ଟି-୨୦ ବିଶ୍ୱକପ୍: ଭାରତ-ପାକିସ୍ତାନ ମୁକାବିଲା ସର୍ବାଧିକ ଦର୍ଶକ ଦେଖିଥିବା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍

ଦୁବାଇ: ଆଇସିସି ଟି-୨୦ ବିଶ୍ୱକପ ୨୦୨୧ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ରେକର୍ଡ ସୃଷ୍ଟି କରିଛି । କାରଣ ଏହି ମ୍ୟାଚ୍ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସର୍ବାଧିକ ଦେଖାଯାଇଥିବା ମ୍ୟାଚ୍ ହୋଇପାରିଛି। ଟି-୨୦ ବିଶ୍ୱକପ ୨୦୨୧ ର ଅଫିସିଆଲ୍ ବ୍ରଡକାଷ୍ଟର ପକ୍ଷରୁ ଏହା ଘୋଷଣା କରାଯାଇଛି | ଏହି ମ୍ୟାଚ୍ ୨୪ ଅକ୍ଟୋବରରେ ଦୁବାଇରେ ଖେଳାଯାଇଥିଲା |

ଟି-୨୦ ବିଶ୍ୱକପର ଅଫିସିଆଲ୍ ବ୍ରଡକାଷ୍ଟର ‘ଷ୍ଟାର୍ ଇଣ୍ଡିଆ’ କହିଛି ଯେ ଟି-୨୦ ବିଶ୍ୱକପରେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ରେକର୍ଡ ୧୬୭ ମିଲିୟନ (୧୬.୭୦ କୋଟି) ଦର୍ଶକ ଦେଖିଥିଲେ । ଏପର୍ଯ୍ୟନ୍ତ ଏହି ଫର୍ମାଟରେ ଏହା ସର୍ବାଧିକ ଦେଖାଯାଇଥିବା ଟି-୨୦ ମ୍ୟାଚ୍ ହୋଇଛି । ଷ୍ଟାର ଇଣ୍ଡିଆ ଏକ ପ୍ରେସ୍ ବିବୃତିରେ କହିଛି ଯେ ସାମଗ୍ରିକ ଭାବେ ଚଳିତ ଟି-୨୦ ବିଶ୍ୱକପକୁ ଗତ ସପ୍ତାହ ପର୍ଯ୍ୟନ୍ତ ୨୩୮ ମିଲିୟନ (୨୩.୮ କୋଟି) ଦର୍ଶକ ଦେଖିଛନ୍ତି, ଯେଉଁଥିରେ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ୧୨ଟି ମ୍ୟାଚ ଏବଂ ସୁପର ୧୨ ପର୍ଯ୍ୟାୟ ଅନ୍ତର୍ଭୁକ୍ତ।

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨୦୧୬ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ୧୩୬ ମିଲିୟନ୍ ଦର୍ଶକଙ୍କ ସହ ସର୍ବାଧିକ ଦେଖାଯାଇଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଥିଲା | ହେଲେ ସେହି ରେକର୍ଡକୁ ଭାରତ-ପାକିସ୍ତାନ ମ୍ୟାଚ୍ ଭାଙ୍ଗିଦେଇଛି ।

୨୪ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ମ୍ୟାଚରେ ‘ମେନ ଇନ୍ ଗ୍ରୀନ୍’ ୧୦ ୱିକେଟରେ ମେନ ଇନ୍ ବ୍ଲୁ’କୁ ପରାସ୍ତ କରିଥିଲା। ଷ୍ଟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଭାରତ-ପାକିସ୍ତାନ ମ୍ୟାଚ୍ ୧୬୭ ମିଲିୟନ ଦର୍ଶକ ରେକର୍ଡରେ ପହଞ୍ଚିବା ସହ ଇତିହାସ ସୃଷ୍ଟି କରିଛି।

Comments are closed.