ଏସିଆ କପରେ ଆଜି ଭାରତ-ପାକିସ୍ତାନ ମୁକାବିଲା

ପାଲେକେଲେ: ଏସିଆ କପର ବହୁ ପ୍ରତୀକ୍ଷିତ ମ୍ୟାଚରେ ଶନିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଏହା ବିଶ୍ୱକପ ପାଇଁ ଡ୍ରେସ୍ ରିହର୍ସାଲ ଭଳି ହେବ । ଏହି ହାଇ ଭୋଲଟେଜ୍ ମ୍ୟାଚରେ ଗୋଟିଏ ପଟେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଷ୍ଟାର ବ୍ୟାଟର ଓ‌ ଅନ୍ୟପଟେ ହାରିସ୍ ରାଉଫ ଏବଂ ଶାହିନ୍ ଶାହା ଆଫ୍ରିଦିଙ୍କ ପରି ଘାତକ ପେସ୍ ବୋଲର । ଭାରତୀୟ ବ୍ୟାଟିଂ ଓ ପାକିସ୍ତାନର ବୋଲିଂ ମଧ୍ୟରେ ରୋଚକ ମୁକାବିଲା ଦେଖିବାକୁ ମିଳିବ ।

ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ଦଳର ପ୍ରସ୍ତୁତି ପାଇଁ ଏସିଆ କପ୍‌ ୫୦ ଓଭର ଫର୍ମାଟରେ ଅନୁଷ୍ଠିତ ହେଉଛି। ଏହାଛଡ଼ା ଆୟୋଜକ ତଥା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନ୍ୟ ସବୁ ମ୍ୟାଚ୍ ଅପେକ୍ଷା ଅଧିକ ଗୁରୁତ୍ୱ ରଖିଥାଏ ।

ଗତ ବର୍ଷର ଟି-୨୦ ବିଶ୍ୱକପରେ ମେଲବର୍ଣ୍ଣରେ କୋହଲିଙ୍କ ଚମତ୍କାର ଇନିଂସକୁ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ମନେ ରଖିଥିବେ। ଶାହିନଙ୍କ ବଲରେ ରୋହିତ ଏଲବିଡବ୍ଲୁ ଆଉଟ୍ ହେବା ଦୃଶ୍ୟ ମଧ୍ୟ ପାକିସ୍ତାନୀ ପ୍ରଶଂସକମାନେ ଭୁଲି ନଥିବେ । ଏହିପରି ପ୍ରଦର୍ଶନ ଖେଳାଳିଙ୍କୁ କିମ୍ବଦନ୍ତୀ କରେ ଏବଂ ଏସିଆ କପରେ ଉଭୟ ଦଳର ଷ୍ଟାର ଖେଳାଳି ନିଜ ଦେଶରେ ଲୋକପ୍ରିୟତାର ଶିଖରରେ ପହଞ୍ଚିବାର ଆଉ ଏକ ସୁଯୋଗ ପାଇବେ |

ତେବେ ଶନିବାର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯେଉଁଥିପାଇଁ ଉଭୟ ଦଳର ପ୍ରଶଂସକମାନେ ନିରାଶ ହେବା ସମ୍ଭାବନା ରହିଛି।

ଭାରତୀୟ ଶିବିର ଚାହିଁବ ଯେ ବିରାଟ, ରୋହିତ ଏବଂ ଶୁଭମାନ ଗିଲଙ୍କ ‘ତ୍ରିମୂର୍ତ୍ତି’ ରାଉଫ, ଶାହିନ ଏବଂ ନାସିମ ଶାହାଙ୍କ ସଠିକ୍ ମୁକାବିଲା କରିବାରେ ସକ୍ଷମ ହେବେ। ପାଣିପାଗକୁ ଦୃଷ୍ଟିରୁ ପାକିସ୍ତାନର ଏହି ତିନି ଜଣିଆ ପେସ୍ ଆକ୍ରମଣ ପାୱାରପ୍ଲେରେ ବିପଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି।

ଉଭୟ ଦଳର ମିଡିଲ ଅର୍ଡରକୁ ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି। ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡିଥିବା କେ.ଏଲ୍ ରାହୁଲଙ୍କ ଅନୁପସ୍ଥିତି ଭାରତର ସମସ୍ୟା ବଢାଇ ଦେଇଛି। ଏଭଳି ସ୍ଥିତିରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ ମଧ୍ୟ କ୍ରମରେ ବ୍ୟାଟିଂ କରିପାରନ୍ତି। କିନ୍ତୁ ଚତୁର୍ଥ ଏବଂ ପଞ୍ଚମ ନମ୍ବର ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।
କିଶାନ କେବେବି ପାଞ୍ଚ ନମ୍ବରରେ ବ୍ୟାଟିଂ କରିନାହାଁନ୍ତି ଏବଂ ମଧ୍ୟ କ୍ରମରେ ତାଙ୍କର ଆଭରେଜ୍ ମାତ୍ର ୨୨.୭୫ ରହିଛି ।

ଅନ୍ୟପକ୍ଷରେ ପାକିସ୍ତାନ ଦଳରେ କୌଣସି ଫିଟନେସ୍ ସମସ୍ୟା ନାହିଁ । କିନ୍ତୁ କିଛି ଖେଳାଳିଙ୍କ ନିକଟରେ ଅଧିକ ଦିନିକିଆ କ୍ରିକେଟ ଖେଳିବା ଅଭିଜ୍ଞତା ନାହିଁ। ବିଶ୍ୱକପ୍ ୨୦୧୯ ପରଠାରୁ ପାକିସ୍ତାନ ମାତ୍ର ୨୯ଟି ଦିନିକିଆ ଖେଳିଥିବାବେଳେ ଭାରତ ୫୭ଟି ମ୍ୟାଚ୍ ଖେଳିଛି।
୨୯ଟି ମ୍ୟାଚ ମଧ୍ୟରୁ ପାକିସ୍ତାନ ଚଳିତ ବର୍ଷ ୧୨ଟି ମ୍ୟାଚ୍ ଖେଳିଛି। ଏହାର ଶ୍ରେଷ୍ଠ ତିନି ବ୍ୟାଟ୍ସମ୍ୟାନ୍ ବାବର ଆଜାମ (୬୮୯ ରନ୍), ଫଖର ଜମାନ (୫୯୩ ରନ) ଏବଂ ଇମାମୁଲ ହକ (୩୬୧ ରନ) ଲଗାତାର ରନ୍ କରିଛନ୍ତି। ଉସାମା ମିର, ସାଉଦ ଶକିଲ ଏବଂ ଆଗା ସଲମାନ କିନ୍ତୁ କ୍ରମାଗତ ବିଫଳ ହୋଇଛନ୍ତି।

ରନ୍ ହାର ବୃଦ୍ଧି କରିବାର ଦାୟିତ୍ବ ସାଧାରଣତଃ ୭ ନମ୍ବର ବ୍ୟାଟ୍ସମ୍ୟାନ୍ ଇଫତିକାର ଅହମ୍ମଦ ଏବଂ ୮ ନମ୍ବର ବ୍ୟାଟ୍ସମ୍ୟାନ୍ ଶାଦବ ଖାନଙ୍କ ଉପରେ ରହୁଛି । ଗତ ସପ୍ତାହରେ ଆଫଗାନିସ୍ତାନ ବିପକ୍ଷରେ ଶାଦାବ ୪୮ ରନ ସ୍କୋର କରିଥିବାବେଳେ ଇଫତିକାର ମଧ୍ୟ ନେପାଳ ବିପକ୍ଷରେ ଶତକ ହାସଲ କରିଥିଲେ।

ମଧ୍ୟକ୍ରମ ବ୍ୟାଟିଂରେ ଭାରତ ଏବଂ ପାକିସ୍ତାନର ସ୍ଥିତି ପ୍ରାୟ ସମାନ।

ବୋଲିଂରେ ଜସପ୍ରୀତ ବୁମରା ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ପ୍ରତ୍ୟାବର୍ତ୍ତନ ସହିତ ଭାରତୀୟ ଆକ୍ରମଣ ମଜବୁତ ହୋଇଛି। ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଉଭୟେ ବୋଲିଂ କରିଥିଲେ । କିନ୍ତୁ ୫୦ ଓଭର ଫର୍ମାଟରେ ସେମାନେ କିପରି ଖେଳିବେ ତାହା ଦେଖିବାକୁ ବାକି ରହିଲା। ଏଭଳି ସ୍ଥିତିରେ ମହମ୍ମଦ ଶାମିଙ୍କୁ ଅଗ୍ରାଧିକାର ଦିଆଯାଇପାରେ।

ଚଳିତ ବର୍ଷ ପାକିସ୍ତାନର ଶାହିନ୍, ନାସିମ ଏବଂ ରାଉଫ ୪୯ ୱିକେଟ୍ ନେଇଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରକୃତ ପରୀକ୍ଷା ବାଉନ୍ସି ପାଲେକାଲ ପିଚରେ ହେବ। ସ୍ପିନରେ ରବିନ୍ଦ୍ର ଜାଡେଜାଙ୍କ ଚୟନ ନିଶ୍ଚିତ ଯେ ସେ ସାତ ନମ୍ବରରେ ବ୍ୟାଟିଂ କରିବେ।

କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲଙ୍କ ମଧ୍ୟରେ କାହାକୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବ ତାହା ଭାରତକୁ ବୁଦ୍ଧିମାନର ସହ ନିଷ୍ପତ୍ତି ନେବାକୁ ପଡ଼ିବ। ଚଳିତ ବର୍ଷ ୧୧ଟି ଦିନିକିଆରେ କୁଲଦୀପ ୨୨ଟି ୱିକେଟ୍ ନେଇଥିବାବେଳେ ଅକ୍ଷର ୬ଟି ମ୍ୟାଚରେ ମାତ୍ର ତିନିଟି ୱିକେଟ୍ ନେଇଛନ୍ତି। ପାକିସ୍ତାନର ଶାଦାବ ଆଠଟି ମ୍ୟାଚ୍‌ରେ ୧୧ ୱିକେଟ୍ ନେଇଛନ୍ତି।

Comments are closed.