ଜୁନିୟର ହକି ବିଶ୍ୱକପ୍‌: ପୋଲାଣ୍ଡକୁ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପରେ ଭାରତ ଶନିବାର ନିଜ ଶେଷ ଗ୍ରୁପ୍ ମ୍ୟାଚରେ ପୋଲାଣ୍ଡକୁ ୮-୨ ଗୋଲରେ ହରାଇଛି । ଏହି ବୃହତ ବିଜୟ ସହ ଭାରତ ଗ୍ରୁପ-ବି’ରେ ଦ୍ୱିତୀୟ ସ୍ଥାନ ହାସଲ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲରେ ଭାରତର ମୁକାବିଲା ବେଲଜିୟମ ସହ ହେବ । ଆଜି ଅନୁଷ୍ଠିତ ଆଉ ଏକ ମ୍ୟାଚରେ ଫ୍ରାନ୍ସ ୧୧-୧ ଗୋଲରେ କାନାଡାକୁ ପରାସ୍ତ କରି ଗ୍ରୁପ୍‌-ବି ଟପ୍ପର ହୋଇଛି ।

ପ୍ରଥମ ମ୍ୟାଚରେ ଫ୍ରାନ୍ସ ଠାରୁ ଅପ୍ରତ୍ୟାଶିତ ୫-୪ରେ ହାରିବା ପରେ ଭାରତ ଲଢୁଆ ପ୍ରତ୍ୟାବର୍ତ୍ତନ ପୂର୍ବକ କାନାଡାକୁ ୧୩-୧ରେ ହରାଇ କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବିତ କରିଥିଲା । ତେବେ କ୍ୱାର୍ଟରରେ ସ୍ଥାନ ପକ୍କା କରିବା ପାଇଁ ଆଜି ପୋଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତକୁ କେବଳ ଏକ ଡ୍ର ଆବଶ୍ୟକ ହେଉଥିଲା । କିନ୍ତୁ ଭାରତ ସକାରାତ୍ମକ ପ୍ରଦର୍ଶନ ସହ ବୃହତ ବିଜୟ ସହିତ ଗ୍ରୁପ୍ ଅଭିଯାନ ଶେଷ କରି କ୍ୱାର୍ଟରରେ ସ୍ଥାନ ପକ୍କା କରିଛି । ଭାରତ ପକ୍ଷରୁ ସଞ୍ଜୟ, ସୁଦୀପ ଚିରମାକୋ ଓ ଅରିଜିତ ସିଂ ହୁନ୍ଦାଲ ଦୁଇଟି ଲେଖାଏଁ ଗୋଲ୍ ସ୍କୋର କରିଥିବା ବେଳେ ଉତ୍ତମ ସିଂ ଓ ଶାରଦା ନନ୍ଦ ତିୱାରୀ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ପୋଲାଣ୍ଡ ତରଫରୁ ରୁତକୋସ୍କି ଓ ରୋବର୍ଟ ପାଲାକ ଗୋଲ୍ ସ୍କୋର କରିଥିଲେ ।

ଭାରତ ତିନୋଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ହାସଲ କରି ଗ୍ରୁପ୍‌-ବି’ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । କ୍ୱାର୍ଟରରେ ଭାରତର ଭେଟ ଗ୍ରୁପ-ଏ ଟପର ବେଲଜିୟମ ସହ ହେବ । ଏହି ମୁକାବିଲା ୨୦୧୬ ଫାଇନାଲର ପୁନରାବୃତ୍ତି ହେବ । ୨୦୧୬ ଫାଇନାଲରେ ବେଲଜିୟମକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ଭାରତ ପୁଣିଥରେ ବେଲଜିୟମ ଉପରେ ପ୍ରାଧାନ୍ୟ ଜାହିର କରିବ ବୋଲି ଆଶା କରାଯାଉଛି ।

Comments are closed.