବ୍ୟାଟ୍ସମ୍ୟାନ୍ ଭାବେ ଅଧିକ ସୁଯୋଗ ଦେବାକୁ ଚାହିଁବ ଭାରତ । ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନ ଅକ୍ଷର ପଟେଲ ନେଇପାରନ୍ତି । ଭାରତୀୟ ପ୍ଲେଇଂ-୧୧ରେ ରବିଚନ୍ଦ୍ରନ ଅଶ୍ୱିନ ନିଜ ସ୍ଥାନ ବଜାୟ ରଖିବା ସମ୍ଭାବନା ରହିଛି ।

ଟି୨୦ ବିଶ୍ୱକପରେ ଭାରତକୁ ଗ୍ରୁପ୍ ପର୍ଯ୍ୟାୟରୁ ବିଦା କରିଥିବା ନ୍ୟୁଜିଲାଣ୍ଡ ସୋମବାର ଦୁବାଇରୁ ଏକ ଚାର୍ଟର୍ଡ ଫ୍ଲାଇଟର ଜୟପୁର ପହଞ୍ଚିଛି । ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ଦଳ ନିରାଶ ଥିଲେ ମଧ୍ୟ ଭାରତ ବିପକ୍ଷ ସିରିଜ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମନେ ହେଉଛି । କୋଚ୍ ଗ୍ୟାରି ଷ୍ଟେଡ୍ ସ୍ୱୀକାର କରିଛନ୍ତି ଯେ, ବିଶ୍ୱକପ ପରେ ତାଙ୍କ ଖେଳାଳିମାନେ ସାମାନ୍ୟ କ୍ଲାନ୍ତ ହୋଇପଡିଛନ୍ତି । ଆମକୁ ଖୁବଶୀଘ୍ର ଏହି ସିରିଜ ପାଇଁ ମାନସିକ ଓ ଶାରିରୀକ ଭାବେ ପ୍ରସ୍ତୁତ ହେବାକୁ ପଡିବ ବୋଲି ସେ କହିଛନ୍ତି । ଟି୨୦ ସିରିଜରେ ଅଧିନାୟକ କେନ୍ ୱିଲିୟମସନଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଟିମ୍ ସାଉଦି ନ୍ୟୁଜିଲାଣ୍ଡର ନେତୃତ୍ୱ ନେବେ ।

Comments are closed.