ତୀରନ୍ଦାଜୀରେ ସ୍ୱର୍ଣ୍ଣ, ଚାଲିରେ ବ୍ରୋଞ୍ଜ: ୭୧ ପଦକ ସହ ଏସିଆଡରେ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ

ହାଙ୍ଗଝୋ: ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ ବୁଧବାର ତୀରନ୍ଦାଜୀରେ ମିଳିଛି ସ୍ୱର୍ଣ୍ଣ ପଦକ । ମିକ୍ସଡ ଟିମ୍ କମ୍ପାଉଣ୍ଡ ଇଭେଣ୍ଟରେ ଭାରତର ଜ୍ୟୋତି ସୁରେଖା ଏବଂ ଓଜାସ ପ୍ରବୀନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାଛଡ଼ା ୩୫ କିମି ରେସୱାକ ବା ଚାଲି ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତୀୟ ଯୋଡ଼ି ରାମ ବାବୁ ଓ ମଞ୍ଜୁ ରାନୀ ୫ ଘଣ୍ଟା ୫୧ ମିନିଟ୍ ୧୪ ସେକେଣ୍ଡ ସହ ବ୍ରୋଞ୍ଜ ପଦକ ହାତେଇଛନ୍ତି ।

ଚଳିତ ଏସୀୟ କ୍ରୀଡ଼ାରେ ଭାରତର‌ ମୋଟ ପଦକ ସଂଖ୍ୟା ୭୧ରେ ପହଞ୍ଚିଛି | ଏଥିସହ ଭାରତ ୨୦୧୮ ଜାକର୍ତ୍ତା ସଂସ୍କରଣ ପ୍ରଦର୍ଶନକୁ ଟପିଛି । ଏସୀୟ କ୍ରୀଡ଼ାର ୭୪ ବର୍ଷର ଇତିହାସରେ ଏହା ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ । ୨୦୧୮ରେ ଭାରତ ୭୦ଟି ପଦକ ଜିତିଥିଲା |

ଚଳିତ ଏସୀୟ କ୍ରୀଡ଼ା ଉଦଯାପିତ ହେବାକୁ ଆହୁରି ଚାରି ଦିନ ବାକି ରହିଥିବା ବେଳେ ଭାରତ ଏଯାବତ୍ ୧୬ଟି ସ୍ବର୍ଣ୍ଣ, ୨୬ ରୌପ୍ୟ ଓ ୨୯‌ ବ୍ରୋଞ୍ଜ ସହ ମୋଟ ୭୧ଟି ପଦକ ଜିତିଛି ।

୨୦୧୮ ଜାକର୍ତ୍ତା ସଂସ୍କରଣରେ ଭାରତ ୧୬ ସ୍ବର୍ଣ୍ଣ, ୨୩ଟି ରୌପ୍ୟ ଓ ୩୧ଟି ବ୍ରୋଞ୍ଜ ସହ ୭୦ଟି ପଦକ ଜିତିଥିଲା |

Comments are closed.