ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା କେରଳର କୋଲାମରେ ଚିହ୍ନଟ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ବିଦେଶରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ପଠାଯାଇଥିଲା। ସଂକ୍ରମିତ ବ୍ୟକ୍ତି ଜଣକ କିଛି ଦିନ ତଳେ ୟୁଏଇରୁ ଫେରିଥିଲେ । ଦିନକ ପୂର୍ବରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଚିଠି ଲେଖି ମଙ୍କିପକ୍ସ ବିଷୟରେ ଚେତାବନୀ ଦେଇଥିଲେ ଏବଂ ଏନେଇ ଆବଶ୍ୟକ ଗାଇଡ ଲାଇନ୍ ଜାରି କରିଥିଲେ।

କେନ୍ଦ୍ର ସରକାର କହିଥିଲେ ଯେ ସମସ୍ତ ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯିବା ଏବଂ ଟେଷ୍ଟିଂ କରାଯିବା ଉଚିତ । ସର୍ଭିଲାନ୍ସ ବ୍ୟବସ୍ଥା ଉନ୍ନତ କରାଯିବା ଜରୁରୀ। ସଂକ୍ରମିତ ଏବଂ ସନ୍ଦିଗ୍ଧ ରୋଗୀଙ୍କୁ ଆଇସୋଲେଟ୍ କରି ରଖିବା ସହ ଏହି ଭାଇରସରେ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ | ସଂକ୍ରମିତ ହେବାର ୬ ରୁ ୧୩ ଦିନ ପରେଏହି ରୋଗର ଲକ୍ଷଣ ଦେଖାଯାଏ | ଯଦିଓ ଏହି ଭାଇରସ ହାଡଫୁଟି ପରି ଗମ୍ଭୀର ନୁହେଁ, ତଥାପି ଏହାର କୌଣସି ଚିକିତ୍ସା ନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀର ୬୩ ଟି ଦେଶରେ ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଛି। ଜୁଲାଇ ୧୨ ସୁଦ୍ଧା ଏହି ୬୩ଟି ଦେଶରେ ୯୨୦୦ ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଛି।

Comments are closed.