୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ବକପ: ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇ ଫାଇନାଲରେ ଭାରତ

ପୋଚେଫଷ୍ଟ୍ରୁମ୍: ଆଇସିସି ୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ବକପରେ ଭାରତୀୟ ଦଳର ଚମତ୍କାର ପ୍ରଦର୍ଶନ ଜାରି ରହିଛି । ଭାରତ ଶୁକ୍ରବାର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚର ବିଜେତା ସହ ଭାରତ ଫାଇନାଲ ଖେଳିବା ।

ନ୍ୟୁଜିଲାଣ୍ଡ ଭାରତୀୟ ଦଳ ଆଗରେ ୧୦୮ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଭାରତ ମାତ୍ର ୧୪.୨ ଓଭରରେ ମ୍ୟାଚ୍ ଜିତି ନେଇଥିଲା । ଭାରତ ତରଫରୁ ଶ୍ୱେତା ସେହରାୱତ ପୁଣି ଥରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ୪୫ଟି ବଲରୁ ୧୦ଟି ଚଉକା ସହ ଅପରାଜିତ ୬୧ ରନ୍ କରିଥିଲେ । ସୌମ୍ୟା ତିୱାରୀ ୨୨ ରନ୍‌ର ଇନିଂସ ଖେଳିଥିଲେ। ତେବେ ଅଧିନାୟକ ଶେଫାଳି ଭର୍ମା ଏହି ମ୍ୟାଚରେ ବିଫଳ ହୋଇଥିଲେ । ସେ ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିଲେ ।

ପୂର୍ବରୁ ଭାରତ ଟସ୍ ଜିତିବା ପରେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କିୱି ଦଳର ବହୁତ ଖରାପ ଆରମ୍ଭ ହୋଇଥିଲା । ଦଳ ପାଞ୍ଚ ରନ୍ ସ୍କୋରରେ ଦଳ ଦୁଇ ଓପନରଙ୍କ ୱିକେଟ୍ ହରାଇଥିଲା। ଆନ୍ନା ବ୍ରାଉନିଙ୍ଗ (୧)ଙ୍କୁ ମନ୍ନତ କାଶ୍ୟପ ଆଉଟ୍ କରିଥିଲେ। ଏମା ମ୍ୟାକ୍ଲେଡ ଦୁଇ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଟିଟସ୍ ସାନ୍ଧୁଙ୍କ ବଲରେ ଏଲବିଡବ୍ଲୁ ହୋଇଥିଲେ ।

ଦୁଇଟି ୱିକେଟ୍ ଶୀଘ୍ର ହରାଇବା ପରେ ଜର୍ଜିଆ ପ୍ଲିମର୍ ଏବଂ ୱିକେଟ୍ କିପର ଇସାବେଲା ଗେଜ୍ ୩୭ ରନ୍ ଭାଗିଦାରୀ କରି ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗେଜଙ୍କ ଆଉଟ୍ ପରେ ପୁଣି ୱିକେଟ୍ ପତନ ଆରମ୍ଭ ହୋଇଯାଇଥିଲା । ନ୍ୟୁଜିଲ୍ୟାଣ୍ଡ ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୦୭ ରନ୍ କରିବାକୁ ସକ୍ଷମ ହୋଇଥିଲା।

ନ୍ୟୁଜିଲାଣ୍ଡ ତରଫରୁ ପଲିମର୍ ୩୨ ବଲରୁ ସର୍ବାଧିକ ୩୫ ରନ୍ କରିଥିବା ବେଳେ ଇସାବେଲ ଗେଜ ୨୬ ରନର ଇନିଂସ ଖେଳିଥିଲେ | ଏହି ଦୁଇଜଣଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡ ପକ୍ଷରୁ କେବଳ ଅଧିନାୟକ ଇଜି ଶାର୍ପ (୧୩) ଏବଂ କେଲି ନାଇଟ୍ (୧୩) ହିଁ ଦୁଇ ଅଙ୍କ ଛୁଇଁ ପାରିଥିଲେ | ଭାରତୀୟ ତରଫରୁ ପାର୍ଶ୍ବୀ ଚୋପ୍ରା ୨୦ ରନରେ ୩ଟି ୱିକେଟ୍ ନେଇଥିଲେ। ସାନ୍ଧୁ, ମନ୍ନତ କାଶ୍ୟପ, ଶେଫାଳି ବର୍ମା ଏବଂ ଅର୍ଚ୍ଚନା ଦେବୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Comments are closed.