ଆଜି ଏସିଆ କପରେ ଭାରତ-ପାକିସ୍ତାନ ମହାମୁକାବିଲା, ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଦୁବାଇ:ଏକ ନୂଆ ବ୍ୟାଟିଂ ଦୃଷ୍ଟିକୋଣରୁ ପ୍ରସ୍ତୁତ ଜଣେ ଅଧିନାୟକ ଓ ପ୍ରତ୍ୟାବର୍ତ୍ତନ କରିବାକୁ ବ୍ୟଗ୍ର ଜଣେ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କ ନେତୃତ୍ୱରେ ରବିବାର ଏଠାରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ଏସିଆ କପ୍ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।

ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସୀମିତ ଓଭର କ୍ରିକେଟରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଆସିଛନ୍ତି । ତେବେ ୧୦ ମାସ ତଳେ ଠିକ୍ ଏହି ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପରେ ଉଭୟଙ୍କୁ ପାକିସ୍ତାନ ଠାରୁ ଶୋଚନୀୟ ପରାଜୟର ବଡ଼ ଯନ୍ତ୍ରଣା ସହିବାକୁ ପଡ଼ିଥିଲା । ଏହି ଦୁଇ ଭେଟେରାନ୍ ଭାରତୀୟ ବ୍ୟାଟ୍ସମ୍ୟାନ୍ ଏଥର କାହାଣୀ ବଦଳାଇବାକୁ ପୁରା ବ୍ୟଗ୍ର ।

ଞରୋହିତ ପାକିସ୍ତାନ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂ ଆଭିମୁଖ୍ୟକୁ ଏକ ନୂଆ ଦିଗ ଦେବାକୁ ଚାହୁଁଥିବାବେଳେ କୋହଲିଙ୍କ ପାଇଁ ତାଙ୍କ କଠିନ ପର୍ଯ୍ୟାୟରୁ ଫେରି ଆସିବା ଲାଗି ଏହା ଏକ ଉପଯୁକ୍ତ ପ୍ଲାଟଫର୍ମ ହେବ।
ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ନିଜ ଟିମକୁ ଚୂଡ଼ାନ୍ତ ରୂପ ଦେବାକୁ ଭାରତର ବଡ ଲକ୍ଷ୍ୟ ହେବ। ଗତ ୧୦ ବର୍ଷ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ । ଏଭଳି ପରିସ୍ଥିତିରେ ଏହି ଦୁଇ ଏସୀୟ ହେଭିଓ୍ବେଟ୍ କେବଳ ପ୍ରମୁଖ ଆଇସିସି ଟୁର୍ନାମେଣ୍ଟରେ ମୁହାଁମୁହିଁ ହୋଇଛନ୍ତି | ଯାହା ଫଳରେ ଉଭୟ ଦଳର ଖେଳାଳୀମାନେ ପରସ୍ପରର ଖେଳ ସହିତ ଅପରିଚିତ ରୁହନ୍ତି।

ଶେଷ ଥର ପାଇଁ ଭାରତ ଯେତେବେଳେ ପାକିସ୍ତାନକୁ ସାମ୍ନା କରିଥିଲା, ସେମାନେ ଜାଣି ନଥିଲେ ଯେ ଶାହିନ୍ ଶାହା ଆଫ୍ରିଦିଙ୍କ ଖେଳ କେତେ ଉନ୍ନତ ହୋଇଯାଇଛି ଏବଂ ଫଳସ୍ବରୂପ ଭାରତୀୟ ଦଳ ୧୦ ୱିକେଟରେ ଶୋଚନୀୟ ପରାଜୟ ବରଣ କରିଥିଲା ଏହି। ଆଫ୍ରିଦି ତାଙ୍କର ପ୍ରଥମ ଦୁଇଟି ଓଭରରେ ହିଁ ଭାରତୀୟ ଶିବିରରେ ଆତଙ୍କ ସୃଷ୍ଟି କରିଥିଲେ।

ତେବେ ଆଣ୍ଠୁରେ ଆଘାତ ଲାଗିଥିବା ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବାରୁ ରବିବାର ପାକିସ୍ତାନୀ ବୋଲିଂର ନେତୃତ୍ୱ ନେବାକୁ ଆଫ୍ରିଦି ଉପସ୍ଥିତ ରହିବେ ନାହିଁ।
ଭାରତର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ଅନେକ ପରୀକ୍ଷଣ ସତ୍ତ୍ୱେ ଗତ ବର୍ଷ ଟି-୨୦ ବିଶ୍ୱକପରେ ଖେଳିଥିବା ଭାରତୀୟ ଟପ୍ ଅର୍ଡରରେ ପ୍ରାୟ ସମାନ ବ୍ୟାଟ୍ସମ୍ୟାନ୍ ଅଛନ୍ତି।

ରୋହିତ ଏବଂ ରିଷଭ ପନ୍ତଙ୍କ ଯୋଡ଼ି ସେମାନଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଦ୍ବାରା ଆଶା ବଢାଇଥିବାବେଳେ ପଡ଼ିଆରେ ସଟ୍ ଖେଳିବାର କ୍ଷମତା ଯୋଗୁଁ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ପ୍ରମୁଖ ଖେଳାଳି ହୋଇପାରିଛନ୍ତି।
ଆୟର୍ଲାଣ୍ଡ ବିପକ୍ଷରେ ଦୀପକ ହୁଡାଙ୍କୁ ମଧ୍ୟ ଇନିଂସ୍ ଓପନ୍ କରିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ କୋହଲି ଏବଂ କେଏଲ୍ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ସହିତ କେବଳ ଅଭିଜ୍ଞ ଖେଳାଳିମାନେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ସୁଯୋଗ ପାଇବାର ସମ୍ଭାବନା ରହିଛି। ରାହୁଲ ଏପର୍ଯ୍ୟନ୍ତ ୨୦୨୨ ମସିହାରେ ଗୋଟିଏ ବି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି।

କୋହଲିଙ୍କ ନାମରେ ଦୁର୍ବଳ ୱେଷ୍ଟଇଣ୍ଡିଜ୍ ବୋଲିଂ ଆକ୍ରମଣର ବିପକ୍ଷରେ ଏକ ଅର୍ଦ୍ଧଶତକ ଥିବାବେଳେ ରୋହିତ ଶର୍ମା ମଧ୍ୟ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। କିନ୍ତୁ ଏହି ଦଳ ଏକ ନୂଆ ଆଭିମୁଖ୍ୟ ସହିତ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପ୍ରବେଶ କରିବ |
ଉପଅଧିନାୟକ ରାହୁଲ ଶୁକ୍ରବାର କହିଥିଲେ ଯେ ଗତ ବିଶ୍ୱକପ ପରେ ଭାରତୀୟ ଦଳ ଏକ ନୂଆ ଆଭିମୁଖ୍ୟ ସହ ଖେଳି ସଫଳ ହୋଇଛି ଏବଂ ଆଶା କରୁଛୁ ଆମେ ଏଠାରେ ଏହା ଜାରି ରଖିବୁ।

ସୂର୍ଯ୍ୟକୁମାର, ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଉପରେ ଅନେକ କିଛି ନିର୍ଭର କରିବ | ଏହି ତିନି ଏବଂ ଫିନିଶର ଭାବେ ଦୀନେଶ କାର୍ତ୍ତିକ ପାକିସ୍ତାନୀ ଆକ୍ରମଣ ଉପରେ ପ୍ରାଧାନ୍ୟ ଜାହିର କରିବା ଉଦ୍ୟମ କରିବେ।
ଯେତେ ଦୂର ପାକିସ୍ତାନ କଥା ଦେଖାଯାଏ, ଦଳର ଅଧିନାୟକ ତଥା ମୁଖ୍ୟ ବ୍ୟାଟ୍ସମ୍ୟାନ୍ ବାବର ଆଜମ ତାଙ୍କ ପୁରୁଣା କିମ୍ବଦନ୍ତୀଠାରୁ ସାମାନ୍ୟ ଭିନ୍ନ। ସେ ଜଣେ ଶାନ୍ତ ସ୍ଵଭାବ ଖେଳାଳି । ତାଙ୍କର ଏହି ଗୁଣରୁ ପାକିସ୍ତାନ ଉପକୃତ ହୋଇଛି |

ବାବର ଆଜମ ଏବଂ ମହମ୍ମଦ ରିଜୱାନ ଟପ୍ ଅର୍ଡରରେ ଏକ ସଫଳ ଯୋଡି ଅଟନ୍ତି ଏବଂ ସେମାନେ ଗତ ବର୍ଷ ଟି୨୦ ବିଶ୍ବକପରେ ଭାରତ ପ୍ରଦତ୍ତ ବିଜୟ ଲକ୍ଷ୍ୟକୁ ଅନାୟସରେ ହାସଲ କରି ସେମାନଙ୍କର ଦକ୍ଷତାର ଏକ ଦୃଢ ପ୍ରମାଣ ଦେଇଥିଲେ।

ତିନି ନମ୍ବରରେ ଫଖର ଜମାନ ନିଜର ଦୃଢ ବ୍ୟାଟିଂ ପାଇଁ ଜଣାଶୁଣା କିନ୍ତୁ ଅନ୍ୟ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଖରେ ସ୍ଥିରତା ଅଭାବ | ଆସିଫ ଅଲି, ଖୁସଦିଲ ଶାହା ଏବଂ ହାଇଦର ଅଲି ଭଲ ଖେଳାଳି । କିନ୍ତୁ ସେମାନେ ଅନ୍ତର୍ଜାତୀୟ ସ୍ତରରେ ସ୍ଥିର ପ୍ରଦର୍ଶନ କରିପାରି ନାହାଁନ୍ତି।
ଯଦି ପାକିସ୍ତାନ ଆଫ୍ରିଦିଙ୍କୁ ମିସ୍ କରୁଛି, ତେବେ ଭାରତ ମଧ୍ୟ ଯସପ୍ରୀତ ବୁମରାଙ୍କ ଅନୁପସ୍ଥିତି ଅନୁଭବ କରିବ । ପିଠିରେ ଆଘାତ ଲାଗିଥିବାରୁ ସେ ଟୁର୍ନାମେଣ୍ଟରୁ ବାଦ୍ ପଡିଛନ୍ତି । ତାଙ୍କ ବ୍ୟତୀତ ଟି-୨୦ ବିଶେଷଜ୍ଞ ବୋଲର ହର୍ଷଲ ପଟେଲ ମଧ୍ୟ ପଖାରେ ଆଘାତ ଯୋଗୁଁ ଏସିଆ କପରୁ ବଞ୍ଚିତ ହୋଇଛନ୍ତି | ଏଭଳି ପରିସ୍ଥିତିରେ ଭୁବନେଶ୍ବର କୁମାର ଡେଥ ଓଭରରେ ଯୁବ ପେସର ଅର୍ଶଦୀପ ସିଂଙ୍କ ସହାୟତା ନେବାକୁ ପଡ଼ିବ ।
ରବୀନ୍ଦ୍ର ଜାଡେଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପସ୍ଥିତି ଦଳକୁ ଅତିରିକ୍ତ ସନ୍ତୁଳନ ଦେଇଛି । କିନ୍ତୁ ରୋହିତ ଏବଂ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କୋଚ୍ ଭିଭିଏସ୍ ଲକ୍ଷ୍ମଣ ରବିଚନ୍ଦ୍ରନ ଅଶ୍ୱିନ କିମ୍ବା ରବି ବିଷ୍ଣୋଇଙ୍କ ରୂପେ ଅତିରିକ୍ତ ସ୍ପିନରଙ୍କୁ ଖେଳାଇବେ ନା ପେସର ଅବେଶ ଖାନଙ୍କ ଉପରେ ନିର୍ଭର କରନ୍ତି ତାହା ଦେଖିବା ମଜାଦାର ହେବ।

ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଦୀପକ ହୁଡା, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଆର୍ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭବନେଶ୍ୱର କୁମାର, ଅର୍ଶଦୀପ ସିଂ।

ପାକିସ୍ତାନ: ବାବର ଆଜାମ (ଅଧିନାୟକ), ଶାଦବ ଖାନ, ଅସୀଫ ଅଲି, ଫଖର ଜମାନ, ହାଇଦର ଅଲି, ହରିସ ରାଉଫ, ଇଫତିକର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ନସିମ ଶାହା, ଶାହନାୱାଜ ଦାହାନି, ଉସମାନ କାଦର, ମହମ୍ମଦ ହସନେନ, ହାସନ ଅଲି।

Comments are closed.