ପୁଣି ଡରାଉଛି କରୋନା, ଭାରତରେ କୋଭିଡ୍ ମାମଲା ୨୫% ବଢ଼ିଲା

ନୂଆଦିଲ୍ଲୀ: ଚୀନ୍ ସମେତ ବିଶ୍ବର ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଭାରତରେ ମଧ୍ୟ ଚିନ୍ତା ବଢ଼ିଛି। ଦେଶରେ କ୍ରମାଗତ ଦ୍ୱିତୀୟ ସପ୍ତାହ କରୋନା ମାମଲାରେ ବୃଦ୍ଧି ଘଟିଛି । ରବିବାର ଶେଷ ହୋଇଥିବା ସପ୍ତାହରେ ୧୫୨୬ ନୂଆ କରୋନା ମାମଲା ପଞ୍ଜିକୃତ ହୋଇଥିଲା, ଯାହା ପୂର୍ବ ସପ୍ତାହ (୧୨୧୯) ତୁଳନାରେ ୨୫ ପ୍ରତିଶତ ଅଧିକ। କରୋନାର ଉପରମୁହାଁ ଗ୍ରାଫ୍ ଉଭୟ ସରକାର ଓ ଲୋକଙ୍କ ଚିନ୍ତା ବଢାଇଲାଣି । ଏହା ସହିତ ଭାରତରେ ଓମିକ୍ରନ୍ ଭାରିଆଣ୍ଟର ଏକ ସବ୍ ଭାରିଆଣ୍ଟ୍ ଏକ୍ସବିବି.୧.୫ ର ମାମଲା ମଧ୍ୟ ବଢୁଛି | ଆମେରିକାରେ କୋଭିଡ୍-୧୯ ମାମଲା ମଧ୍ୟରୁ ୪୦ ପ୍ରତିଶତ ମାମଲା ଏହି ଭାରିଆଣ୍ଟର ବୋଲି ଜଣାପଡିଛି | ତେବେ ଭାରତରେ ଏକ୍ସବିବି.୧.୫ ଆକ୍ରାନ୍ତଙ୍କ ଠାରେ ଲକ୍ଷଣ ସାମାନ୍ୟ ଦେଖାଯାଉଛି |

ଇତି ମଧ୍ୟରେ ମାର୍ଚ୍ଚ ୨୦୨୦ ପରଠାରୁ ପ୍ରଥମ ଥର ପାଇଁ ଗତ ସପ୍ତାହରେ ଅର୍ଥାତ୍ ଡିସେମ୍ବର ୨୬-ଜାନୁୟାରୀ ୧ରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୬କୁ ଖସି ଆସିଛି । ଏହାପୂର୍ବରୁ ୧୬ରୁ ୨୨ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ କୌଣସି କୋଭିଡ୍ ମୃତ୍ୟୁ ରେକର୍ଡ କରାଯାଇ ନଥିଲା ।

ତେବେ କର୍ଣ୍ଣାଟକରେ କରୋନା ମାମଲାରେ ସବୁଠୁ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଏହି ରାଜ୍ୟରେ ଏହି ସପ୍ତାହରେ ୨୭୬ ନୂଆ କୋଭିଡ୍ ମାମଲା ପଞ୍ଜିକୃତ ହୋଇଥିବାବେଳେ ଗତ ସପ୍ତାହରେ ୧୧୬ଟି କରୋନା ମାମଲା ରିପୋର୍ଟ ହୋଇଥିଲା। ଅନ୍ୟ କୌଣସି ରାଜ୍ୟରେ କୋଭିଡ ମାମଲାରେ ଦ୍ରୁତ ବୃଦ୍ଧି ରେକର୍ଡ କରାଯାଇ ନାହିଁ। ତେବେ କେତେକ ରାଜ୍ୟରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ପୂର୍ବ ସପ୍ତାହରେ ୪୧୬ ମାମଲା ତୁଳନାରେ କେରଳରେ ଏହି ସପ୍ତାହରେ ୪୬୭ ମାମଲା ରିପୋର୍ଟ ହୋଇଛି। ଏଥି ସହିତ ତାମିଲନାଡୁରେ ମଧ୍ୟ କରୋନା ମାମଲାରେ ବୃଦ୍ଧି ଘଟିଛି । ଗତ ସପ୍ତାହରେ ୪୭ଟି ମାମଲା ତୁଳନାରେ ରାଜ୍ୟରେ ଏହି ସପ୍ତାହରେ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.